ପ୍ରଥମ ସୁଭଦ୍ରା ଶକ୍ତି ନେତୃତ୍ୱ ସମ୍ମିଳନୀ’ ଉଦଯାପିତ

Reporterspen

ଭୁବନେଶ୍ଵର, (ରିପୋର୍ଟର୍ସ ପେନ୍‌): ମିଶନ ଶକ୍ତି ବିଭାଗ ପକ୍ଷରୁ ପ୍ରଥମଥର ପାଇଁ ଆୟୋଜିତ କୋଣାର୍କଠାରେ ଛ ଦିନିଆ ‘ସୁଭଦ୍ରା ଶକ୍ତି ନେତୃତ୍ୱ ସମ୍ମିଳନୀ’ ସଫଳତାର ସହିତ ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳାମାନଙ୍କୁ ସମ୍ବୋଧିତ କରିବା ସହ ବିକଶିତ ଓଡ଼ିଶା ଗଠନରେ ସେମାନଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି ।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମିଶନ ଶକ୍ତି କେବଳ ଏକ ସରକାରୀ କାର୍ଯ୍ୟକ୍ରମ ହୋଇ ରହିନାହିଁ, ବରଂ ଏହା ଓଡ଼ିଶାରେ ଏକ ଶକ୍ତିଶାଳୀ ମହିଳା-ନେତୃତ୍ୱାଧୀନ ରୂପାନ୍ତରଣ ଆନ୍ଦୋଳନରେ ପରିଣତ ହୋଇଛି । ଏହି ସମ୍ମିଳନୀ ମାଧ୍ୟମରେ ମହିଳାମାନଙ୍କୁ ନେତୃତ୍ୱ, ଭାବନାତ୍ମକ ବୁଦ୍ଧିମତା, ଦକ୍ଷତା ବିକାଶ ଏବଂ ଷ୍ଟାର୍ଟ-ଅପ୍ ସୁଯୋଗ ବିଷୟରେ ପ୍ରଶିକ୍ଷଣ ଦିଆଯାଇଛି, ଯାହା ଆଗାମୀ ଦିନରେ ଓଡ଼ିଶାକୁ ଏକ ନୂଆ ଦିଗଦର୍ଶନ ଦେବ ।

ସୂଚନା ଯୋଗ୍ୟ ଯେ, ମିଶନ ଶକ୍ତି ଇତିହାସରେ ପ୍ରଥମ କରି ୩୩୮ଟି ବ୍ଲକ୍ ସ୍ତରୀୟ ମହାସଂଘର ୬୭୬ ଜଣ ସଭାପତି ଓ ସମ୍ପାଦିକା ଏବଂ ସମୁଦାୟ ୬୭୬ ଜଣ ସଦସ୍ୟ ଅଂଶଗ୍ରହଣ କରିଥିଲେ । ଏହି ସମ୍ମିଳନୀ 7 ମାର୍ଚ୍ଚ ରେ ଶୁଭାରମ୍ଭ ହୋଇଥିଲା। SHG ଗୁଡ଼ିକୁ କ୍ଷୁଦ୍ର ବ୍ୟବସାୟରେ ପରିଣତ କରିବା ସହ ସେମାନଙ୍କୁ ଆର୍ଥିକ ଓ ଡିଜିଟାଲ୍ କ୍ଷେତ୍ରରେ ସଶକ୍ତ କରିବା ପାଇଁ ସରକାର ସଂକଳ୍ପବଦ୍ଧ, ବୋଲି ଅଧିକାରୀମାନେ ମତ ରଖିଛନ୍ତି।

ଏହି ଉଦଯାପନୀ କାର୍ଯ୍ୟକ୍ରମରେ ମିଶନ ଶକ୍ତି କମିଶନର-ତଥା-ଶାସନ ସଚିବ ମାନସୀ ନିମ୍ଭାଲ, ନିର୍ଦ୍ଦେଶିକା ଡକ୍ଟର ମୋନିକା ପ୍ରିୟଦର୍ଶିନୀଙ୍କ ସହ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ। ଶେଷ ଦିବସରେ ଝାରସୁଗୁଡା, ନୂଆପଡା, ସୁନ୍ଦରଗଡ଼, ଦେଓଗଡ଼, ସୁବର୍ଣ୍ଣପୁର, ବଲାଙ୍ଗିର ଓ ମୟୂରଭଞ୍ଜ ଜିଲ୍ଲାର ୧୭୪ ଜଣ ପ୍ରତିନିଧି ଯୋଗଦେଇ ନିଜର ଅନୁଭୂତି ସାଉଁଟିଥିଲେ। ଏହି ସମ୍ମିଳନୀ ଓଡ଼ିଶାର ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।


Reporterspen