ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର ଅଶୋକ ମହାପାତ୍ରଙ୍କ ପରଲୋକ

Reporterspen

ଭୁବନେଶ୍ୱର, (ରିପୋର୍ଟର୍ସ ପେନ): ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ରଙ୍କର ସୋମବାର ରାତିରେ ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା।

ଦେଶର ଅନ୍ୟତମ ପ୍ରତିଷ୍ଠିତ ସ୍ନାୟୁଶଲ୍ୟ ବିଶେଷଜ୍ଞ ଭାବେ ସୁପରିଚିତ ପ୍ରଫେସର ମହାପାତ୍ର ଗ୍ଲିଓବ୍ଲାଷ୍ଟୋମା ନାମକ ଏକ ଜଟିଳ ମସ୍ତିଷ୍କ କର୍କଟ ରୋଗରେ ପୀଡ଼ିତ ଥିଲେ। ଗତ ସେପ୍ଟେମ୍ବର ୨୭ ତାରିଖରେ ତାଙ୍କୁ ଦିଲ୍ଲୀ ଏମ୍ସକୁ ନିଆଯାଇଥିଲା ଏବଂ ଅକ୍ଟୋବର ୫ ତାରିଖରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ଓ ଏକମାତ୍ର କନ୍ୟା ଉପସ୍ଥିତ ଥିଲେ।

ପ୍ରଫେସର ମହାପାତ୍ର ନୂଆଦିଲ୍ଲୀ ଏମ୍ସର ସ୍ନାୟୁଶଲ୍ୟ ବିଭାଗର ମୁଖ୍ୟ ଭାବେ ଦୀର୍ଘଦିନ ଧରି ଦାୟିତ୍ୱ ତୁଲାଇଥିଲେ। ପରବର୍ତ୍ତୀ ସମୟରେ ସେ ଲକ୍ଷ୍ନୌସ୍ଥିତ ସଞ୍ଜୟ ଗାନ୍ଧୀ ସ୍ନାତକୋତ୍ତର ଆୟୁର୍ବିଜ୍ଞାନ ସଂସ୍ଥାନ (ଏସ୍‌ଜିପିଜିଆଇଏମ୍‌ଏସ୍‌)ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ।

ଓଡ଼ିଶାରେ ଉନ୍ନତ ଚିକିତ୍ସା ସେବା ଓ ଡାକ୍ତରୀ ଶିକ୍ଷାର ବିକାଶ ଦିଗରେ ତାଙ୍କର ଅବଦାନ ଅବିସ୍ମରଣୀୟ। ଭୁବନେଶ୍ୱରରେ ଏମ୍ସ ପ୍ରତିଷ୍ଠା କ୍ଷେତ୍ରରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ଏବଂ ଏହାର ପ୍ରଥମ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଥିଲେ।

ଅବସର ଗ୍ରହଣ ପରେ ସେ ସୋଆ ଅଧୀନସ୍ଥ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ପରାମର୍ଶଦାତା (ମେଡିକାଲ ସାଇନ୍ସେସ୍) ଭାବେ ଯୋଗ ଦେଇଥିଲେ। ୨୦୨୦ ମସିହାରେ ସେ ସୋଆର କୁଳପତି ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ଦୁଇ ବର୍ଷ ଧରି ଏହି ପଦବୀରେ କାର୍ଯ୍ୟ କରିଥିଲେ। କୁଳପତି ପଦରୁ ଅବ୍ୟାହତି ପରେ ସେ ବିଶ୍ୱବିଦ୍ୟାଳୟର ପ୍ରମୂଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ଭାବେ ନିଜର ମାର୍ଗଦର୍ଶନ ଜାରି ରଖିଥିଲେ।

ସ୍ନାୟୁଶଲ୍ୟ ଚିକିତ୍ସା, ଡାକ୍ତରୀ ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ବିକାଶ କ୍ଷେତ୍ରରେ ତାଙ୍କର ଅସାଧାରଣ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ। ଅନେକ ଯୁବ ଡାକ୍ତର ଓ ସ୍ନାୟୁଶଲ୍ୟ ବିଶେଷଜ୍ଞଙ୍କୁ ସେ ମାର୍ଗଦର୍ଶନ ଦେଇଥିଲେ।
ପ୍ରଫେସର ମହାପାତ୍ରଙ୍କ ମରଶରୀର ମଙ୍ଗଳବାର ଭୁବନେଶ୍ୱରକୁ ଅଣାଯିବ ଏବଂ ଏଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡଃ) ମନୋଜରଞ୍ଜନ ନାୟକ ପ୍ରଫେସର ମହାପାତ୍ରଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରି ଏହାକୁ ଚିକିତ୍ସା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଅଭିହିତ କରିଛନ୍ତି।

ଏକ ଶୋକବାର୍ତ୍ତାରେ ସେ କହିଛନ୍ତି, “ସ୍ନାୟୁଶଲ୍ୟ ଚିକିତ୍ସା କ୍ଷେତ୍ରରେ ପ୍ରଫେସର ମହାପାତ୍ର ଜଣେ ବିଶାଳ ବ୍ୟକ୍ତିତ୍ୱ ଥିଲେ। ତାଙ୍କର ଅସାଧାରଣ ପାଣ୍ଡିତ୍ୟ, ଚିକିତ୍ସା କ୍ଷେତ୍ରରେ ଦକ୍ଷତା ଓ ଦୂରଦୃଷ୍ଟି ଅନେକଙ୍କୁ ପ୍ରେରଣା ଯୋଗାଇଥିଲା। ଅନେକ ନବୀନ ପ୍ରତିଭାଙ୍କୁ ସେ ମାର୍ଗଦର୍ଶନ ଦେଇଥିଲେ। ତାଙ୍କର ଅନୁପସ୍ଥିତି ଚିକିତ୍ସା ଜଗତ ଓ ତାଙ୍କ ସହ ଜଡ଼ିତ ସମସ୍ତଙ୍କ ପାଇଁ ଗଭୀର ଭାବେ ଅନୁଭୂତ ହେବ।”

ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମଧ୍ୟ ପ୍ରଫେସର ମହାପାତ୍ରଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି। ବିଶ୍ୱବିଦ୍ୟାଳୟର ଅଭିବୃଦ୍ଧି ଓ ବିକାଶରେ ତାଙ୍କର ଅମୂଲ୍ୟ ଅବଦାନକୁ ସ୍ମରଣ କରି ସେ କହିଛନ୍ତି ଯେ ପ୍ରଫେସର ମହାପାତ୍ରଙ୍କ ମାର୍ଗଦର୍ଶନ ସୋଆର ଶୈକ୍ଷିକ ଓ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମକୁ ସମୃଦ୍ଧ କରିଥିଲା।


Reporterspen