୨୮ରୁ ଅଖିଳ ଭାରତ ବୀମା କର୍ମଚାରୀ ସଂଘର ସାଧାରଣ ସମ୍ମିଳନୀ

Reporterspen

ଆମର ଗୌରବମୟ ଯାତ୍ରାର ଏକ ମାଇଲ୍ ଖୁଣ୍ଟ
ଭୁବନେଶ୍ୱର (ରିପୋର୍ଟର୍ସ ପେନ୍‌): ଅଖିଳ ଭାରତ ବୀମା କର୍ମଚାରୀ ସଂଘ (AIIEA) ର ପ୍ଲାଟିନମ୍ ଜୁବଲି ବର୍ଷ ୨୭ତମ ସାଧାରଣ ସମ୍ମିଳନୀ ୨୮ ଡିସେମ୍ବର ୨୦୨୫ ରୁ ୧ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ସମ୍ମିଳନୀରେ ସମଗ୍ର ଦେଶରୁ ପ୍ରାୟ ୨୦୦୦ ପ୍ରତିନିଧି ଓ ଦର୍ଶକ ଯୋଗ ଦେବେ । ଏମାନଙ୍କ ମଧ୍ୟରୁ ଉଲ୍ଲେଖନୀୟ ସଂଖ୍ୟାରେ ମହିଳା ପ୍ରତିନିଧି ଓ ଦର୍ଶକ ମଧ୍ୟ ଯୋଗ ଦେବେ । ଏହି ସମ୍ମିଳନୀକୁ ଆତିଥ୍ୟ ପ୍ରଦାନ କରୁଛନ୍ତି ECZIEAe ଭୁବନେଶ୍ୱର ଡିଭିଜନାଲ ୟୁନିଟ୍ ଏବଂ ଓଡି଼ଶାରେ ଜୀବନ ବୀମା ଓ ସାଧାରଣ ବୀମା ଶିଳ୍ପର ଅନ୍ୟ ସମସ୍ତ ୟୁନିଟ୍ ।

ସମ୍ମିଳନୀକୁ ସବୁମନ୍ତେ ସଫଳ କରିବା ପାଇଁ ଗଠିତ ହୋଇଛି ଏକ ବ୍ୟାପକ ଅଭ୍ୟର୍ଥନା କମିଟି । ବରିଷ୍ଠ ସାମ୍ବାଦିକ ତଥା ନୀତି ବିଶ୍ଳେଷକ ରାଜେଶ ମହାପାତ୍ର ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଅଛନ୍ତି । ବିଶ୍ୱ ବିଖ୍ୟାତ ଅର୍ଥନୀତିଜ୍ଞ ସାମାଜିକ ଚିନ୍ତାବିଦ୍ ପ୍ରଫେସର୍ ପ୍ରଭାତ ପଟ୍ଟନାୟକ ଆସନ୍ତାକାଲି ସଂଧ୍ୟା ୫ଟାରେ ଏହି ସମ୍ମିଳନୀକୁ ଉଦଘାଟନ କରିବେ । ସି.ଆଇ.ଟି.ୟୁର ସାଧାରଣ ସଂପାଦକ ତପନ ସେନ୍ ଏଥିରେ ସମ୍ମାନୀତ ବକ୍ତା ଭାବେ ଯୋଗ ଦେବେ । ସେଥି ସହିତ କେନ୍ଦ୍ର ସରକାରୀ, ରାଜ୍ୟ ସରକାରୀ, ବ୍ୟାଙ୍କ ଓ ବୀମା କର୍ମଚାରୀ ସଂଗଠନର ତୁଙ୍ଗ ନେତୃବୃନ୍ଦ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

