୧୦୦ ଦିନ ବଦଳରେ ମିଳିବ ୧୨୫ ଦିନର କାମ
କେନ୍ଦ୍ର ସରକାର ସଂସଦରେ ଆଣିବେ ନୂଆ ବିଲ୍
ନୂଆଦିଲ୍ଲୀ,: ଗ୍ରାମୀଣ ରୋଜଗାର ନୀତିରେ କେନ୍ଦ୍ର ସରକାର ବଡ଼ ଧରଣର ପରିବର୍ତ୍ତନ କରିବାକୁ ଯାଉଛନ୍ତି । ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଆଇନ ବା (ମନରେଗା)ର ନା ବଦଳିବ । ଏହା ବଦଳରେ ଆଉ ଗୋଟିଏ ନୂଆ ଗ୍ରାମୀଣ ନିଯୁକ୍ତି ଯୋଜନା କେନ୍ଦ୍ର ସରକାର ଲାଗୁ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଏମଜିନରେଗା ବା ମନରେଗା ଯୋଜନା ବଦଳରେ ଆଉ ଗୋଟିଏ ସ୍କିମ ଲାଗୁ କରିବା ପାଇଁ ସରକାର ଶୀତ ଅଧିବେଶନରେ ବିଲ ଆଗତ କରିବେ । ଏହାର ନାଁ ରହିଛି ‘ବିକଶିତ ଭାରତ ଜି ରାମ ଜି’ । ଏହି ନୂଆ ନାଁ ଆସିବା ପରେ ମନରେଗାରୁ ମହାତ୍ମା ଗାନ୍ଧୀଙ୍କ ନାଁ ହଟିଯିବ । ଯାହାକୁ ବିରୋଧୀ କଂଗ୍ରେସ ବିରୋଧ କରିଛି ।
ବିଲ୍ର ପ୍ରସ୍ତାବ ଅନୁସାରେ, ସରକାର ୨୦୦୫ର ମନରେଗା ଆଇନକୁ ବାତିଲ କରି ତା ସ୍ଥାନରେ ସରକାର ଆଣିଥିବା ନୂଆ ବିଲର ନାଁ ହେଉଛି ‘ ବିକଶିତ ଭାରତ ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିଶନ୍ (ଗ୍ରାମୀଣ) ବିଲ୍ ୨୦୨୫ । ବିଲ୍ କପି ସୋମବାର ଲୋକସଭାର ସାଂସଦଙ୍କୁ ସର୍କୁଲେଟ୍ କରାଯାଇଛି । ଏହାର ଉଦେଶ୍ୟ ଗ୍ରାମୀଣ ରୋଜଗାର ବ୍ୟବସ୍ଥାକୁ ନୂଆ ଭାବରେ ପରିଭାଷିତ କରିବା । ଏହାକୁ ‘ଭିବି ଜି ରାମ ଜି’ ମଧ୍ୟ କୁହାଯାଉଛି । ଏହି ବିଲକୁ ସଂସଦର ଉଭୟ ସଦନରେ ପାରିତ କରିବାକୁ କେନ୍ଦ୍ର ସରକାର ଯୋଜନା ରଖିଛନ୍ତି । ଏଥିପାଇଁ ବିଜେପି ପକ୍ଷରୁ ସମସ୍ତ ସାଂସଦକୁ ଗୃହରେ ଉପସ୍ଥିତ ରହିବାକୁ ହ୍ୱିପ ଜାରି କରାଯାଇଛି । ସରକାରଙ୍କ କହିବା କଥା ଯେ ନୂଆ ବିଲ୍ରେ ବିକଶିତ ଭାରତ ୨୦୪୭ ଭିଜନକୁ ପୂରଣ କରିବା ପାଇଁ ସବୁ ପ୍ରକାରର ବ୍ୟବସ୍ଥା ହୋଇଛି ।
ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟ ଆଇନ ୨୦୦୫କୁ ପ୍ରଥମେ କଂଗ୍ରେସ କ୍ଷମତାସୀନ ୟୁପିଏ ସରକାର ଲଞ୍ଚ କରିଥିଲେ । ଏହା ନରେଗା ନାଁରେ ପ୍ରଥମେ ପରିଚିତ ଥିଲେ । ପରବର୍ତ୍ତୀ ଅବସ୍ଥାରେ ଏହା ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟୀ ଆଇନ ବା ‘ଏମଜିନରେଗା’ ବା ‘ମନରେଗା’ ନାଁକୁ ପରିବର୍ତ୍ତନ କରାଯାଇଥିଲା । ଏହା ହେଉଛି ଦୁନିଆର ସବୁଠାରୁ ବଡ଼ ରୋଜଗାର ଗ୍ୟାରେଣ୍ଟି କାର୍ଯ୍ୟକ୍ରମ । ୨୦୨୨-୨୩ ପର୍ଯ୍ୟନ୍ତ ଏହା ଅନୁସାରେ, ୧୫.