ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍): ଭାରତୀୟ କ୍ରିକେଟ୍ର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ସାରା ବିଶ୍ୱରେ ଚର୍ଚ୍ଚାରେ। ମାତ୍ର ୧୫ ବର୍ଷ ବୟସରେ ସେ ଏମିତି କିଛି ରେକର୍ଡ କରିଛନ୍ତି, ଯାହା କ୍ରିକେଟ୍ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି। ତାଙ୍କର ନିର୍ଭୀକ ବ୍ୟାଟିଂ ଦେଖି କ୍ରିସ୍ ଗେଲ୍ଙ୍କ ଭଳି ମହାନ ଖେଳାଳି ମଧ୍ୟ ଚକିତ। ଏହି ସମୟରେ ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ୍ ପିଟରସନ୍ ବୈଭବଙ୍କୁ ନେଇ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି।
ପିଟରସନଙ୍କ ମତରେ, ଆଗାମୀ ୫ ବର୍ଷ ମଧ୍ୟରେ ବୈଭବ ଟେଷ୍ଟ କ୍ରିକେଟ୍ର ଗୋଟିଏ ପାଳିରେ ୫୦୦ ରନ୍ କରିବେ। ନିଜର ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ସେ ଲେଖିଛନ୍ତି, ଆଗାମୀ ୫ ବର୍ଷ ମଧ୍ୟରେ ବୈଭବ ଗୋଟିଏ ଟେଷ୍ଟ ମ୍ୟାଚ୍ରେ ୫୦୦ ରନ୍ କରିବେ।
ଉଲ୍ଲେଖଯୋଗ୍ୟ, ଟେଷ୍ଟ କ୍ରିକେଟ୍ ଇତିହାସରେ ଏପର୍ଯ୍ୟନ୍ତ କେବଳ ବ୍ରାଏନ୍ ଲାରା ଗୋଟିଏ ପାଳିରେ ୪୦୦ ରନ୍ କରିବାର ରେକର୍ଡ ହାସଲ କରିଛନ୍ତି। ୨୦୦୪ ମସିହାରେ ଇଂଲଣ୍ଡ ବିପକ୍ଷରେ ସେ ଅପରାଜିତ ୪୦୦ ରନ୍ କରିଥିଲେ। ଏବେ ପିଟରସନଙ୍କ ଭବିଷ୍ୟବାଣୀକୁ ନେଇ କ୍ରିକେଟ୍ ମହଲରେ ଚର୍ଚ୍ଚା ଜୋର୍ ଧରିଛି।
ନିକଟରେ ଏସିଆ କପ୍ ରାଇଜିଂ ଷ୍ଟାର୍ସରେ ୟୁଏଇ ବିପକ୍ଷରେ ବୈଭବ ମାତ୍ର ୫୩ଟି ବଲ୍ରୁ ୨୦୪ ରନ୍ର ଧୂଆଁଧାର ଇନିଂସ ଖେଳିଥିଲେ। ଏହି ପାଳିରେ ସେ ମାତ୍ର ୨୮ଟି ବଲ୍ରେ ଶତକ ପୂରଣ କରିବା ସହ ୨୮ଟି ଛକା ମାରିଥିଲେ। ଏହି ଐତିହାସିକ ଇନିଂସ ପରେ ସେ ନିଜ ସଫଳତା ପଛରେ ପୂର୍ବତନ ଭାରତୀୟ କ୍ରିକେଟର୍ ଯୁବରାଜ ସିଂହଙ୍କ ପରାମର୍ଶର ଭୂମିକା ଥିବା କହିଥିଲେ।
ବିସିସିଆଇ ପକ୍ଷରୁ ମଧ୍ୟ ବୈଭବଙ୍କ ଏକ ସାକ୍ଷାତକାର ଭିଡିଓ ସେୟାର କରାଯାଇଥିଲା। ସେଥିରେ ବୈଭବ କହିଥିଲେ ଯେ, ପୂର୍ବର କିଛି ମ୍ୟାଚ୍ରେ ବଡ଼ ସ୍କୋର କରିପାରୁ ନଥିବାରୁ ସେ ନିରାଶ ହୋଇପଡ଼ିଥିଲେ। ପାକିସ୍ତାନ ବିପକ୍ଷରେ ବିଫଳ ହେବା ପରେ ସେ ଯୁବରାଜ ସିଂହଙ୍କ ସହ ପ୍ରାୟ ଅଧଘଣ୍ଟା ଧରି ଫୋନ୍ରେ କଥା ହୋଇଥିଲେ। ଏହି ସମୟରେ ଯୁବରାଜ ତାଙ୍କ ବ୍ୟାଟିଂରେ ହେଉଥିବା ଭୁଲ୍ଗୁଡ଼ିକ ବିଷୟରେ ବୁଝାଇଥିଲେ। ବୈଭବ ମଧ୍ୟ ସେହି ପରାମର୍ଶକୁ ଗ୍ରହଣ କରି ନିଜ ଖେଳରେ ସୁଧାର ଆଣିଥିଲେ।
ଏବେ ବୈଭବଙ୍କ ଏହି ଅସାଧାରଣ ପ୍ରତିଭା ଓ ଆକ୍ରମଣାତ୍ମକ ବ୍ୟାଟିଂକୁ ଦେଖି ପିଟରସନଙ୍କ ୫୦୦ ରନ୍ର ଭବିଷ୍ୟବାଣୀ କେତେଦୂର ସତ ହେଉଛି, ତାହା ଆଗାମୀ ଦିନରେ ଜଣାପଡ଼ିବ।