AIIEA ପ୍ଲାଟିନମ୍ ଜୁବଲି ବର୍ଷରେ ଅନୁଷ୍ଠିତ ହେଉଥିବା ଏହି ଐତିହାସିକ ସମ୍ମିଳନୀର ଗୁରୁତ୍ୱ ବହୁ ଅଧିକ । କାରଣ ଏହା ଅନୁଷ୍ଠିତ ହେଉଛି ଏପରି ଏକ ପୃଷ୍ଠଭୂମିରେ ଯେତେବେଳେ ଶ୍ରମିକ ଶ୍ରେଣୀ ଆନ୍ଦୋଳନ ଅଦ୍ଭୁତପୂର୍ବ ଆନ୍ତର୍ଜାତୀୟ ଓ ଜାତୀୟ ଚ୍ୟାଲେଞ୍ଜର ସମ୍ମୁଖୀନ । ବୀମା ଶିଳ୍ପ ଉପରେ ଆକ୍ରମଣ ବଢ଼ି ଚାଲିଛି । ବୀମା କ୍ଷେତ୍ରରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିର ସୀମାକୁ ୭୪ରୁ ୧୦୦ ପ୍ରତିଶତକୁ ବଢ଼ାଇ ଦିଆଯାଇଛି । ଏହା ଫଳରେ ଆମ ଦେଶର ଆଭ୍ୟନ୍ତରୀଣ ସଂଚୟ ଉପରେ ବିଦେଶୀ ପୁଞ୍ଜିର ନିୟନ୍ତ୍ରଣ ଓ କବ୍ଚାବୃଦ୍ଧି ପାଇବ । ସଂସଦର ଦୁଇଟି ଯାକ ସଦନରେ ଗୃହୀତ ବୀମା ଆଇନ୍ (ସଂଶୋଧନ) ବିଧେୟକ ୨୦୨୫ରେ ବିଦେଶୀ ପୁନଃ ବୀମା (Reinsurance) କମ୍ପାନୀମାନଙ୍କ ପାଇଁ ସର୍ବନିମ୍ନ ମୂଳ ପୁଞ୍ଜିକୁ ୫୦୦୦ କୋଟି ଟଙ୍କାରୁ ୧୦୦୦ କୋଟି ଟଙ୍କାକୁ କମେଇ ଦିଆଯାଇଛି । ଏହି ଦୁଇଟି ପ୍ରସ୍ତାବ ସହିତ ରହିଛି, ଏଲଆଇସିରେ ସରକାରଙ୍କର ଅଂଶଧନ (Security)କୁ ଆହୁରି କମାଇବା, ବୀମା କମ୍ପାନୀ ପ୍ରତିଷ୍ଠା ପାଇଁ ଆବଶ୍ୟକ ସର୍ବନିମ୍ନ ପୁଞ୍ଜିକୁ କମାଇବା, ସଲଭେନ୍ସି ମାର୍ଜିନ୍ (ସମ୍ଭାବ୍ୟ ବ୍ୟୟ ପାଇଁ ଆବଶ୍ୟକ ଜମା ପୁଞ୍ଜିର ଅନୁପାତ) କମାଇବା ଏବଂ ସଂସଦକୁ ଅଣଦେଖା କରି ବୀମା ନିୟନ୍ତ୍ରଣ (IRDAI) କୁ ଅଧିକ କ୍ଷମତା ପ୍ରଦାନ କରିବା ।

ଏହା ଫଳରେ ରାଷ୍ଟ୍ରାୟ ବୀମା କ୍ଷେତ୍ର ଜାତୀୟକରଣର ପୂର୍ବ ସମୟକୁ ଚାଲିଯିବାର ଆଶଙ୍କା ସୃଷ୍ଟି ହୋଇଛି । ରାଷ୍ଟ୍ରାୟ ସାଧାରଣ ବୀମା କ୍ଷେତ୍ରର ଘରୋଇକରଣରୁ ବିପଦ ଆସନ୍ନପ୍ରାୟ । ଅଥଚ କୌଣସି କାରଣ ନଥାଇ ରାଷ୍ଟ୍ରାୟ ସାଧାରଣ ବୀମା କମ୍ପାନୀ ଗୁଡିକର ମିଶ୍ରଣର ଦୀର୍ଘ ଦିନର ଦାବୀ ଶୀତଳ ଭଣ୍ଡାରରେ ପଡିରହିଛି । ମଜୁରୀ ସଂଶୋଧନ, ପାରିବାରିକ ପେନସନ୍ ହାର ୩୦%କୁ ବୃଦ୍ଧି କରିବା ଓ NPS କର୍ମଚାରୀଙ୍କ କ୍ଷେତ୍ରରେ କର୍ତ୍ତୃପକ୍ଷଙ୍କ ଦେୟ ୧୦ % ରୁ ୧୪% କୁ ବଢ଼ାଇବା ପାଇଁ ସରକାର-କର୍ତ୍ତୃପକ୍ଷ ରାଜି ହେବା ସତ୍ତ୍ୱେ ବିଜ୍ଞପ୍ତି ପ୍ରକାଶନରେ ଅହେତୁକ ବିଳମ୍ବ ଘଟି ଚାଲିଛି ।

