Bangladeshi Raid: ଜଗତସିଂହପୁରରେ ଚଢ଼ଉ: ମାଟିରେ ମିଶିଲା ସନ୍ଦିଗ୍ଧଙ୍କ ଘର

Reporterspen

Bangladeshi Raid: ଜଗତସିଂହପୁର/ଭୁବନେଶ୍ୱର (ରିପୋର୍ଟର୍ସ ପେନ୍‌): ଜଗତସିଂହପୁର ଜିଲା ସଦର ଥାନା ବେହେରାମପୁର ବସ୍ତିରେ ସନ୍ଦିଗ୍ଧ ବାଂଲାଦେଶୀ ରହିବା ସ୍ଥାନରେ ପୋଲିସର ଚଢ଼ାଉ କରିଛି । ୬ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ପୋଲିସ ଥାନାରେ ଅଟକ ରଖିଥିବା ବେଳେ ୧୦ଜଣରୁ ଅଧିକ ଫେରାର ଅଛନ୍ତି। ଚଢ଼ାଉବେଳେ ଗୋଟିଏ ବନ୍ଧୁକ ଜବତ ହୋଇଥିବା ସୂଚନା ମିଳିଛି । ଏହା ସହିତ ବହୁ ପରିମାଣରେ ଆନ୍ଧ୍ର ଖଣ୍ଡା, କଟୁରୀ ଆଦି ମାରଣାସ୍ତ୍ର ଜବତ ହୋଇଛି । ଘଟଣାସ୍ଥଳରୁ ମୁଖ୍ୟ ଅଭିଯୁକ୍ତ ଘର ମାଲିକ ସିକନ୍ଦର ଆଲାମ ଓରଫ ସିକୁ ଫେରାର ହୋଇଯାଇଛି।

ପୋଲିସ ବିଶେଷ ସୂତ୍ରରୁ ଖବରପାଇ ଚଢ଼ାଉ କରିବା ସମୟରେ ସନ୍ଦିଗ୍ଧ ବାଂଲାଦେଶୀମାନଙ୍କ ସହିତ ପୁଲିସର ଧସ୍ତାଧସ୍ତି ହୋଇଥିଲା । ଏଥିରେ ଆଡିସ୍‌ନାଲ ଏସ୍‌ପିଙ୍କ ସହ ଦୁଇ ୨ କନେଷ୍ଟବଳ ଆହତ ହୋଇଛନ୍ତି । ବସ୍ତିରେ ୩୦ରୁ ଅଧିକ ସନ୍ଦିଗ୍ଧ ବାଂଲାଦେଶୀ ଭଡ଼ା ଘରେ ରହୁଥିବାବେଳେ ବହୁ ଲୋକଙ୍କ ଆଧାର ନଥିବା ଜଣାପଡିଛି । ଘଟଣା ସ୍ଥଳରେ ୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

ପୋଲିସ ଉପରୋକ୍ତ ଦୁଇ ମହିଳାଙ୍କ ସମେତ ଆଉ ଜଣେ ଯୁବକଙ୍କୁ ହେପାଜତ୍‌କୁ ନେଇଛି । ଦୁଇ ମହିଳା ମୁଖ୍ୟ ଅଭିଯୁକ୍ତ ସିକନ୍ଦରଙ୍କ ଭଉଣୀ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ଭାଇ ବୋଲି କୁହାଯାଉଛି । ଏପଟେ ସିକନ୍ଦରଙ୍କ ଆଉ ଜଣେ ଭଉଣୀ ଉଭାନ ହୋଇ ଯାଇଥିବା ଆଲୋଚନା ପରିଧିକୁ ଆସିଛି । ବେରାହିଂପୁରରେ ଥିବା ୯/୧୦ ବଖରା ଘରେ ଏକକାଳୀନ ପୋଲିସ ଟିମ୍ ଚଢଉ କରିଥିଲେ । ସେତେବେଳେ ଏସବୁ ଘର ତାଲା ପଡ଼ିଥିଲା । ତାଲା ଭାଙ୍ଗି ତନଖି ପରେ ଘର ଭିତରୁ ବନ୍ଧୁକ, କଟୁରି, ଶାବଳ, ଫାର୍ସା ଖଣ୍ଡା, ଦାଆ ଆଦି ମିଳିଥିଲା । ଏଣେ କିନ୍ତୁ ଉକ୍ତ ଘରଗୁଡ଼ିକ ପୁରୁଷ ଶୂନ୍ୟ ହୋଇପଡ଼ିଥିଲା । ଅର୍ଥାତ ପୁଲିସ ଚଢ଼ଉର ସୁରାକ ପାଇ ଅନେକ ବାଂଲାଦେଶୀ ଫେରାର ହୋଇଯାଇଥିବା ଅନୁମାନ କରାଯାଉଛି ।

