cholera spreading: ହଇଜା ବ୍ୟାପୁଛି : ଢାବା ସହ ଫାଷ୍ଟଫୁଡ୍ ଦେକାନ ବନ୍ଦ

Reporterspen

cholera spreading: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : କଟକ SCBରେ ଆଉ ଜଣେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ମୃତ୍ୟୁ ସ୍ପଷ୍ଟ କରିଛନ୍ତି ହସ୍ପିଟାଲ୍‌ କର୍ତ୍ତୃପକ୍ଷ । ମୃତକ ଜଣଙ୍କ ଯାଜପୁର ସୁକିନ୍ଦା ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ଅବସ୍ଥା ଗୁରୁତର ହେବାରୁ ରୋଗୀଙ୍କୁ ଯାଜପୁରରୁ କଟକ ଅଣାଯାଇଥିଲା ।

କଟକ ଚୌଦ୍ବାରେ ଝାଡ଼ାବାନ୍ତିରେ ୧୫ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ସଫା ପଞ୍ଚାୟତ ସୁଆଁରି ଗାଁରେ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି । କଟକ ବଡ଼ ମେଡିକାଲ୍‌ ଓ ଘରୋଇ ହସ୍ପିଟାଲ୍‌ରେ ଆକ୍ରାନ୍ତଙ୍କୁ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଗାଁରେ ପହଞ୍ଚି ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନତା କରାଯାଉଛି ।

ଅନ୍ୟପଟେ, ସ୍ବାସ୍ଥ୍ୟ ବିଭାଗ ସହ ୧୪ ଜଣିଆ କେନ୍ଦ୍ରୀୟ ଟିମ୍‌ର ଆଲୋଚନା କରିବା ପରେ ଯାଜପୁରରେ କଲେରା ବ୍ୟାପିଥିବା ସ୍ପଷ୍ଟ କରିଛନ୍ତି । କେସ୍‌ ଲୋଡ୍‌କୁ ଅନୁଧ୍ୟାନ କରାଯାଉଛି ଡାଇରିଆ ମାମଲା ବି ଅଛି ତେଣୁ ଆମେ ରାଜ୍ୟ ସରକାରଙ୍କୁ ପ୍ରତିକାରମୂଳକ ପଦକ୍ଷେପ ସୁପାରିସ କରିଛୁ ବୋଲି ଟିମ୍ କହିଛନ୍ତି । ଏହାସହ ଏକଥା ମଧ୍ୟ କୁହାଯାଇଛି ଯେ, ଭିବ୍ରିଓ କଲେରା ବ୍ୟାକ୍ଟେରିଆ ଓ ଅନ୍ୟ କିଛି କାରଣରୁ ବ୍ୟାପୁଛି ଏହା ପାଣ୍ଡେମିକ୍ ନୁହଁ, ଏହା ଏବେ ଏଣ୍ଡେମିକ୍ ଷ୍ଟେଜ୍‌ରେ ହିଁ ରହିଛି । ଟିକେ ଅଧିକ ବ୍ୟାପିଛି ତେଣୁ ସ୍ବଚ୍ଛତା ନେଇ ପରାମର୍ଶ ଦିଆଯାଇଛି । ଆମେ ପୁଣି ଗ୍ରାଉଣ୍ଡକୁ ଯିବୁ ଏବଂ କେଉଁ ଜିଲ୍ଲାକୁ ଯିବୁ ତାହା ଖୁବ୍‌ଶୀଘ୍ର ସ୍ଥିର ହେବ ବୋଲି ଟିମ୍ କହିଛନ୍ତି । ଯାଜପୁର ଜିଲ୍ଲାପାଳ କାର୍ଯ୍ୟାଳୟରେ ସ୍ୱାସ୍ଥ୍ୟ ସଚିବ ଏକ ସମୀକ୍ଷା ବୈଠକ କରିଛନ୍ତି । ବୈଠକରେ ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ଅଧିକାରୀ ସାମିଲ ଥିଲେ ।

ବ୍ୟାପୁଥିବା ହଇଜାକୁ ଦୃଷ୍ଟିରେ ରଖି ଯାଜପୁରର ଅନେକ ସ୍ଥାନରେ ଫାଷ୍ଟଫୁଡ୍‌ ଦାକାନ ଏବଂ ଢାବାଗୁଡିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାଜପୁର ବ୍ୟାସନଗର ଅଞ୍ଚଳରେ ଫାଷ୍ଟଫୁଡ୍‌ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି । ଚାଟ୍, ଗୁପ୍‌ଚୁପ୍‌, ଜଳଖିଆ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯିବା ସହ ହୋଟେଲ୍‌ଗୁଡ଼ିକୁ ସ୍ବଚ୍ଛତା ରଖିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି ।