୪ କୋଟି ସକ୍ରିୟ ଶ୍ରମିକ ପଞ୍ଜିକୃତ ଥିଲେ । ଏହା ବିଶେଷ ଭାବରେ ଗ୍ରାମୀଣ ଅଞ୍ଚଳର ମହିଳାଙ୍କୁ ସଶକ୍ତିକରଣ କରିଛି । ଏହାର ସବୁଠାରୁ ବଡ ବିଶେଷ୍ୱତ ଥିଲା ଗ୍ରାମୀଣ ବୟସ୍କଙ୍କୁ କାମ ମାଗିବାର ୧୫ ଦିନ ଭିତରେ ରୋଜଗାର ଦେବା ଆଇନଗତ ଗ୍ୟାରେଣ୍ଟି ଦିଏ । ଯଦି ଏଭଳି ନହୁଏ ତେବେ ବେରୋଜଗାର ଭତ୍ତା ଦେବାର ମଧ୍ୟ ନିୟମ ରହିଛି ।
ଏହା ଅନୁସାରେ, ୧୦୦ ଦିନର କର୍ମନିଯୁକ୍ତି ମିଳୁଥିଲା । ତେବେ କେନ୍ଦ୍ର ସରକାର ‘ଭିବି ଜି ରାମ ଜି’ ମାଧ୍ୟମରେ ୧୨୫ ଦିନର କାମ ଦେବାର ପ୍ରସ୍ତାବ ଦେଇଛନ୍ତି । ନୂଆ ଯୋଜନାର ପ୍ରସ୍ତାବରେ କାମ ପୁରା ହେବାର ୭ ରୁ ୧୫ ଦିନ ଭିତରେ ମଜୁରୀ ଦେବା ବାଧ୍ୟତାମୂଳକ । ବିଳମ୍ବ ହେଲେ ବେରୋଜଗାରୀ ଭତ୍ତା ଦେବାର ମଧ୍ୟ ନିୟମ ରହିଛି । ପ୍ରସ୍ତାବ ଅନୁସାରେ, କାର୍ଯ୍ୟକୁ ଚାରୋଟି ମୁଖ୍ୟ ବର୍ଗରେ ବଣ୍ଟାଯିବ । ଜଳ ସୁରକ୍ଷା, ଗ୍ରାମୀଣ ଭିତ୍ତିଭୂମି, ଜୀବିକା ଭିତ୍ତିଭୂମି ଓ ବିପର୍ଯ୍ୟୟ ପ୍ରଶମନ ଭଳି ୪ଟି ବର୍ଗରେ ଲୋକଙ୍କୁ କାମ ମିଳିବ । ‘ଭିବି ଜି ରାମ ଜି’ ଯୋଜନାରେ କୁହାଯାଇଛି ଯେ କେନ୍ଦ୍ର ଓ ଅଧିକାଂଶ ରାଜ୍ୟ ସରକାର ୬୦:୪୦ ଅନୁପାତରେ ଖର୍ଚ୍ଚ ବହନ କରିବେ । ଉତ୍ତରପୂର୍ବ ଓ ହିମାଳୟୀ ରାଜ୍ୟରେ ଏହା ୯୦: ୧୦ ଅନୁପାତ ରହିବ । କେନ୍ଦ୍ର ଶାସିତ ଅଞ୍ଚଳରେ ଏହା ୧୦୦% ରହିବ ବୋଲି ଜଣାପଡିଛି । ବାର୍ଷିକ ୧.୫୧ ଲକ୍ଷ କୋଟି ଖର୍ଚ୍ଚ ମଧ୍ୟରୁ କେନ୍ଦ୍ର ସରକାର ୯୫,୬୯୨ କୋଟି ଟଙ୍କାର ଅନୁଦାନ ଦେବେ ।
ଏହାକୁ କଂଗ୍ରେସ ସହ ବାମ ଦଳ ପକ୍ଷରୁ ବିରୋଧ କରାଯାଇଛି । କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ମହାତ୍ମା ଗାନ୍ଧୀ ନା କେବଳ ଦେଶ ବଂର ବିଶ୍ୱରେ ସବୁଠାରୁ ମହାନ ନେତା ଭାବେ ପରିଚିତ । ତେଣୁ ତାଙ୍କ ନାଁ ହଟିବା ପଛର ଉଦେଶ୍ୟ ବୁଝି ପାରୁନି । ଏଥିପାଇଁ ଟଙ୍କା ଓ ସମୟ ଉଭୟ ନଷ୍ଟ ହେବ । ସିପିଆଇଏମ୍ ମହାସଚିବ ଏମ୍ଏ ବେବି ଏହାକୁ ତଥ୍ୟ ଲୁଚାଇବାର ଚେଷ୍ଟା ବୋଲି କହିଛନ୍ତି । ସେ କହିଛନ୍ତି, ମନରେଗାର ପୁନଃଗଠନକୁ ନେଇ କେନ୍ଦ୍ର ସରକାର କେବଳ ଲୋକ ଦେଖାଣିଆ କାମ କରୁଛନ୍ତି । ଏହା ଦ୍ୱାରା ତଥ୍ୟକୁ ଲୁଚଇବାର ଚେଷ୍ଟା କରାଯାଉଛି ।ଏହା ଦ୍ୱାରା ଗ୍ରାମୀଣ ସଙ୍କଟ ଆହୁରି ବଢିଯିବ ।