ଏପଟେ ଚଢ଼ଉ ହୋଇଥିବା ଏକ ପ୍ରକୋଷ୍ଠରେ ଜଣେ ଯୁବକଙ୍କ ସନ୍ଧାନ ମିଳିଥିଲା । ସଂପୃକ୍ତ ଯୁବକ କୋଲକାତା ମୁର୍ଶିଦାବାଦର ବାସିନ୍ଦା ଏବଂ ସେଂଟ୍ରିଂ ବ୍ୟବସାୟ କରୁଥିବା କଥା ଗଣମାଧ୍ୟମକୁ କହିଥିଲେ । ନାଜିର ଖାନ୍ ନାମକ ଯୁବକଙ୍କ ସହାୟତାରେ ସେ ଏଠାରେ ଘର ଭଡ଼ା ପାଇଥିବା ଜଣାଇଥିଲେ । ଗତ ୧୦ ତାରିଖରେ ସେ ପତ୍ନୀଙ୍କ ସହ ଏଠାକୁ ଆସିଥିଲେ । କିଛି ବର୍ଷ ହେବ ସେ ଓଡ଼ିଶାକୁ ଆସି ସେଂଟ୍ରିଂ କାମ କରୁଥିଲେ । ପୂର୍ବରୁ ବି ଜଗତସିଂହପୁର କଲେଜ ଛକ, କାଳିଆବୋରା, ସିପି ଛକ ଆଦିରେ ଘରର ସେଂଟ୍ରିଂ କାମ କରିଥିଲେ । ରବିବାର ମଧ୍ୟ ଜୟପୁର କାମ କରିବାକୁ ଯାଇଥିଲେ । ଏଠାରେ ଘର ଭଡ଼ା ନେବା ପୂର୍ବରୁ ସମସ୍ତ ଆନୁସଙ୍ଗିକ କାଗଜପତ୍ର ମୋବାଇଲ ଫୋନ୍ତ୍ରେ ଘର ମାଲିକଙ୍କ ନିକଟକୁ ପଠାଇଥିଲେ । ଅଗ୍ରୀମ ଆକାରରେ କିଛି ଟଙ୍କା ବି ଦେଇଥିବା କହିଥିଲେ । ଅନ୍ୟପଟେ ଦେଖିଲେ ଉକ୍ତ ୯/୧୦ ବଖରା ଘର ସରକାରୀ ଜାଗାରେ ବେଆଇନ ଭାବେ ନିର୍ମାଣ ହୋଇଥିବା କୁହାଯାଉଛି । ଚଢ଼ଉ ବେଳେ ସେଇ ଘରର ଏକ ପ୍ରକୋଷ୍ଠରେ ଆଉ ଏକ ପରିବାର ରହୁଥିବା ଜଣାପଡ଼ିଛି ।