୨୭ ତମ ସାଧାରଣ ସମ୍ମିଳନୀ ନିଶ୍ଚିତ ଭାବେ ଏସବୁ ସମସ୍ୟା ଉପରେ ବିଚାର ବିମର୍ଶ କରିବ ଏବଂ ରାଷ୍ଟ୍ରାୟତ୍ତବୀମା ଶିଳ୍ପ ତଥା ସାଧାରଣ ଦେଶବାସୀଙ୍କର ସ୍ୱାର୍ଥର ସୁରକ୍ଷା ପାଇଁ ଯଥାଯଥ ଆନ୍ଦୋଳନର କାର୍ଯ୍ୟକ୍ରମ ସ୍ଥିର କରିବ । LICରେ ତୃତୀୟ ଓ ୪ର୍ଥ ଶ୍ରେଣୀ ପଦରେ ନୂତନ ନିଯୁକ୍ତିର ସମସ୍ୟା ଦୀର୍ଘ ଦିନ ଧରି ପଡି ରହିଛି । LICରେ ସାମୂହିକ ଭାବେ କର୍ମଚାରୀ ସଂଖ୍ୟା ଭୟଙ୍କର ଭାବରେ ହ୍ରାସ ପାଇ ଚାଲିଛି । ୩ୟ ଓ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ କ୍ଷେତ୍ରରେ ଏହି ସଂଖ୍ୟା ହ୍ରାସ ଅଧିକ ଭୟଙ୍କର । ୩୧ ମାର୍ଚ୍ଚ ୧୯୯୫ ରୁ ୩୧ ମାର୍ଚ୍ଚ ୨୦୦୪ ମଧ୍ୟରେ LICରେ ପଲିସି ସଂଖ୍ୟା ବୃଦ୍ଧି ଘଟିଛି ୪୧୦% ଅଥଚ ଏହି ସମୟ ମଧ୍ୟରେ ୩ୟ ଓ ୪ର୍ଥ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ଘଟିଛି ବିରାଟ ୪୯% । LICରେ ୩ୟ ଓ ୪ର୍ଥ ଶ୍ରେଣୀ ପଦବୀରେ ନୂତନ ନିଯୁକ୍ତି ଦାବି ଉପରେ ଆନ୍ଦୋଳନ ଅଭିଯାନକୁ ପ୍ରଖର କରିବା ପାଇଁ ସମ୍ମିଳନୀ ନିଶ୍ଚିତ ଭାବେ ଯଥାଯଥ ନିଷ୍ପତି ନେବ । AIIEA ଜାଣିଛି ଯେ ନୂତନ ନିଯୁକ୍ତି ପାଇଁ ଆମର ସଂଗ୍ରାମକୁ ବେକାରୀ ଓ ନିଯୁକ୍ତି ବିହୀନ ଅଭିବୃଦ୍ଧି ବିରୁଦ୍ଧରେ ଶ୍ରମିକ ଶ୍ରେଣୀର ବ୍ୟାପକ ସଂଗ୍ରାମ ସହ ଯୋଡିବାକୁ ହେବ ।

