ଟି-୨୦ ବିଶ୍ୱକପ୍‌ରେ ଏଥର ୪୦ ଭାରତୀୟ ବଂଶୋଦ୍ଭବ ଭାଗନେବେ

Reporterspen

ନୂଆଦିଲ୍ଲୀ, ୦୩।୦୨: ଭାରତୀୟ ଦଳରୁ ଖେଳିବା ପାଇଁ ସବୁ ଖେଳାଳିଙ୍କ ସ୍ୱପ୍ନ ଥାଏ। ସମସ୍ତଙ୍କ ଜୀବନରେ ଏହି ସ୍ୱପ୍ନ ସାକାର କରିବା ସମ୍ଭବ ହୋଇପାରେ ନାହିଁ, ଭାଗ୍ୟରେ ଜୁଟେ ବି ନାହିଁ। କ୍ରମେ ଭାରତ ବିଶ୍ୱ କ୍ରିକେଟ୍‌ର ଅନ୍ୟତମ ମହାଶକ୍ତି ହେବା ଫଳରେ ଏହି ସୁଯୋଗ ବି ସୀମିତ ଓ ସଙ୍କୁଚିତ ହୋଇଚାଲିଛି। ଫଳରେ ଏବେ ବିଶ୍ୱବ୍ୟାପୀ କ୍ରିକେଟ୍‌ ଖେଳିବା ଆରମ୍ଭ କରିଛନ୍ତି ଭାରତୀୟ ବଂଶୋଦ୍ଭବ। କେବଳ ଖେଳୁଛନ୍ତି ନୁହେଁ, ଅନ୍ୟ ଦେଶର ପ୍ରତିନିଧିତ୍ୱ ସହ ବିଶ୍ୱକପ୍‌ ସ୍ୱପ୍ନ ବି ସାକାର କରିଚାଲିଛନ୍ତି।

ଏକ ସଦ୍ୟତମ ସଂଖ୍ୟା କିନ୍ତୁ ସମସ୍ତଙ୍କୁ ଚକମାଇ ଦେଇଛି। ଫେବ୍ରୁଆରି ୭ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଆଇସିସି ଟ୍‌ବେଣ୍ଟି-୨୦ ବିଶ୍ୱକପ୍‌ରେ ଜଣେ ଦୁଇ ଜଣ ନୁହେଁ ୪୦ ଜଣ ଭାରତୀୟ ବଂଶୋଦ୍ଭବ ଖେଳାଳି ଅଂଶଗ୍ରହଣ କରିିବାକୁ ଯାଉଛନ୍ତି। ଭାରତ ଓ ଶ୍ରୀଲଙ୍କାରେ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଟ୍‌ବେଣ୍ଟି-୨୦ ବିଶ୍ୱକପ୍‌ରେ ଏଥର ୨୦ ଦଳ ଅଂଶଗ୍ରହଣ କରୁଛନ୍ତି। ମୋନାକ ପଟେଲ୍‌, ସୌରଭ ନେତ୍ରଭାଲକର, ଯଶପ୍ରୀତ୍‌ ସିଂହ, ଆର୍ଯ୍ୟନ ଦତ୍ତଙ୍କ ଭଳି ଭାରତୀୟ ନାମ ରହିଛି ଅନ୍ୟ ଦଳରେ। ୨୦ ଦଳରେ ମୋଟ ୪୦ ଭାରତୀୟ ବଂଶୋଦ୍ଭବ କ୍ରିକେଟର୍‌ ଅଛନ୍ତି।

