ରାଜ୍ୟରେ ବର୍ଷକୁ ମରୁଛନ୍ତି ୮୧ ହାତୀ

Reporterspen

ଭୁବନେଶ୍ଵର, (ରିପୋର୍ଟର୍ସ ପେନ୍‌): ରାଜ୍ୟରେ ଗତ ଦେଢ଼ବର୍ଷ (୨୦୨୪-୨୫, ୨୦୨୫-୨୬ ସେପ୍ଟେମ୍ବର ମାସ ସୁଦ୍ଧା) ମଧ୍ୟରେ ୧୧୪ ହାତୀ ପ୍ରାଣହରାଇଛନ୍ତି । ଶିକାରୀଙ୍କ ଦ୍ୱାରା ୬ଟି, ବିଦ୍ୟୁତ ଆଘାତରେ ୪୨, ରେଳ ଦୁର୍ଘଟଣାରେ ୪, ବିଭିନ୍ନ ରୋଗଦ୍ୱାରା ୨୯, ପ୍ରାକୃତିକ କାରଣ ଦ୍ୱାରା ୧୭, ଲୋକଙ୍କ ପ୍ରତିଶୋଧ ପରାୟଣ ପାଇଁ ୩ଟି ଏବଂ ଅନ୍ୟାନ୍ୟ ଦୁର୍ଘଟଣା ଯଥା-ପାହାଡ଼ରୁ ପଡ଼ି, ନଦୀନାଳରେ ପଡ଼ି, ନିଜଭିତରେ ଲଢ଼େଇ ଇତ୍ୟାଦି ଦ୍ୱାରା ୧୩ ହାତୀଙ୍କ ମୃତ୍ୟୁ ଘଟିଥିବା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ ବିଧାନସଭାରେ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଏହି ସୂଚନା ଦେଇଛନ୍ତି ।

୧୯୯୦ରୁ ୨୦୦୦, ୧୦ ବର୍ଷ ଭିତରେ ବର୍ଷକୁ ହାରାହାରି ୩୩ଟି ହାତୀ ମରୁଥିଲେ । ସେହିପରି ୨୦୦୦ରୁ ୨୦୧୦ ମସିହା ଭିତରେ ହାରାହାରି ବର୍ଷକୁ ୪୬ଟି ହାତୀ, ୨୦୧୦ରୁ ୨୦୨୦ ମସିହା ମଧ୍ୟରେ ବର୍ଷକୁ ହାରାହାରି ୭୮ଟି ହାତୀ ପ୍ରାଣହରାଉ ଥିଲେ । ତେବେ ଗତ ୪ ବର୍ଷ ହେଲା ବର୍ଷକୁ ପ୍ରାୟ ୮୧ ହାତୀଙ୍କ ମୃତ୍ୟୁ ଘଟୁଛି ବୋଲି ୨୦୨୫ ଫେବ୍ରୁଆରୀରେ ବିଧାନସଭାରେ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ତଥ୍ୟ ରଖିଥିଲେ । ତେଣୁ ରାଜ୍ୟରେ ହାତୀ ମୃତ୍ୟହାର ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଇଛି ।

୨୦୨୬ ଜାନୁଆରୀରେ ରାଜ୍ୟରେ ମରିଛନ୍ତି ୯ ହାତୀ । ଜାନୁଆରୀ ୨ରେ ବଲାଙ୍ଗୀର ଟିଟିଲାଗଡ଼ରେ ଏକ ମାଈ ହାତୀର ମୃତଦେହ ଉଦ୍ଧାର ହୋଇଥିବା ବେଳେ ୫ରେ କନ୍ଧମାଳ ରାଇଘର ରେଞ୍ଜରେ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଥିଲା । ୧୩ରେ ବଣାଇରୁ ଛୁଆ ହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଥିବା ବେଳେ ସେହିଦିନ ଅନୁଗୋଳ ଆଠମଲ୍ଲିକରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଥିଲା । ୧୪ରେ କଟକ ନରସିଂହପୁରରୁ ମାଈ ହାତୀର ମୃତଦେହ ଉଦ୍ଧାର ହୋଇଥିବା ସେହିଦିନ ଶିମିଳିପାଳ ଠାକୁରମୁଣ୍ଡାରୁ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଥିଲା । ୧୬ରେ ଅନୁଗୋଳ ବନ୍ତଳାରେ ପାଟିରେ ବୋମା ବିସ୍ଫୋରଣ ଯୋଗୁଁ ଉଦ୍ଧାର ହାତୀର କପିଳାସରେ ମୃତ୍ୟୁ ଘଟିଥିଲା । ୧୭ରେ ଢେଙ୍କାନାଳ ହିନ୍ଦୋଳରେ ଛୁଆ ହାତୀର ମୃତଦେହ ଉଦ୍ଧାର ହୋଇଥିଲା । ସେହିପରି ଜାନୁଆରୀ ୨୭ରେ କଣ୍ଟାବାଞ୍ଜିରୁ ଏକ ମାଈ ହାତୀର ମୃତଦେହ ଉଦ୍ଧାର ହୋଇଥିଲା ।


Reporterspen