commissionrate Police: ଭୁବନେଶ୍ୱର (ରିପୋଟର୍ସ ପେନ୍) : ମହିଳାଙ୍କ ସୁରକ୍ଷାକୁ ସହକାର ଶୂନ୍ୟ ସହନଶୀଳତା ଭାବେ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ବେଳେ କମିଶନରେଟ ପୋଲିସ ପାତର-ଅନ୍ତର ନୀତି ଅବଲମ୍ବନ କରୁଥିବା ଅଭିଯୋଗ ହେଉଛି । କେତେକ କ୍ଷେତ୍ରରେ ପୋଲିସ ମହିଳାଙ୍କ ଏତଲାକୁ ଗ୍ରହଣ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉଥିବା ବେଳେ ଆଉ କେତେକ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରୁଛି । ଇତିଶ ପ୍ରଧାନଙ୍କ ବିରୋଧରେ ମାମଲା ରୁଜୁ ହେବାର ଏକମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ତାଙ୍କୁ ଘଣ୍ଟ ଘୋଡାଇବା ସଦୃଶ୍ୟ ହୋଇଛି ବୋଲି ଅଭିଯୋଗକାରିଣୀ କହିଛନ୍ତି । ଯାହା ଏବେ ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ସୂଚନା ଅନୁସାରେ, ଜୁଲାଇ ୧୫ ତାରିଖ ଦିନ ବନଜା ଜେନା ଇତିଶଙ୍କ ନାଁରେ ଲକ୍ଷ୍ମୀସାଗର ଥାନାରେ ଏତଲା ଦାୟର କରିଥିଲେ । ପୋଲିସ ଉକ୍ତ ଏତଲାକୁ ଭିତି କରି କେସ୍ ନମ୍ବର ୩୭୬ ଦଫା ୨୯୪, ୨୯୬, ୭୯, ୩୫୬(୨), ୩୫୨, ୩୦୮(୨), ୩(୫)ରେ ମାମଲା ରୁଜୁ କରିଥିଲା । ମାତ୍ର ଏତଲାକୁ ଏକ ମାସ ବିତି ଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ବରଂ ତାଙ୍କୁ ଖୋଲା ବୁଲିବାକୁ ଛାଡି ଦେଇଛି ।
ଇତି ମଧ୍ୟରେ ଅର୍ଥାତ ଅଗଷ୍ଟ ୧୪ ତାରିଖ ହାଇକୋର୍ଟରେ ଇତିଶଙ୍କର ଆଗୁଆ ଜାମିନ ଆବେଦନର ଶୁଣାଣୀ କରାଯାଇଥିଲା । ବିଚାରପତି ଭି. ନରସିଂହଙ୍କ ଖଣ୍ଡପୀଠ ମାମଲାର ଶୁଣାଣୀ କରି ଏହାକୁ ଖାରଜ କରିଦେଇଛନ୍ତି । ପରେ ଆଦେନକାରୀଙ୍କ ଓକିଲ ଦରଖାସ୍ତକୁ ଫେରାଇ ନେଇଛନ୍ତି । ତେବେ ହାଇକୋର୍ଟ ଜାମିନ ଆବେଦନକୁ ଖାରଜ କରିବା ପରେ ପୋଲିସ କି କାର୍ଯ୍ୟାନୁଷ୍ଠାନ ନେଉଛି, ତାହା ଉପରେ ନଜର ରହିଛି ।
ଉଲ୍ଲେଖଥାଉ କି, ସାରା ରାଜ୍ୟରେ ନାରୀ ନିର୍ଯାତନା ବଢୁଥିବା ବେଳେ ସରକାର ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି । ମହିଳାଙ୍କ ଏତଲାକୁ ଗ୍ରହଣ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଖୋଦ ରାଜଧାନୀ ଭୁବନେଶ୍ୱରରେ ଜଣେ ମହିଳାଙ୍କ ଏତଲାକୁ ଏତେ ହାଲକା ଭାବେ ଗ୍ରହଣ କରିବା ପଛରେ କି ଉର୍ଦ୍ଦେଶ୍ୟ ରହିଛି, ତାହାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।