ଏହି ସଂସ୍କରଣକୁ ପ୍ରବାସୀ ଭାରତୀୟଙ୍କ ବିଶ୍ୱକପ୍‌ ବି କହିଲେ ଅତ୍ୟୁକ୍ତି ହେବ ନାହିଁ। ସର୍ବାଧିକ ୧୧ ଜଣ ବିଦେଶୀ ଭାରତୀୟ ରହିଛନ୍ତି କାନାଡା ଦଳରେ। ଦ୍ୱିତୀୟ ସର୍ବାଧିକ ୯ ଜଣ ଅଛନ୍ତି ଆମେରିକା ଦଳରେ। ସେହିଭଳି ୭ ଜଣ ଭାରତୀୟ ବଂଶୋଦ୍ଭବ ପ୍ରତିନିଧିତ୍ୱ କରିବେ ସଂଯୁକ୍ତ ଆରବ୍‌ ଏମିରେଟ୍‌ରସ (ୟୁଏଇ)ର। ଗୁଜରାଟ ପାଇଁ ୧୯ ବର୍ଷରୁ କମ୍‌ ଦଳରେ ଖେଳିଥିବା ୩୨ ବର୍ଷୀୟ ମୋନାକ ପଟେଲ୍‌ ଭାରତରେ ସୁଯୋଗ ନପାଇବା ବିଶ୍ୱାସରେ ପରିବାରକୁ ପିଛା କରି ଆମେରିକା ପଳାଇଥିଲେ। ଏବେ ସେ ଆମେରିକା ବିଶ୍ୱକପ୍‌ ଦଳର ୱିକେଟରକ୍ଷକ ବ୍ୟାଟର୍‌ ଭାବେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ୨୦୧୯ ମସିହାରେ ଅନ୍ତର୍ଜାତୀୟ ପଦାର୍ପଣ ପରଠାରୁ ସେ ଆମେରିକାର ପ୍ରତିନିଧିତ୍ୱ କରି ଆସୁଛନ୍ତି। ଇଟାଲି ପ୍ରଥମ ଥର ପଦାର୍ପଣ କରିବାକୁ ଯାଉଥିବାବେଳେ ଫଗୱାରା ଜନ୍ମିତ ଦ୍ରୁତ ବୋଲର ଯଶପ୍ରୀତ୍‌ ସିଂହ ଅଛନ୍ତି ଏହି ଦଳରେ। ଏକଦା ଆମେରିକାରେ ଉବେର ଚଳାଇ ଜୀବନ ନିର୍ବାହ କରୁଥିବା ଯଶପ୍ରୀତ୍‌ ଏବେ ବିଶ୍ୱକପ୍‌ ସ୍ୱପ୍ନ ପୂରଣ କରିବାକୁ ଯାଉଛନ୍ତି।

ଗତ ଟି-୨୦ ବିଶ୍ୱକପ୍‌ରେ ଖେଳିଥିବା ଆମେରିକା ଦଳର ବାମହାତୀ ସ୍ପିନର୍‌ ନେତ୍ରଭାଲକର ନିଜର ଦୁଇ ଆଦର୍ଶ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ୱିକେଟ୍‌ ବି ଦଖଲ କରିଥିଲେ। ସଫ୍ଟୱେର୍‌ ପ୍ରଫେସନାଲ୍‌ ନେତ୍ରଭାଲକରଙ୍କ ଭଳି ଅଧିକାଂଶ ଖେଳାଳି ମଧ୍ୟ ସୌଖୀନ କ୍ରିକେଟର୍‌। ପସନ୍ଦ ଓ ପେସାକୁ ଏମାନେ ସଫଳତାର ସୂତ୍ର କରିପାରିଛନ୍ତି। ୨୦୨୩ ବିଶ୍ୱକପ୍‌ରେ ଖେଳିଥିବା ନେଦରଲାଣ୍ଡ୍‌ସ ଦଳର ଅଫସ୍ପିନର୍‌ ଆର୍ଯ୍ୟନ ଦତ୍ତ ବି ଆସିଛନ୍ତି। ସୁଯୋଗ ପାଇଲେ ପରିବାରକୁ ଦେଖିବାକୁ ଯିବି ବୋଲି ସେ କହିଛନ୍ତି। ଖେଳାଳିଙ୍କ ଛଡା ପୂର୍ବତନ ମୁମ୍ବାଇ କ୍ରିକେଟର୍‌ ସୁଲକ୍ଷଣ କୁଲକର୍ଣ୍ଣି ଏବେ ଓମାନ ଜାତୀୟ ଦଳର ସହକାରୀ ପ୍ରଶିକ୍ଷକ ଅଛନ୍ତି।


Reporterspen