ପୋଲିସ ସୂଚନା ମୁତାବକ, ରବିବାର ସନ୍ଧ୍ୟାରେ କିଛି ସନ୍ଦିଗ୍ଧ ବାଂଲାଦେଶୀ ବେରାହିମପୁରର ଏହି ଘରେ ରହି ସନ୍ଦେହଜନକ କାରବାରରେ ଲିପ୍ତ ଥିବା ଖବର ମିଳିଥିଲା । ତନଖି କରିବା ସମୟରେ ପୁଲିସ ଟିମକୁ ବିରୋଧ ସହ ଆକ୍ରମଣ ହୋଇଥିଲା । ବର୍ତ୍‌ତମାନ ଯେତିକି ବନ୍ଧୁକ, ମାରଣାସ୍ତ୍ର ମିଳିଛି ତାହା କେଉଁ ସୂତ୍ରରୁ ଏବଂ କ’ଣ ପାଇଁ ଗଚ୍ଛିତ ରଖାଯାଇଥିଲା ସେ ଦିଗରେ ତଦନ୍ତ ଜାରି ରଖାଯାଇଛି । ସିକନ୍ଦର ଆଲାମ୍ ପୁଲିସ ପଞ୍ଟାକୁ ଆସିବା ପରେ ଏ ସଂକ୍ରାନ୍ତରେ ଅଧିକ ତଥ୍ୟ ହସ୍ତଗତ ହୋଇପାରିବ । ପୂରା ପ୍ରସ୍ତୁତ ହୋଇ ପୋଲିସ ସେଠାକୁ ଚଢ଼ଉ କରିବାକୁ ଯାଇଥିଲେ । ଘଟଣାସ୍ଥଳରେ ୨/୩ ପ୍ଲାଟୁନ୍ ପୁଲିସ ଫୋର୍ସ ସହ ଅତିରିକ୍ତ ଏସ୍‌?ପି ସତ୍ୟବ୍ରତ ଦାଶ ଓ ଅନ୍ୟ ବହୁ ପୁଲିସ ଅଫିସର ତନାଘନା ଚଳାଇଥିବା ଲକ୍ଷ୍ୟ କରାଯାଇଛି । ତଥାପି ଏହି ଲମ୍ବା ଦାଣ୍ଡି ବିଶିଷ୍ଟ ୯/୧୦ ବଖରା ଘର ପୁରୁଷଶୂନ୍ୟ ହୋଇଯିବା ଆଶ୍ଚର୍ଯ୍ୟର ବିଷୟ ହୋଇଛି । ନିଜେ ସିକନ୍ଦର ଆଲାମ ମଧ୍ୟ ଏଠାରେ ରହୁଥିଲା । ହେଲେ ସେ ବି ପୋଲିସ ଆଖିରେ ଧୂଳିଦେଇ ଛୁ ମାରିଛି । ସିକନ୍ଦର ହିଁ ବାଂଲାଦେଶୀଙ୍କୁ ଏଠାକୁ ଆଣି ମୁଣ୍ଡ ଗୁଞ୍ଜିବା ପାଇଁ ଘର ଯୋଗାଇ ଦେଉଥିବା ପୁଲିସ ପକ୍ଷରୁ ସନ୍ଦେହ କରାଯାଇଛି ।

