ସଫଳତାକୁ ୨୫ବର୍ଷ : ଦ୍ରାବିଡଙ୍କ ସହ ଅବିସ୍ମରଣୀୟ ଭାଗୀଦାରକୁ ମନେ ପକାଇଲେ ଲକ୍ଷ୍ମଣ

Reporterspen

ବେଙ୍ଗାଲୁରୁ, : ଐତିହାସିକ ଇଡେନ୍‌ ଗାର୍ଡେନ୍ସରେ ଫଲୋଅନ୍‌ ପରେ ବି ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ଦଳକୁ ଭାରତ ହରାଇବାର ଐତିହାସିକ ସଫଳତାକୁ ୨୫ବର୍ଷ ପୂରିଛି। ଏହି ଅସାଧାରଣ ବିଜୟରେ ଭାରତୀୟ କ୍ରିକେଟ୍‌ର ଦୁଇ କିଂବଦନ୍ତି ତଥା ସମ୍ମାନସ୍ପଦ ତାରକା ଭିଭିଏସ୍‌ ଲକ୍ଷ୍ମଣ ଓ ରାହୁଲ ଦ୍ରାବିଡଙ୍କ ସାହସୀ ଓ ଆତ୍ମବିଶ୍ୱାସରେ ଭରପୂର ଭାଗୀଦାର ପ୍ରମୁଖ ଭୂମିକା ତୁଲାଇଥିଲା। ଉଭୟ ୩୭୬ ରନ୍‌ ଯୋଡିବା ପରେ କୋଲକାତାରେ ଭାରତ କ୍ରିକେଟ୍‌ ଇତିହାସର ଅନ୍ୟତମ ସଫଳ ପ୍ରତ୍ୟାବର୍ତ୍ତନ କରି ଅଷ୍ଟ୍ରେଲିଆକୁ ହରାଇବାର ଅନନ୍ୟ ତଥା ନାଟକୀୟ ସଫଳତା ଲାଭ କରିଥିଲା। ୨୫ବର୍ଷ ତଳର ସେହି ଅସାଧ୍ୟ ବିଜୟକୁ ମନେ ପକାଇ ଲକ୍ଷ୍ମଣ ତାଙ୍କ ‘ଏକ୍ସ’ ପୃଷ୍ଠାରେ ଦ୍ରାବିଡଙ୍କ ସହ ସେତେବେଳେ ଉଠାଇଥିବା ଫଟୋ ପ୍ରକାଶ କରିଛନ୍ତି। ସେହିଭଳି ୨୦୦୧ ମସିହାରେ ଭାରତ ହାସଲ କରିଥିବା ସେହି ଅସମ୍ଭବ ବିଜୟର ଉଲ୍ଲାସ ଓ ଆନନ୍ଦକୁ ମନେ ପକାଇଛନ୍ତି।

ଆବେଗଭରା ଲେଖାରେ ଲେଖିଛନ୍ତି ଯେ, ୨୫ ବର୍ଷ ପୂର୍ବେ ଇଡେନ୍‌ ଗାର୍ଡେନ୍ସରେ ରାହୁଲ ଓ ମୁଁ ଏକ ସହଭାଗୀତା କରିଥିଲୁ, ଯାହା ସର୍ବଦା ସ୍ୱତନ୍ତ୍ର ହୋଇ ରହିବ। ଯେତେବେଳେ ବିଜୟ ଆମ ହାତଠାରୁ ଅପହଞ୍ଚ ମନେ ହେଉଥିଲା, ସେହି ମୁହୂର୍ତ୍ତରେ ଆମେ ବିଶ୍ୱାସ, ଧର୍ଯ୍ୟ ଓ ସ୍ଥିରତାକୁ ବାଛିଥିଲୁ। ସେହି ଭାଗୀଦାର କେବଳ ରନ୍‌ ବିଷୟରେ ନୁହେଁ ବରଂ ବିଶ୍ୱାସ, ଦଳଗତ ଉଦ୍ୟମ ଏବଂ ପ୍ରତ୍ୟେକ ଅଧିବେଶନରେ ଜୋରଦାର ଲଢେଇ ବିଷୟରେ ଥିଲା। ରାହୁଲଙ୍କ ସହିତ ସେହି ଯାତ୍ରାକୁ ସେୟାର କରି ବହୁତ ଗର୍ବ ଅନୁଭବ କରୁଛି। କ୍ରିକେଟ୍‌ ଇତିହାସର ସବୁଠାରୁ ସଫଳ ପ୍ରତ୍ୟାବର୍ତ୍ତନଭରା ସେହି ଟେଷ୍ଟ୍‌ ମୋତେ ସବୁବେଳେ ମନେ ପକାଇଦିଏ ଯେ, କ୍ରିକେଟ୍‌ରେ ସବୁକିଛି ସମ୍ଭବ।

