- ‘ପ୍ରଗତି’(ମହିଳା) ଏବଂ ‘ବିକାଶ’(ପୁରୁଷ) ମାସ୍କଟ୍ ଶୁଭାରମ୍ଭ
- ଡିଜିଟାଲ୍ ଭାବେ ହେବ ଜନଗଣନା
- ସ୍ୱ-ଗଣନାର ବିକଳ୍ପ ମଧ୍ୟ ଉପଲବ୍ଧ
- ୧୬ଟି ଭାଷାରେ ଘରେ ବସି ଅନଲାଇନରେ ସୂଚନା ଦାଖଲ କରିପାରିବେ ଉତ୍ତରଦାତା
ନୂଆଦିଲ୍ଲୀ, ୫।୩ : ଜନଗଣନା-୨୦୨୭ ପାଇଁ ଚାରୋଟି ଡିଜିଟାଲ୍ ଉପକରଣ ସହ ମାସ୍କଟ୍ ପ୍ରଗତି ଓ ବିକାଶ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଗୁରୁବାର ଉନ୍ମୋଚନ କରିଛନ୍ତି। ପ୍ରଥମ ଥର ପାଇଁ ଜନଗଣନା ଡିଜିଟାଲ୍ ଭାବରେ କରାଯିବ। ଏପରିକି ପ୍ରଥମ ଥର ପାଇଁ ସ୍ୱୟଂ-ଗଣନାର ବିକଳ୍ପ ମଧ୍ୟ ପ୍ରଦାନ କରାଯାଉଛି। ଏହି ଅବସରରେ କେନ୍ଦ୍ର ଗୃହ ସଚିବ ଏବଂ ଭାରତର ରେଜିଷ୍ଟ୍ରାର ଜେନେରାଲ ତଥା ଜନଗଣନା କମିଶନର ଉପସ୍ଥିତ ଥିଲେ। ସେଣ୍ଟର ଫର ଡେଭଲପମେଣ୍ଟ ଅଫ୍ ଆଡଭାନ୍ସଡ୍ କମ୍ପ୍ୟୁଟିଂ (ସି-ଡିଏସି) ଗଣନା କାର୍ଯ୍ୟକୁ ସହଜ କରିବା ପାଇଁ ଉନ୍ନତ ଡିଜିଟାଲ୍ ପ୍ଲାଟଫର୍ମ ବିକଶିତ କରିଛି।
ଦୁଇ ପର୍ଯ୍ୟାୟ ଜନଗଣନା ୨୦୨୭ ହେଉଛି ବିଶ୍ୱର ସର୍ବବୃହତ ଜନଗଣନା ପ୍ରୟାସ। “ପ୍ରଗତି” (ମହିଳା ଗଣନାକାରୀ) ଏବଂ “ବିକାଶ” (ପୁରୁଷ ଗଣନାକାରୀ) ମାସ୍କଟକୁ ଜନଗଣନା-୨୦୨୭ର ଚେହେରା ଭାବେ ଉନ୍ମୋଚନ କରାଯାଇଛି। ୨୦୪୭ ମସିହା ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ସଂକଳ୍ପକୁ ପୂରଣ କରିବାରେ ମହିଳା ଏବଂ ପୁରୁଷଙ୍କ ସମାନ ଅଂଶଗ୍ରହଣର ପ୍ରତୀକ ମଧ୍ୟ ଏହି ମାସ୍କଟ୍।
ହାଉସଲିସ୍ଟିଂ ବ୍ଲକ୍ କ୍ରିଏଟର୍ (ଏଚ୍.ଏଲ୍.ବି.ସି.) ୱେବ୍ ଆପ୍ଲିକେସନ୍, ଏଚ.ଏଲ.ଓ. ମୋବାଇଲ ,ସ୍ୱ-ଗଣନା (ଏସ୍.ଇ.) ପୋର୍ଟାଲ, ସେନ୍ସସ୍ ମ୍ୟାନେଜମେଣ୍ଟ ଆଣ୍ଡ ମନିଟରିଂ ସିଷ୍ଟମ୍ (ସି.ଏମ୍.ଏସ୍.) ପୋର୍ଟାଲ୍ ଡିଜିଟାଲ ଉପକରଣକୁ ଉନ୍ମୋଚିତ କରାଯାଇଛି।
ପ୍ରଶାସନିକ ସ୍ତରରେ ଜନଗଣନା ସମ୍ବନ୍ଧୀୟ ସମସ୍ତ ଯୋଜନା, ପରିଚାଳନା, ଏବଂ ତଦାରଖ କରିବା ପାଇଁ ୱେବ୍-ଆଧାରିତ ଡିଜିଟାଲ୍ ପ୍ଲାଟଫର୍ମ ଡିଜାଇନ ହୋଇଛି। ଅଧିକାରୀମାନେ ଏହା ମାଧ୍ୟମରେ ପ୍ରକୃତ ସମୟରେ ଗଣନାର ଅଗ୍ରଗତି, କ୍ଷେତ୍ର ପ୍ରଦର୍ଶନ ଏବଂ ପରିଚାଳନା ପ୍ରସ୍ତୁତିକୁ ଟ୍ରାକ୍ କରିପାରିବେ। ଘରକୁ ଯାଇ ସୁରକ୍ଷିତ ମୋବାଇଲ୍ ଆପ୍ଲିକେସନ୍ ବ୍ୟବହାର କରି ତଥ୍ୟ ସଂଗ୍ରହ କରିପାରିବେ ।
ଜନଗଣନା-୨୦୨୭ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ଗୃହ ତାଲିକା ଏବଂ ଘର ଗଣନା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଘରର ସ୍ଥିତି ଏବଂ ଘରୋଇ ସୁବିଧା ଉପରେ ତଥ୍ୟ ସଂଗ୍ରହ କରାଯିବ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କ ଜନସାଂଖିକୀୟ, ସାମାଜିକ ଏବଂ ଅର୍ଥନୈତିକ ବିବରଣୀ ରେକର୍ଡ କରାଯିବ।
ସୂଚନାଯୋଗ୍ୟ ଯେ, ୨୦୨୭ ମସିହା ଫେବୃଆରୀ ମାସରେ ସମଗ୍ର ଭାରତରେ ଜନସଂଖ୍ୟା ଗଣନା କରାଯିବ। କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ଏବଂ ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର ବରଫାବୃତ ଅଣ-ସମକାଳିକ ଇଲାକା ପାଇଁ ଗଣନା ସେପ୍ଟେମ୍ବର ୨୦୨୬ ରେ ଅନୁଷ୍ଠିତ ହେବ। ଦ୍ୱିତୀୟ ପର୍ଯ୍ୟାୟ ଜନଗଣନାରେ ଜାତି ସମ୍ବନ୍ଧୀୟ ପ୍ରଶ୍ନ ମଧ୍ୟ ସାମିଲ କରାଯିବ।