ନିକଟରେ ଏହି ଅଂଚଳରୁ ବେଆଇନ ମଦ୍ରାସାର ସନ୍ଧାନ ମିଳିଥିଲା । ସେତେବେଳେ ବିହାରର କିଛି ନାବାଳକଙ୍କୁ ଉକ୍ତ ମଦ୍ରାସାରୁ ଉଦ୍ଧାର କରାଯାଇ ଜଗତସିଂହପୁର ଶିଶୁ ଆଶ୍ରମରେ ଥଇଥାନ କରାଯାଇଥିଲା । ବେଆଇନ ମଦ୍ରାସା ସମ୍ବନ୍ଧରେ ପ୍ରଥମେ ଏସ୍ପି ଅଙ୍କିତ କୁମାର ବର୍ମାଙ୍କୁ ସୁରାକ ମିଳିଥିଲା । ଏସ୍ପି ଏ ସମ୍ବନ୍ଧରେ ସିଡବ୍ଲୁସିକୁ ଅବଗତ କରିଥିଲେ । ପରେ ପରେ ସିଡବ୍ଲୁସି ଓ ପୁଲିସ ସହାୟତାରେ ଉକ୍ତ ମଦ୍ରାସାରେ ଚଢ଼ଉ କରାଯାଇ ନାବାଳକଙ୍କୁ ଉଦ୍ଧାର କରାଯାଇଥିଲା । ଅର୍ଥାତ ତରିକୁନ୍ଦର ଆଖପାଖ ଅଂଚଳରେ ବାହାର ରାଜ୍ୟର ସନ୍ଦିଗ୍ଧ ଲୋକଙ୍କ ଆଡ୍ଡା ଜମିଥିବା ସନ୍ଦେହ ଦୃଢ଼ିଭୂତ ହୋଇଛି । ରିପୋର୍ଟ ଲେଖାହେବା ସୁଦ୍ଧା ବେରାହିଂପୁର ତଥା ଅଙ୍କିରାର ଆଉ କିଛି ଘରକୁ ପୁଲିସ ଖାନ୍ତଲାସ ଚଳାଇଛି । କେତେକ ଘର ତାଲା ପଡ଼ିଥିବାରୁ ଭଙ୍ଗା ଯାଉଛି । ମାଛଗାଁ କେନାଲ ପାଶ୍ୱ ର୍ତଥା ଧନିପୁର ଲକ୍ ନିକଟରେ ଏସବୁ ଆଜବେଷ୍ଟସ୍ ଘର ନିର୍ମାଣ ହୋଇଛି । ଜନବସତିଠାରୁ କିଛି ଦୂରରେ ଏହି ଘର ତିଆରି କରାଯାଇଛି । ଏଣୁ ଏଠାରେ ହିଁ ବେଶ ଆରାମରେ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଆଶ୍ରୟ ଦିଆଯାଉଥିବା ଅନୁମାନ । ୪/୫ ବର୍ଷ ତଳୁ ଏସବୁ ଘର ବେନିୟମ ଭାବେ ସରକାରୀ ଜାଗାରେ ନିର୍ମାଣ କରାଯାଇଥିବା ସ୍ଥାନୀୟ କିଛି ବାସିନ୍ଦା ପ୍ରକାଶ କରିଛନ୍ତି।

କେନ୍ଦ୍ରାପଡ଼ାରେ ତନାଘନା, ବ୍ଲକିଂ-ଚେକିଂ ଜୋରଦାର
କେନ୍ଦ୍ରାପଡ଼ା,: ଜଗତସିଂହପୁରରେ ସନ୍ଦିଗ୍ଧ ବାଂଲାଦେଶୀଙ୍କ କାରନାମା ସାମ୍ନାକୁ ଆସିବା ପରେ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ବାଂଲାଦେଶୀଙ୍କୁ ଧରିବା ଲାଗି ଯାଂଚ କରାଯାଉଛି । ପୋଲିସ ବିଭିନ୍ନ ସ୍ଥାନରେ ବ୍ଲକିଂ କରି ଆଧାର କାର୍ଡ ଯାଂଚ କରୁଛି । ବିଭିନ୍ନ ବସରେ ବି ଯାଂଚକୁ କଡ଼ାକଡ଼ି କରାଯାଉଛି । କେନ୍ଦ୍ରାପଡ଼ା ଜିଲ୍ଲାର ଦୁହୁରିଆ, ରାଜନଗର, ପଟ୍ଟାମୁଣ୍ଡାଇ ଓ ମହାକାଳପଡ଼ା ଆଦି ସମେତ ବିଭିନ୍ନ ସ୍ଥାନରେ ଯାଂଚ କରାଯାଉଛି ଏବଂ ଜଗତସିଂହପୁରରୁ ଫେରାର ହୋଇଥିବା ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଧରିବା ଲାଗି ବି ଏଭଳି ଧରପଗଡ଼ କରାଯାଉଥିବା କୁହାଯାଉଛି । ଏଥିସହିତ ଜଳପଥରେ ଅନୁପ୍ରବେଶକାରୀମାନେ କେନ୍ଦ୍ରାପଡା ଓ ଜଗତସିଂପୁରରେ ଲୁଚିଛପି ରହିଥିବା କୁହାଯାଉଛି । କେତେକ ଜାଲ ଆଧାର କାର୍ଡ କରି ଆଧିପତ୍ୟ ଜମାଇଥିବା ଜଣାପଡିବା ପରେ ପୋଲିସ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।


Reporterspen