ଭୁବନେଶ୍ୱର (ରିପୋର୍ଟର୍ସ ପେନ୍): ଭାରତୀୟ ଚଳଚ୍ଚିତ୍ର ଓ ସାହିତ୍ୟ କ୍ଷେତ୍ରର ଉଜ୍ୱଳ ତାରକା, ଶବ୍ଦର ଯାଦୁକର, ପ୍ରଖ୍ୟାତ କବି, ସଂଳାପ ଲେଖକ, ଗୀତିକାର ଓ ସମାଜ ଚିନ୍ତକ ପଦ୍ମ ଭୁଷଣ ଜାଭେଦ ଅଖତରଙ୍କୁ ତାଙ୍କର ଉଲ୍ଲେଖନୀୟ ଓ ଜୀବନବ୍ୟାପୀ ଅବଦାନ ନିମନ୍ତେ ସୋଆ ସାହିତ୍ୟ ସମ୍ମାନ ୨୦୨୫ରେ ସମ୍ବର୍ଦ୍ଧିତ କରାଯିବ ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିସରରେ ନଭେମ୍ବର ୨୯ ତାରିଖରେ ଆୟୋଜିତ ହେବାକୁ ଥିବା ୨-ଦିନିଆ ତୃତୀୟ ସୋଆ ସାହିତ୍ୟ ଉତ୍ସବର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଏହି ପ୍ରଖ୍ୟାତ ସାହିତ୍ୟ ସାଧକଙ୍କୁ ସମ୍ମାନିତ କରାଯିବ । ସୋଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରତିଷ୍ଠିତ ସୋଆ ସାହିତ୍ୟ ସମ୍ମାନ ଦେଶରେ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯିବ । ବିଶିଷ୍ଟ ଲେଖକ, କବି ଓ ଚିନ୍ତକ ଯେଉଁମାନଙ୍କର ଏହି କ୍ଷେତ୍ରରେ ଉତ୍କର୍ଷତା, ସୃଜନଶୀଳତା ଓ ବୌଦ୍ଧିକ ଗଭୀରତା ରହିଛି ସେମାନଙ୍କୁ ସମ୍ମାନିତ କରିବା ହିଁ ସୋଆ ସାହିତ୍ୟ ସମ୍ମାନର ବିନମ୍ର ଉଦ୍ଦେଶ୍ୟ ।
ଏହି ସମ୍ମାନ ଗ୍ରହଣ କରିବା ନିମନ୍ତେ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱର ପହଂଚି ଛନ୍ତି ଜାଭେଦ ଅଖତର । ସମ୍ମାନ ଗ୍ରହଣ କରିବା ନେଇ ଜାଭେଦ ଅଖତର ନିଜେ ଏକ ଭିଡ଼ିଓ ବାର୍ତା ମାଧ୍ୟମରେ ସୂଚନା ଦେଇ ଥିଲେ । ଅଖତର ଏକାଧାରରେ ଜଣେ ସଂଳାପ ଲେଖକ, ଗୀତିକାର, କବି ଏବଂ ଚିନ୍ତକ । ତାଙ୍କର ଲେଖନୀ ଆଧୁନିକ ଭାରତର ଭାବପ୍ରବଣ ଓ ସାଂସ୍କୃତିକ ଦୃଶ୍ୟପଟ୍ଟକୁ ସମୃଦ୍ଧ କରିଆସିଛି । ଜଣେ ଉଚ୍ଚକୋଟୀର ଗୀତିକାର ଭାବେ ତାଙ୍କର କୃତି ଭାରତୀୟ ସିନେମାକୁ ଆହୁରି ସମୃଦ୍ଧ କରିଛି ।
ବିଶିଷ୍ଟ ଊର୍ଦ୍ଦୁ କବି ଓ ସଂଳାପ ଲେଖକ ଜାନ ନିସାର ଅଖତର ଏବଂ ଶିକ୍ଷୟତ୍ରୀ ଓ ଲେଖିକା ସାଫିଆ ଅଖତରଙ୍କ ସୁପୁତ୍ର ଜାଭେଦ ଅଖତରଙ୍କ ସାତ ପିଢ଼ି ସାହିତ୍ୟ ସାଧନାରେ ଜଡ଼ିତ ରହିଥିବାର ସୂଚନା ରହିଛି । ପାଂଚ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ୧୫ ଥର ଫିଲ୍ମଫେୟାର ପୁରସ୍କାରରେ ସମ୍ମାନିତ ଅଖତରଙ୍କୁ ୧୯୯୯ ମସିହାରେ ପଦ୍ମଶ୍ରୀ, ୨୦୦୭ରେ ପଦ୍ମ ଭୁଷଣ ଓ ୨୦୧୪ରେ ସାହିତ୍ୟ ଅକାଦେମୀ ସମ୍ମାନରେ ସମ୍ମାନିତ କରାଯାଇଛି । ତାଙ୍କର କବିତା ସଂକଳନ ‘ତର୍କଷ’ ଓ ‘ଲାଭା’ ଆଧୁନିକ ହିନ୍ଦୀ ସାହିତ୍ୟରେ ସର୍ବାଦୃତ ପୁସ୍ତକ ଭାବେ ପରିଗଣିତ ହେବା ସହ ବିଭିନ୍ନ ଭାରତୀୟ ଏବଂ ବିଦେଶୀ ଭାଷାରେ ମଧ୍ୟ ଅନୁବାଦ କରାଯାଇଛି । ଭାରତୀୟ ସିନେମାର ଶବ୍ଦର ଯାଦୁକର ଭାବେ ପରିଚିତ ଜାଭେଦ ଅଖତରଙ୍କ ସାହିତ୍ୟ କୃତି ଯୁବପିଢ଼ିଙ୍କୁ ଉତ୍ସାହ ପ୍ରଦାନ କରି ଆସିଛି ।

