ଭୁବନେଶ୍ୱର (ରିପୋର୍ଟର୍ସ ପେନ୍): ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହୋଇଥିବା ଅଭିଯୋଗର ୯୧% ସମାଧାନ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ୧୩,୩୫୮ଟି ଅଭିଯୋଗ ଆସିଛି । ଯେଉଁଥିରୁ ୧୨, ୪୩୨ ଅଭିଯୋଗର ସମାଧାନ ହୋଇ ସାରିଛି ବୋଲି ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ସ୍ଥାନରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତର ରଖି ତଥ୍ୟ ଦେଇଛନ୍ତି ।
ଆଇନ ମନ୍ତ୍ରୀ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ମୋଟ୍ ୧୩,୩୫୮ଟି ଅଭିଯୋଗ ଆସିଛି । ଯେଉଁଥିରୁ ୧୨, ୪୩୨ ଅଭିଯୋଗର ସମାଧାନ ହୋଇ ସାରିଛି । ଜିଲ୍ଲା, ଉପଖଣ୍ଡ ଓ ତହସିଲ ସ୍ତରରେ ବି ପ୍ରତି ସୋମବାର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଚାଲୁଛି । ମୁଖ୍ୟ ଶାସନ ସଚିବ ଓ ବିଭିନ୍ନ ନିର୍ଦ୍ଦେଶାଳୟ ସହ ଅନଲାଇନ ପୋର୍ଟାଲ ମାଧ୍ୟମରେ ବି ଅଭିଯୋଗ ରେଜିଷ୍ଟ୍ରେସନ କରାଯାଉଛି ।
ପୂର୍ବରୁ ୨୦୦୮ରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିଥିଲେ ବି ପୂର୍ବ ସରକାର ସମୟରେ ଏହା ହେଉ ନ ଥିଲା ।
ଆଇନ ମନ୍ତ୍ରୀ ଆହୁରି କହିଛନ୍ତି, ୧୪ ଲକ୍ଷ ୪୧ ହଜାର ୮୩୨ଟି ଅଭିଯୋଗ ଜନଶୁଣାଣି ପୋର୍ଟାଲରେ ରେଜିଷ୍ଟ୍ରେସନ ହୋଇଛି । ଏଥିରୁ ୧୩ ଲକ୍ଷ ୭ ହଜାର ୨୫୩ଟି ଅଭିଯୋଗର ସମାଧାନ ହୋଇଛି । ବାକି ଥିବା ୧ ଲକ୍ଷ ୩୪ ହଜାର ୫୭୯ଟି ଅଭିଯୋଗ ମଧ୍ୟରୁ ଅଧିକାଂଶ ଜଟିଳ ଅଛି । ଏହାର ସମାଧାନ ପାଇଁ ବିଭିନ୍ନ ଦିଗ ଉପରେ ବିଚାର ଚାଲିଛି ।
ପୂର୍ବରୁ ଅଫିସର ରାଜ ଚାଲୁଥିବାରୁ ଗ୍ରାଉଣ୍ଡ ସ୍ତରରେ ବ୍ଲକକୁ ଆସୁଥିବା ଲୋକଙ୍କ ଅଭିଯୋଗ ସମାଧାନ ହେଉ ନ ଥିଲା । ତେଣୁ ସେଗୁଡିକ ସମାଧାନ ପାଇଁ କଣ ପଦକ୍ଷେପ ନିଆ ଯାଇଛି ଓ କିଛି ସମୟ ସୀମା ନିର୍ଦ୍ଧାରିତ ଅଛି କି ବୋଲି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପ୍ରଶ୍ନ କରିଥିଲେ । ଆଇନ୍ ମନ୍ତ୍ରୀ ଯାହାର ଉତ୍ତର ରଖିଛନ୍ତି ।