ସେହିପରି ଯାଜପୁର ବିଞ୍ଝାରପୁରରେ ମଧ୍ୟ ସମସ୍ତ ଢାବା ଓ ଫାଷ୍ଟଫୁଡ୍‌ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଚାଟ୍, ଗୁପ୍‌ଚୁପ୍‌, ଆଇସ୍‌କ୍ରିମ୍ ଫ୍ୟାକ୍ଟ୍ରି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପାଣି ପାଉଚ୍, ମାଛ, ଚିକେନ୍, ମଟନ୍ ଦୋକାନ ମଧ୍ୟ ବନ୍ଦ ରହିବ । ୨ ସପ୍ତାହ ପାଇଁ ବନ୍ଦ ରଖିବାକୁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି ।

ରାଜ୍ୟରେ ଡାଇରିଆ ନିରାକରଣ ପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ସଂଯୁକ୍ତା ସାହୁ । ଏହି ଅଭିଯାନ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଲୋକଙ୍କୁ ORS ଓ ଜିଙ୍କ୍‌ ଯୋଗାଇବାକୁ ସବସେଣ୍ଟରକୁ ଦିଆଯାଇଛି । ଯାଜପୁର ଜିଲ୍ଲାରେ ମୃତ ରୋଗୀଙ୍କ ନମୂନାରୁ କଲେରା ଭୂତାଣୁ ମିଳିଛି । ଘାତକ ଭାରିଆଣ୍ଟ ଭିବ୍ରିଓ କଲେରା ଚିହ୍ନଟ ହୋଇଛି ବୋଲି ସଂଯୁକ୍ତା ସାହୁ ସୂଚନା ଦେଇଛନ୍ତି ।

ଯାଜପୁରରେ ବ୍ୟାପୁଥିବା ହଇଜାକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ବରରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ରେଡ୍ ଆରମ୍ଭ ହୋଇଛି । ଝାଡ଼ାବାନ୍ତି ବ୍ୟାପୁଥିବାରୁ ସମ୍ ହସ୍ପିଟାଲ୍ ନିକଟ ବିଭିନ୍ନ ଦୋକାନରେ ବିଏମସି ଓ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି। ବିଭିନ୍ନ ସ୍ଥାନରେ ଥିବା ହୋଟେଲ ଏବଂ ଉଠାଦୋକାନୀ ଗୁଡିକରେ ଖାଦ୍ୟର ଗୁଣବତ୍ତା ଯାଞ୍ଚ କରାଯାଇଛି ।

ସ୍କୁଲ ଖୋଲିବାର ପ୍ରଥମ ଦିନରୁ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ତାଗିଦ୍ କରି ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି । ଗଚ୍ଛିତ ଥିବା ମଧ୍ୟାହ୍ନ ଭୋଜନ ସାମଗ୍ରୀର ସଠିକ୍ ମାନ ଯାଞ୍ଚ କରିବାକୁ ନିର୍ଦ୍ଦେଶ ହୋଇଛି । ପ୍ରଧାନ ଶିକ୍ଷକ, SMCଙ୍କ ଉପସ୍ଥିତିରେ CRCC ଓ BEO ଯାଞ୍ଚ କରାଇବେ । ଏଥିସହ ରୋଷଶାଳାକୁ ସମ୍ପୂର୍ଣ୍ଣ ପରିଷ୍କାର ଓ ବିଶୁଦ୍ଧିକରଣ ପାଇଁ ନିର୍ଦ୍ଦେଶ ରହିଛି । DEO, BEO, CRCC ନିରବଚ୍ଛିନ୍ନ କ୍ଷେତ୍ର ପରିଦର୍ଶନ କରି ଯାଞ୍ଚ କରିବେ ଏବଂ ସବୁ ବିଦ୍ୟାଳୟରେ ଫୁଡ୍‌ ଟେଷ୍ଟିଂ ରେଜିଷ୍ଟର୍ ରହିବ । ଅଭିଭାବକ ବିଶେଷ କରି ମା’ମାନେ ମଧ୍ୟ ଖାଦ୍ୟ ଯାଞ୍ଚ କରିପାରିବେ ବୋଲି କୁହାଯାଇଛି ।


Reporterspen
!-- afp header code starts here -->