Odisha News : ଯନ୍ତ୍ରୀଙ୍କ ବଦଳି ବାତିଲ କରିବାକୁ ମୋଟାଅଙ୍କର ଅର୍ଥ କାରବାର!

Reporterspen

Odisha News: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ନିକଟରେ ରାଜ୍ୟ ସରକାର ଯନ୍ତ୍ରୀସ୍ତରରେ ଏକ ବଡ ଧରଣର ଅଦଳବଦଳ କରିଛନ୍ତି । କନିଷ୍ଠ ଯନ୍ତ୍ରୀ ୧୩୯, ସହକାରୀ ଯନ୍ତ୍ରୀ ଏବଂ ଏଷ୍ଟିମେଟର ୬୪ ଜଣଙ୍କୁ ଜିଲ୍ଲା ବାହାରକୁ ବଦଳି କରାଯାଇଛି । ଏହି ନିର୍ଦ୍ଦେଶନାମା ପ୍ରକାଶ ପାଇବା ପରେ କେତେକ ଯନ୍ତ୍ରୀ ବଦଳି ବାତିଲ କରିବାକୁ ବଡ ଅଫିସରଙ୍କ କବାଟ ଠକ୍ ଠକ୍ କରିବା ଆରମ୍ଭ କରିଛନ୍ତି । ଏପରି ଭୁବନେଶ୍ୱରର କେତେକ ଯନ୍ତ୍ରୀ ବଦଳି ବାତିଲ କରିବାକୁ ଜଣେ ବଡ ଅଫିସରଙ୍କୁ ମୋଟାଅଙ୍କର ଅର୍ଥ ଦେବାର ମୋହ ଦେଖାଇଥିବା ଜଣାପଡିଛି ।

ରାଜ୍ୟର ଅଧିକାଂଶ ଜିଲ୍ଲାରେ କନିଷ୍ଠ ଯନ୍ତ୍ରୀମାନେ ଦୀର୍ଘଦିନ ଧରି ଗୋଟିଏ ଜାଗାରେ ଗାଦି ମାଡି ବସି ଲାଞ୍ଚଖୋର ମନୋଭାବ ରଖୁଥିବା ନେଇ ଅଭିଯୋଗ ହୋଇଆସୁଥିଲା । ଏଭଳି ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ଏହାର ତର୍ଜମା କରି ଚଳିତମାସ ୫ ତାରିଖରେ କନିଷ୍ଠ ଓ ସହକାରୀ ଯନ୍ତ୍ରୀସ୍ତରରେ ଏକ ବଡଧରଣର ଅଦଳବଦଳ କରିଥିଲେ । ଏଥିରେ ମୋଟ ୨୦୩ ଜଣ ଯନ୍ତ୍ରୀଙ୍କୁ ବଦଳି କରାଯାଇଥିବା ବେଳେ ଭୁବନେଶ୍ୱରରେ କାର୍ଯ୍ୟରତ ଥିବା ୧୧ଜଣଙ୍କୁ ଜିଲ୍ଲା ବାହାରକୁ ବିଦା କରାଯାଇଛି ।

ଏହି ବଦଳି ନିର୍ଦ୍ଦେଶନାମା ପ୍ରକାଶ ପାଇବା ପରେ ଭୁବନେଶ୍ୱରରେ ଦୀର୍ଘଦିନ ଧରି ଗାଦି ମାଡି ବସିଥିବା ଯନ୍ତ୍ରୀଙ୍କ ବ୍ଲଡପ୍ରେସର ବଢିଯାଇଥିଲା । ଗୋଟିଏ ଜାଗାରେ ଦୀର୍ଘଦିନ ଧରି ରହି ମନମାନି କରୁଥିବା ଏହି ଯନ୍ତ୍ରୀମାନେ ନୂଆ ଜାଗାକୁ ଯିବାକୁ କଥା ଭାବି ଚିନ୍ତାରେ ପଡିଯାଇଛନ୍ତି । ଏନେଇ ବଦଳି ହୋଇଥିବା ଯନ୍ତ୍ରୀମାନେ ଏକ ଗୁପ୍ତ ବୈଠକ କରିଥିଲେ । ଦୀର୍ଘଦିନ ଧରି ଭୁବନେଶ୍ୱରରେ ପତିଆରା ଜାହିର କରୁଥିବା ଜଣେ କରିତକର୍ମା ଯନ୍ତ୍ରୀ ବୈଠକର ନେତୃତ୍ୱ ନେଇ ବଦଳି ବାତିଲ ଲାଗି ଜଣେ ବଡଅଫିସରଙ୍କୁ ଭେଟିଛନ୍ତି । ସେହି ବଡ ଅଫିସର ଜଣଙ୍କୁ ପ୍ରଥମେ ସରକାରଙ୍କ ନୂଆ ଯୋଜନାକୁ ବାସ୍ତବରୂପ ଦେବାକୁ ହେଲେ ପୁରୁଣା ଅଫିସରଙ୍କର ଆବଶ୍ୟକ ବୋଲି ବୁଝାଇଥିଲେ । ପରେ ବଦଳି ବାତିଲ ହେଲେ କୋଟିଏ ଟଙ୍କା ଦେବାକୁ ମଧ୍ୟ ଲୋଭ ଦେଖାଇଛନ୍ତି ।

ସଂପୃକ୍ତ ବଡ ଅଫିସର ଜଣକ ବିଭାଗୀୟ ମୁଖ୍ୟସଚିବଙ୍କୁ ଅବଗତ କରି ବଦଳି ରୋକିବା ସମ୍ପର୍କରେ ଜଣାଇକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । ବିଭାଗରେ ନୂଆ ସଚିବା ଦାୟିତ୍ୱ ନେଇଥିବାରୁ ତାଙ୍କୁ ବୁଝାଇବା ସହଜ ହେବ ବୋଲି ବଡଅଫିସର ଜଣକ ଯନ୍ତ୍ରୀମାନଙ୍କୁ ଆଶ୍ୱାସନା ଦେଇଛନ୍ତି । ତେବେ ଦେଖାଯାଉ, ବିଭାଗୀୟ ମନ୍ତ୍ରୀ ଓ ନୂଆ ସଚିବ ଏମାନଙ୍କ ସୁପାରିଶକୁ କେତେଦୂର ଗ୍ରହଣ କରୁଛନ୍ତି?

ଅପରପକ୍ଷରେ କେହି ବଦଳି ଓ ବାତିଲ କରିବା ନେଇ ଚାପ କିମ୍ବା ସୁପାରିଶ ନକରିବାକୁ କିଛିଦିନ ତଳେ ମୁଖ୍ୟସଚିବ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ । ଏପରିକି ଯଦି କେହି ଚାପ ପକାନ୍ତି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ କହିଥିଲେ । ତେବେ ଏହି ଯନ୍ତ୍ରୀଙ୍କ କ୍ଷେତ୍ରରେ ଏହା କେତେ ଫଳପ୍ରଦ ହେବ, ତାହା ଦେଖିବାକୁ ବାକି ରହିଲା ।


Reporterspen
!-- afp header code starts here -->