ସମ୍ମିଳନୀ ନିଶ୍ଚତ ଭାବରେ ଦେଶରେ ଗମ୍ଭୀର ଅର୍ଥନୈତିକ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବ । ଅଭିବୃଦ୍ଧି ଘଟୁଛି ବୋଲି ସରାକାରୀ ଦାବି ଓ ପ୍ରଚାର ସତ୍ତ୍ୱେ ବେକାରୀ, ବିଶେଷତଃ ଯୁବ ସମ୍ପ୍ରଦାୟ ମଧ୍ୟରେ ବେକାରୀ ଭୟଙ୍କର ରୂପ ନେଇଛି । ମଜୁରୀ ସ୍ଥାଣୁ ରହିଛି, ବୈଷମ୍ୟ ବ୍ୟାପକ ହୋଇଚାଲିଛି ଏବଂ ଚାକିରିର ଅସ୍ଥାୟୀକରଣ ବଢି ଚାଲିଛି । ସ୍ୱାସ୍ଥ୍ୟ ସେବା ଓ ଶିକ୍ଷା କ୍ଷେତ୍ରରେ ସରକାରୀ ବିନିଯୋଗ ଆଦୌ ପର୍ଯାପ୍ତ ନୁହେଁ । ଅଥଚ ସୁଷ୍ଟିମେୟ କର୍ପୋରେଟ ମାନଙ୍କ ହାତରେ ସଂପଦ ଓ ଅର୍ଥନୈତିକ କ୍ଷମତା ଅଧିକରୁ ଅଧିକ ଠୁଳିଭୂତ ହେବାରେ ଲାଗିଛି । ଘରୋଇକରଣ ଓ ଠିକାକରଣ ଫଳରେ ଚାକିରୀ ନିରାପତ୍ତା ଓ ସାମାଜିକ ସୁରକ୍ଷା ବିପନ୍ନ ହେବାରେ ଲାଗିଛି । ଦୀର୍ଘ ବର୍ଷର ସଂଗ୍ରାମ ଫଳରେ ଅର୍ଜିତ ସୁବିଧା ସୁଯୋଗ ବିପନ୍ନ ହେବାରେ ଲାଗିଛି ।

ଏପରି ଏକ ଘଡି ସନ୍ଧି ମୁହୂର୍ତ୍ତରେ AIIEAର ସୁନିଶ୍ଚିତ ମତ ହେଉଛି ଯେ ଚାରିଟା ଶ୍ରମ କୋଡ ସହରାଂଚଳର ଶ୍ରମିକଙ୍କ ଉପରେ ଏବଂ ମନରେଗା ଯୋଜନା ବାତିଲ ହେବା ଫଳରେ ଗ୍ରାମାଂଚଳର ଶ୍ରମିକଙ୍କ ଉପରେ ଚରମ ଆକ୍ରମଣ ହାଣିଛି । ସଂଖ୍ୟା ଗରିଷ୍ଠତାବାଦୀ ରାଜନୀତିର ଉଦବେଗଜନକ ବୃଦ୍ଧି, ଭିନ୍ନମତ ଉପରେ ଆକ୍ରମଣ, ସମାଜର ବିଭାଜନ, ସଙ୍ଘୀୟତାବାଦ ଉପରେ ଆକ୍ରମଣ, ଗଣତାନ୍ତ୍ରିକ ପଶ୍ଚାତଗମନ ଏବଂ ସ୍ୱାଧୀନ ପ୍ରତିଷ୍ଠାନ ଗୁଡିକରେ ଅବମୂଲ୍ୟାୟନ ଆଦି ବିଷୟ ମଧ୍ୟ ସମ୍ମିଳନୀରେ ଆଲୋଚିତ ହେବ । ଆମର ଦୃଢ ଆଶା ଓ ବିଶ୍ୱାସ, ମନ୍ଦିର ନଗରୀ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଥିବା AIIEAର ପ୍ଲାଟିନମ ଜୁବିଲି ବର୍ଷ ୨୭ ତମ ସାଧାରଣ ସମ୍ମିଳନୀ ଆମର ବିଗତ ୭୪ ବର୍ଷର ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ ହେବ ।


Reporterspen