Gundicha Temple: ପୁରୀ/ଭୁବନେଶ୍ୱର (ରିପୋର୍ଟର୍ସ ପେନ୍): ଦୀର୍ଘ ୬ ବର୍ଷ ପରେ ଖୋଲିବ ଗୁଣ୍ଡିଚା ମନ୍ଦିର । ଡିସେମ୍ବର ୧ ତାରିଖରୁ ସର୍ବସାଧାରଣଙ୍କ ପାଇଁ ମନ୍ଦିର ଖୋଲାଯିବ । ଦର୍ଶନ ପାଇଁ କିଭଳି ବ୍ୟବସ୍ଥା ରହିବ ସେନେଇ ଆଲୋଚନା ଚାଲିଛି । କୋଭିଡ୍ ମହାମାରୀ ଠାରୁ ଗୁଣ୍ଡିଚା ମନ୍ଦିର ବନ୍ଦ ରହିଥିଲା ।
ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି । ଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ୱରେ ଥିବା ଜବରଦଖଲ ଉଛେଦ କରାଯାଇଛି । ଟେଣ୍ଡର ନଦେଇ ଶ୍ରୀମନ୍ଦିର ପ୍ରଶାସନ ନିଜେ ଏହାକୁ ପରିଚାଳନା କରିବ । ଦର୍ଶନ ପାଇଁ କିଭଳି ବ୍ୟବସ୍ଥା ରହିବ ସେନେଇ ଆଲୋଚନା ଚାଲିଛି । ଟିକେଟ୍ ଦର୍ଶନ ବ୍ୟବସ୍ଥା ହେବ କି ନାହିଁ ସେନେଇ ପରେ ନିଷ୍ପତ୍ତି ନିଆଯିବ । ଏନେଇ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି ।
ଗୁଣ୍ଡିଚା ମନ୍ଦିର ଦାରୁବ୍ରହ୍ମମାନଙ୍କ ଜନ୍ମସ୍ଥାନ । ଏଠାରେ ରାଜା ଇନ୍ଦ୍ରଦ୍ୟୁମ୍ନ ଶହେ ଅଶ୍ୱମେଧ ଯଜ୍ଞ କରିବା ପରେ ମହାପ୍ରଭୁଙ୍କ ପ୍ରତିଷ୍ଠା କାର୍ଯ୍ୟ କରିଥିଲେ । ଗୁଣ୍ଡିଚା ରାଣୀଙ୍କୁ ଦେଇଥିବା ବରଦାନ ମୁତାବକ ପ୍ରତିବର୍ଷ ଶ୍ରୀଜିଉମାନେ ରଥଯାତ୍ରାରେ ଜନ୍ମସ୍ଥାନକୁ ଆସନ୍ତି । ଆଡପମଣ୍ଡପରେ ଅନ୍ନଦାନ, ଶ୍ରୀଜିଉମାନଙ୍କ ଦର୍ଶନ, ମହାପ୍ରସାଦ ସେବନ ପ୍ରଭୃତି ମୁକ୍ତିଦାୟକ ।
ତେଣୁ କୋଟି କୋଟି ଶ୍ରୀଜଗନ୍ନାଥପ୍ରେମୀଙ୍କ ନିମନ୍ତେ ଏହା ଆସ୍ଥାର କେନ୍ଦ୍ର । ଶ୍ରୀମନ୍ଦିର ଭଳି ଶ୍ରୀଗୁଣ୍ଡିଚା ମନ୍ଦିରରେ ରତ୍ନବେଦି, ବିଶାଳ ରୋଷଘର, ଆନନ୍ଦବଜାର ପ୍ରଭୃତି ରହିଛି । ପୁରାତନ ଏହି ସ୍ଥାନକୁ ଉନ୍ନତୀକରଣ ନିମନ୍ତେ ଅବଢା ଯୋଜନା ଓ ଶ୍ରୀମନ୍ଦିର ପ୍ରଶାସନର ସ୍ୱତନ୍ତ୍ର ବଜେଟରେ ୯୯ କୋଟି ଟଙ୍କା ବ୍ୟୟ ମଂଜୁରୀ ହୋଇଥିଲା । ଉନ୍ନତୀକରଣ ଅଧାରେ ଅଟକାଇ ଦିଆଗଲା । ଏବେ ପ୍ରାୟ ୩୨ କୋଟି ୭ ଲକ୍ଷ ଟଙ୍କା ବ୍ୟୟରେ ଶ୍ରୀଗୁଣ୍ଡିଚା ମନ୍ଦିରର ପୁନର୍ବିକାଶ କାର୍ଯ୍ୟ ହେଉଛି । ୯ ମାସ ଭିତରେ ଅର୍ଥାତ୍ ମେ’ ୨୦୨୬ ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।
କାମ ନିମନ୍ତେ ଶରଧାବାଲିରେ ବିପୁଳ ସଂଖ୍ୟାରେ ଖଣ୍ଡୋଲାଇଟ୍ ପଥର ରଖାଯାଇଛି । ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ଏକ ବିଶାଳ ଅସ୍ଥାୟୀ କ୍ୟାବିନ୍ ଶ୍ରମିକଙ୍କ ରହଣି ଓ ଠିକାସଂସ୍ଥାର ଅଫିସ ଚଲାଇବା ନିମନ୍ତେ କରାଯାଇଛି । ପ୍ରତିଦିନ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଶ୍ରୀଗୁଣ୍ଡିଚା ମନ୍ଦିର ପରିଭ୍ରମଣ ଉଦ୍ଦେଶ୍ୟରେ ଆସି ନିରାଶରେ ଫେରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଡିସେମ୍ୱର ୧ରେ ଶ୍ରଦ୍ଧାଳୁଙ୍କ ପରିଦର୍ଶନ ନିମନ୍ତେ ଆଡପମଣ୍ଡପ ବା ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବାକୁ ଲକ୍ଷ୍ୟ ରଖିଛି ।