ସୂଚନାଯୋଗ୍ୟ ଯେ ୨୦୦୧ ମସିହାର ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ୍‌ ମ୍ୟାଚ୍‌ର ଚତୁର୍ଥ ଦିବସ ସଦାସର୍ବଦା ଭାରତୀୟ କ୍ରିକେଟ୍‌ର ଅଭୁଲା ଦିନ ହୋଇ ରହିବ। ଏହି ଦିନ ଦ୍ରାବିଡ ଓ ଲକ୍ଷ୍ମଣ ଏମିତି ଏକ ଭାଗୀଦର ଗଢି ଭାରତକୁ ବିଜୟୀ କରାଇଥିଲେ, ଯାହାକୁ ଆଗରୁ କେହି ଦେଖିଥିଲେ ନା ଶୁଣିଥିଲେ। ଅଷ୍ଟ୍ରେଲିଆ ଲଗାତାର ୧୬ ଟେଷ୍ଟ୍‌ ଜିତିବାର ଆଧିପତ୍ୟଭରା ଧାରାକୁ ନେଇ ଭାରତ ଆସିଥିଲା। ଭାରତ ବିଜୟ ତାଙ୍କ ପାଇଁ ଶେଷ ଦୁର୍ଗ ଦଖଲ ସଦୃଶ ହେବ ବୋଲି ମଧ୍ୟ କଙ୍ଗାରୁ ଅଧିକ ଷ୍ଟିଭ୍‌ ୱ’ ଗର୍ବର ସହ କହିଥିଲେ। ମୁମ୍ବାଇରେ ଖେଳିଥିବା ପ୍ରଥମ ଟେଷ୍ଟ୍‌କୁ ୧୦ ୱିକେଟ୍‌ରେ ଜିତି ଅଷ୍ଟ୍ରେଲିଆ ବି ଚମତ୍କାର ଢଙ୍ଗରେ ତା’ର ତିନି ମ୍ୟାଚ୍‌ ବିଶିଷ୍ଟ ଅଭିଯାନ ଆରମ୍ଭ କରିଥିଲା। କୋଲକାତା ଟେଷ୍ଟ୍‌ରେ ମଧ୍ୟ ଦମଦାର୍‌ ଆରମ୍ଭ କରିଥିଲା ୱ’ଙ୍କ ଉତ୍ସାହୀ ଦଳ। ପ୍ରଥମ ପାଳିରେ ୪୪୫ ରନ୍‌ କରି ଘରୋଇ ଭାରତ ଉପରେ ଅସହ୍ୟ ଚାପ ବି ସୃଷ୍ଟି କରିବାକୁ ସକ୍ଷମ ହୋଇଥିଲା। ଭାରତ ସେହି ଚାପରେ ଚାପି ହୋଇ ନିଜ ପ୍ରଥମ ପାଳିରେ ମାତ୍ର ୧୭୧ ରନ୍‌ କରିଥିଲା।

ଫଲୋଅନ୍‌ ହେବା ପରେ ୨୩୨ ରନ୍‌ରେ ୪ ୱିକେଟ୍‌ ହରାଇ ସଂଘର୍ଷ କରୁଥିଲା। ଏତିକି ବେଳେ ଲକ୍ଷ୍ମଣ ଓ ଦ୍ରାବିଡ ବିସ୍ମୟକର ବ୍ୟାଟିଂ କରି ଭ୍ରମଣକାରୀ ଅଷ୍ଟ୍ରେଲିଆର ହୋସ୍‌ ଉଡାଇ ଦେଇଥିଲେ। ଲକ୍ଷ୍ମଣ କ୍ୟାରିୟର୍‌ ଶ୍ରେଷ୍ଠ ୨୮୧ ଏବଂ ଦ୍ରାବିଡ ୧୮୦ ରନ୍‌ର ପାଳି ଖେଳିଥିଲେ। ଚତୁର୍ଥ ଦିନ ସାରା ଉଭୟ ବ୍ୟାଟିଂ କରିଥିଲେ। ୩୭୬ ରନ୍‌ର ଭାଗୀଦରିରୁ କେବଳ ଏହି ଦିବସରେ ୩୩୫ ରନ୍‌ ଅମଳ କରିଥିଲେ। ଭାରତ ପଞ୍ଚମ ଦିନରେ ୬୫୭/୭ରେ ପାଳି ଘୋଷଣା କରିଥିଲା ଏବଂ ଅଷ୍ଟ୍ରେଲିଆ ସମ୍ମୁଖରେ ୩୮୩ ରନ୍‌ର ଅତ୍ୟନ୍ତ କଷ୍ଟକର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଅଷ୍ଟ୍ରେଲିଆ କିନ୍ତୁ ହରଭଜନ ସିଂହଙ୍କ ସ୍ପିନ୍‌ ଜାଲରେ ଫଶି ଶେଷରେ ମାତ୍ର ୨୧୨ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଭାରତ ଶେଷରେ ୧୭୨ ରନ୍‌ର ଅଭୁଲା ବିଜୟ ହାସଲ କରିଥିଲା। ଭାରତର ଏହି ସଫଳତା କ୍ରିକେଟ୍‌ ଇତିହାସର ଅନ୍ୟତମ ବିରଳ ବିଜୟ ଥିଲା। ଏହିଠାରୁ ମଧ୍ୟ ଭାରତୀୟ ଟେଷ୍ଟ୍‌ କ୍ରିକେଟ୍‌ରେ ନୂଆ ମୋଡ ଆସିଥିଲା।


Reporterspen