ସଲ୍ଟ, ବିରାଟ ଓ ପଟିଦାରଙ୍କ ଅର୍ଦ୍ଧଶତକ, ରଦରଫୋର୍ଡଙ୍କ ବିସ୍ଫୋରଣ ଇନିଂସ ବେକାର
ମୁମ୍ବାଇ, ୧୨।୦୪: ଆଇପିଏଲ୍ ୨୦୨୬ର ୨୦ତମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପରାସ୍ତ କରିଛି। ରଜତ ପାଟିଦାରଙ୍କ ବେଙ୍ଗାଲୁରୁ ଟିମ୍ ଉଭୟ ବ୍ୟାଟିଂ ଏବଂ ବୋଲିଂ କ୍ଷେତ୍ରରେ ଦମଦାର ପ୍ରଦର୍ଶନ କରିଛନ୍ତି। ଘରୋଇ ମାଟିରେ ମୁମ୍ବାଇର ବିଜୟ ଲକ୍ଷ୍ୟକୁ ପୂରା କରିବାକୁ ଦେଇ ନାହିଁ ବେଙ୍ଗାଲୁରୁ। ମୁମ୍ବାଇ ୨୦ ଓଭରରେ ୫ଟି ୱିକେଟ୍ ହରାଇ ୨୨୨ ରନ୍ କରିଛି। ଫଳରେ ବେଙ୍ଗାଲୁରୁ ଏହି ମ୍ୟାଚ୍କୁ ୧୮ ରନ୍ରେ ଜିତିଛି।
୨୪୧ ରନ୍ର ଲକ୍ଷ୍ୟ ନେଇ ମୁମ୍ବାଇ ବ୍ୟାଟିଂ କରିଥିଲା। ଦଳର ଇନିଂସ ଆରମ୍ଭ କରିଥିଲେ ରାୟନ ରିକେଲଟନ ଏବଂ ରୋହିତ ଶର୍ମା। ଉଭୟ ପ୍ରଥମ ୱିକେଟ ପାଇଁ ୭୨ ରନ୍ର ଭାଗିଦାରୀ କରିପାରିଥିଲେ। ରାୟନ ୨୨ଟି ବଲ୍ ଖେଳି ୩୭ ରନ୍ କରିଥିଲେ, ଯେଉଁଥିରେ ୩ଟି ଚୌକା ଏବଂ ୩ଟି ଛକା ସାମିଲ ଥିଲା। ରୋହିତ ଶର୍ମା ରିଟାର୍ଡ ଆଉଟ୍ ହେବା ପୂର୍ବରୁ ୧୩ଟି ବଲ୍ ଖେଳି ୧୯ ରନ୍ ସଂଗ୍ରହ କରିଥିଲେ। ସେ ୨ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ମୁମ୍ବାଇର ବିସ୍ଫୋରକ ବ୍ୟାଟର ତିଲକ ବର୍ମା ୩ଟି ବଲ୍ ସାମ୍ନା କରି ମାତ୍ର ୧ ରନ୍ କରିଥିଲେ।
ୱାଙ୍ଖଡେ ଷ୍ଟାଡିୟମରେ ରବିବାର ଖେଳାଯାଇ ଥିବା ଏହି ମ୍ୟାଚ୍ରେ ଘରୋଇ ଦଳ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ବେଙ୍ଗାଲୁରୁ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ୍ ହରାଇ ୨୪୦ ରନ୍ ସଂଗ୍ରହ କରିଥିଲା। ବେଙ୍ଗାଲୁରୁ ପାଇଁ ଫିଲିପ୍ ସଲ୍ଟ ଏବଂ ବିରାଟ କୋହଲି ଇନିଂସ ଆରମ୍ଭ କରିଥିଲେ। ଉଭୟ ବ୍ୟାଟର ବିସ୍ଫୋରକ ବ୍ୟାଟିଂ କରିଥିଲେ ଏବଂ ପ୍ରଥମ ୱିକେଟ ପାଇଁ ୧୨୦ ରନ୍ର ଭାଗିଦାରୀ କରିପାରିଥିଲେ। ଫିଲିପ୍ ସଲ୍ଟ ବ୍ୟକ୍ତିଗତ ଭାବେ ୭୮ ରନ୍ ସଂଗ୍ରହ କରିଥିଲେ। ସେ ୩୬ଟି ବଲ୍ ସାମ୍ନା କରି ୬ଟି ଚୌକା ଏବଂ ୬ଟି ଛକା ମାରିଥିଲେ।
କିଙ୍ଗ କୋହଲି ମଧ୍ୟ ତାଙ୍କର ଇନିଂସର ଜଲୱା ଦେଖାଇଥିଲେ। ସେ ୩୮ଟି ବଲ୍ ଖେଳି ୫ଟି ଚୌକା ଏବଂ ଗୋଟିଏ ଛକା ବଳରେ ୫୦ ରନ୍ ସଂଗ୍ରହ କରିଥିଲେ। ସେହିପରି ଅଧିନାୟକ ରଜନ ପଟିଦାରଙ୍କ ବ୍ୟାଟ୍ରୁ ୫୩ ରନ୍ ସଂଗ୍ରହ ହୋଇଥିଲା। ପଟିଦାର ୨୦ଟି ବଲ୍ ଖେଳି ୪ଟି ଚୌକା ଏବଂ ୫ଟି ଛକା ମାରିଥିଲେ। ଦ୍ୱିତୀୟ ୱିକେଟ୍ ୧୮୫ ଏବଂ ତୃତୀୟ ୱିକେଟ୍ ୧୯୪ ରନ୍ରେ ପଡିଥିଲା। ମଧ୍ୟକ୍ରମର ବ୍ୟାଟର ଜିତେଶ ଶର୍ମା ଏଲ୍ବିଡବ୍ଲ୍ୟୁ ଆଉଟ ହେବା ପୂର୍ବରୁ ବ୍ୟକ୍ତିଗତ ଭାବେ ୧୦ ରନ୍ ସଂଗ୍ରହ କରିଥିଲେ। ସେ ୯ଟି ବଲ୍ ଖେଳି ଗୋଟିଏ ଚୌକା ମାରିଥିଲେ। ଟିମ୍ ଡେଭିଡ ମଧ୍ୟ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ଅପରାଜିତ ୩୪ ରନ୍ କରିଥିଲେ। ୧୬ଟି ବଲ୍ରୁ ୨ଟି ଚୌକା ଏବଂ ୩ଟି ଛକା ମାରିଥିଲେ। ତେବେ ଦ୍ୱିତୀୟ ଇନିଂସରେ କୃଣାଳ ପାଣ୍ଡ୍ୟା ତାଙ୍କର ଚାରି ଓଭରରେ ମାତ୍ର ୨୬ରନ ଦେଇଥିଲେ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଗୁରୁତ୍ୱପୂର୍ଣ୍ଣ ୱିକେଟ ମଧ୍ୟ ନେଇଥିଲେ। ଅନେକ ଦୃଷ୍ଟିରୁ, ତାଙ୍କର ମନ୍ତ୍ର ହିଁ ଶେଷରେ ମୁମ୍ବାଇ ଏବଂ ବେଙ୍ଗାଲୁରୁ ମଧ୍ୟରେ ନିର୍ଣ୍ଣାୟକ ପାର୍ଥକ୍ୟ ସୃଷ୍ଟି କରିଥିଲା।

