ଭୁବନେଶ୍ଵର, (ରିପୋର୍ଟର୍ସ ପେନ୍): ଅବୈଧ ଗୋ-ଚାଲଣ ଲିଙ୍କରେ ୫ଟି ଜିଲ୍ଲାରେ ଗୋ ମାଫିଆଙ୍କ ଘରେ ପୋଲିସ୍ ରେଡ୍ କରିଛି। ଯାଜପୁର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର ଓ ଖୋର୍ଦ୍ଧାରେ ଚଢ଼ାଉ କରାଯାଇଛି। ୪୭ଟି ସ୍ଥାନରେ ହୋଇଥିବା ଚଢ଼ାଉରେ ୫ ଜଣ ଡେପୁଟି ଏସପି, ୨୫ ଇନ୍ସପେକ୍ଟର, ୩୬ SI ଓ ASI ସମେତ ବ୍ୟାପକ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି।
ପୁରୁଣାବଜାର ଥାନା ମୁଲ୍ଲାସାହିରେ ଗୋ ମାଫିଆଙ୍କ ଘରେ ଚଢ଼ାଉ ସମୟରେ ଘରୁ ନଗଦ ୭୦ ଲକ୍ଷ ଟଙ୍କା ଜବତ ହୋଇଛି । ଚଢ଼ାଉରେ ସୁନା ଗହଣା ସହ ସପିଂ ମଲ୍ ଠାବ ହୋଇଛି । ଟଙ୍କା ଗଣିବା ମେସିନ ସହ ଅନ୍ୟ ଯନ୍ତ୍ରପାତି ଜବତ କରିଛି ପୋଲିସ । କେନ୍ଦୁଝର ଓ ଭଦ୍ରକ ପୋଲିସର ମିଳିତ ଚଢ଼ାଉ ହୋଇଛି । ୨ ପ୍ଲାଟୁନ ଫୋର୍ସ ସହ ପୋଲିସ ଏହି ଚଢ଼ାଉ କରିଛି ।
ସେହିପରି ଯାଜପୁରର ପାଣ୍ଡିଆ ଗୋପୀନାଥ ପୁର ଅଞ୍ଚଳରେ ଚଢାଉ ଜାରି ରହିଛି । ତେଲକୋଇର ୪ଟି ସ୍ଥାନରେ ୨୦ ଜଣିଆ ଟିମ ଚଢାଉ ଜାରି ରଖିଛନ୍ତି । ବାରିପଦା ରାଇରଙ୍ଗପୁର ତେଣ୍ଟପୋଷି ଗାଁରେ ଗୋ ମାଫିଆ ଘରେ ଚଢ଼ାଉ କରାଯାଇଛି । କେନ୍ଦୁଝର ଓ ରାଇରଙ୍ଗପୁର ପୋଲିସ୍ର ଚଢ଼ାଉ ବେଳେ ଗାଁରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଗାଁର ଶତାଧିକ ମହିଳା ଓ ପୁରୁଷ ପୋଲିସ୍ ଗାଡ଼ିକୁ ଘେରିଯାଇଥିଲେ । ୬ ଗୋରୁ ବ୍ୟବସାୟୀଙ୍କ ଘରୁ ବିପୁଳ ଟଙ୍କା ଓ ସୁନା ଗହଣା ଜବତ କରାଯାଇଛି । ପିକ୍ଅପ୍ ଜବତ କରି ପୋଲିସ୍ ହେପାଜତକୁ ନେବା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା । ପିକ୍ଅପ୍ ଟାୟାର୍ରୁ ପମ୍ପ କାଢ଼ି ଦେବାରୁ ସମସ୍ୟା ଉପୁଜିଥିଲା ଫଳରେ ପୋଲିସ୍ ନାକେଦମ୍ ହୋଇଥିଲା ।

