ଦୁବାଇ, : ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଦୁଇ ଷ୍ଟାର ଖେଳାଳି ଯଶପ୍ରୀତ ବୁମରା ଓ ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବା ନେଇ ଆଶଙ୍କା ରହିଛି । ପାଣ୍ଡ୍ୟା ଗତ ଏସିଆ କପ୍ରେ ଆହତ ହୋଇଥିଲେ । ସେ ବର୍ତ୍ତମାନ ଫିଟ୍ ହୋଇ ବରୋଦା ପକ୍ଷରୁ ସୟଦ ମୁସ୍ତାକ ଅଲି ଟି-ଟ୍ୱେଣ୍ଟି ଖେଳିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ତରବରିଆ ଭାବେ କାର୍ଯ୍ୟଭାର ବୃଦ୍ଧି କରିବାକୁ ଚାହୁଁ ନଥିବାରୁ ପାଣ୍ଡ୍ୟା ଦିନିକିଆ ସିରିଜରୁ ଓହରି କେବଳ ଟି-ଟ୍ୱେଣ୍ଟି ସିରିଜ ଖେଳିବେ ବୋଲି ଆଶା କରାଯାଉଛି । ଆସନ୍ତା ବର୍ଷ ଟି-ଟ୍ୱେଣ୍ଟି ବିଶ୍ୱକପ ଖେଳାଯିବ । ସେ ପର୍ଯ୍ୟନ୍ତ ପାଣ୍ଡ୍ୟା କେବଳ ଟି-ଟ୍ୱେଣ୍ଟି କ୍ରିକେଟ୍ ମଧ୍ୟରେ ନିଜକୁ ସୀମିତ ରଖିବେ ।
ସେହିପରି ଟେଷ୍ଟ ସିରିଜ ଖେଳୁଥିବା ବୁମରାଙ୍କୁ ଦିନିକିଆ ସିରିଜରୁ ବିଶ୍ରାମ ଦିଆଯିବ । ବିସିସିଆଇ ପକ୍ଷରୁ ତାଙ୍କ କାର୍ଯ୍ୟଭାରକୁ ନିୟନ୍ତ୍ରଣ କରାଯାଉଛି । ନଭେମ୍ବର ୩୦ ତାରିଖରେ ଦିନିକିଆ ସିରିଜ ଆରମ୍ଭ ହୋଇ ଡିସେମ୍ବର ୬ ତାରିଖରେ ଶେଷ ହେବ । ଏହାପରେ ଡିସେମ୍ବର ୯ରୁ ୧୯ ତାରିଖ ମଧ୍ୟରେ ୫ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ ଖେଳାଯିବ । ଉଭୟ ପାଣ୍ଡ୍ୟା ଓ ବୁମରା ଏହି ସିରିଜ ଖେଳିବେ ।

