ଭୁବନେଶ୍ୱର, (ରିପୋର୍ଟର୍ସପେନ୍) : ପବିତ୍ର ଅକ୍ଷୟ ତୃତୀୟା ଓ ରାଜ୍ୟସ୍ତରୀୟ କୃଷକ ଦିବସ ଅବସରରେ କଟକ ସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କୃଷକମାନଙ୍କ ପାଇଁ ଅନେକ ବଡ଼ ଘୋଷଣା କରିଛନ୍ତି। ଏହି ଅବସରରେ ସେ ୪୧,୬୮, ୫୮୨ ଜଣ ଚାଷୀଙ୍କୁ ସିଏମ-କିଷାନ ଯୋଜନାରେ ୮୩୮ କୋଟି ୪୮ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।
ଧାନ ଗବେଷଣା କେନ୍ଦ୍ର ନିକଟରେ ଥିବା ଚାଷ ଜମିରେ ମୁଖ୍ୟମନ୍ତ୍ରୀ ଭୂମି ପୂଜା କରିବା ପରେ ଅକ୍ଷି ମୁଠି ଅନୁକୂଳ କରିଥିଲେ । ଏହାପରେ କୃଷି ପ୍ରଦର୍ଶନୀ ବୁଲି ଦେଖିବା ପରେ ‘ ଆମ ବିହନ ରଥ’ ଏବଂ ‘କୃଷି ରଥ’ର ଶୁଭାରମ୍ଭ କରିଥିଲେ । କୃଷକଙ୍କୁ ସହଜରେ ଉନ୍ନତ ବିହନ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଆମ ବିହନ ରଥ” ବା Seeds on Wheels ଶୁଭାରମ୍ଭ କରିଥିଲେ। ଏହି ଭ୍ରାମ୍ୟମାଣ ବିହନ ବିକ୍ରୟ କେନ୍ଦ୍ର ଗୁଡିକ ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାର ୩୧ଟି ବ୍ଲକରେ ଚାଲୁ ହେବ। ୫ କେଜିଆ ପ୍ୟାକେଟ୍ ଆକାରରେ ନୂତନ କିସମର ଧାନ ବିହନ ଗ୍ରାମ ପଞ୍ଚାୟତ ସ୍ତରରେ ଉପଲବ୍ଧ ହେବ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାର ଅର୍ଥନୀତି, ସଂସ୍କୃତି ଓ ସମୃଦ୍ଧିର ମୂଳ ଆଧାର ହେଉଛି କୃଷି। ଅକ୍ଷୟ ତୃତୀୟା ଦିନ ଚାଷୀମାନେ ଅକ୍ଷିମୁଠି ଅନୁକୂଳ କରି ନୂଆ କୃଷି ବର୍ଷର ଶୁଭାରମ୍ଭ କରୁଥିବାରୁ ଏହା ଓଡ଼ିଶାର ଗୌରବମୟ ପରମ୍ପରା । ସମୃଦ୍ଧ ଓଡ଼ିଶା ଗଢ଼ିବାରେ କୃଷକମାନେ ହିଁ ପ୍ରକୃତ ସାରଥୀ। ରାଜ୍ୟ ସରକାର ସଦା ସର୍ବଦା କୃଷକଙ୍କ ସହିତ ରହିବ ଏବଂ ଆଗାମୀ ଦିନରେ କୃଷିକୁ ଅଧିକ ଲାଭଜନକ, ଆଧୁନିକ ଓ ସଶକ୍ତ କରାଯିବ ।
୨୦୨୬ ଖରିଫ ଋତୁ ପାଇଁ ରାଜ୍ୟର ୪୧ ଲକ୍ଷ ୬୮ ହଜାର ୫୮୨ ଜଣ କୃଷକଙ୍କୁ ସିଏମ-କିଷାନ ଯୋଜନାରେ ପ୍ରାୟ ୮୩୮ କୋଟି ୪୮ ଲକ୍ଷ ଟଙ୍କା ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି। ସେ କହିଥିଲେ ଯେ, କୃଷକଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ହେଉଛି ସରକାରଙ୍କ ପ୍ରାଥମିକତା ଏବଂ ଏହି ଯୋଜନା ତାହାର ଏକ ଉତ୍କୃଷ୍ଟ ଉଦାହରଣ।
କୃଷି ବିଦ୍ୟାନିଧି ଛାତ୍ରବୃତ୍ତି ଯୋଜନା ମାଧ୍ୟମରେ କୃଷକ ପରିବାରର ପିଲାମାନଙ୍କୁ ବୈଷୟିକ ଓ ବୃତ୍ତିଗତ ଶିକ୍ଷା ପାଇଁ ସହାୟତା ଦିଆଯାଉଛି। ୨୦୨୫-୨୬ ଶିକ୍ଷାବର୍ଷରେ ୬୮ ହଜାର ୯୧୦ ଜଣ ଛାତ୍ରଛାତ୍ରୀଙ୍କୁ ୨୯୧ କୋଟି ୬୦ ଲକ୍ଷ ଟଙ୍କାରୁ ଅଧିକ ସହାୟତା ମିଳିଛି। ରାଜ୍ୟ ସରକାର “ବଳଭଦ୍ର ଜୈବିକ ଚାଷ ମିଶନ” ମାଧ୍ୟମରେ ଜୈବିକ ଚାଷକୁ ପ୍ରୋତ୍ସାହନ ଦେଉଛନ୍ତି। ସେହିପରି ଓଡ଼ିଶାର ପାରମ୍ପରିକ ମାଣ୍ଡିଆକୁ ବିଶ୍ୱ ମଞ୍ଚରେ ପହଞ୍ଚାଇବା ପାଇଁ ଶ୍ରୀ ଅନ୍ନ ଅଭିଯାନକୁ ଆହୁରି ଜୋରଦାର କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ, ଆମ ରାଜ୍ୟର ଅର୍ଥନୀତି ଓ ପ୍ରଗତିର ମେରୁଦଣ୍ଡ ହେଉଛନ୍ତି ଆମର କୃଷକ ସମାଜ। ଆପଣମାନଙ୍କ ପରିଶ୍ରମରେ ଆମ ମାଟି ସୁଜଳା ସୁଫଳା ହୋଇଥାଏ। ଆପଣମାନଙ୍କ ସ୍ୱାର୍ଥ ରକ୍ଷା କରିବା ଏବଂ କୃଷି କାର୍ଯ୍ୟକୁ ଅଧିକ ସରଳ ଓ ସ୍ୱଚ୍ଛ କରିବା ପାଇଁ ରାଜ୍ୟ ସରକାର ସଦାସର୍ବଦା ଚେଷ୍ଟିତ। ଏହି ପରିପ୍ରେକ୍ଷୀରେ ଉପମୁଖ୍ୟମନ୍ତ୍ରୀ ସାର କ୍ରୟ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ। ଆବଶ୍ୟକ ପରିମାଣର ସନ୍ତୁଳିତ ସାର ବ୍ୟବହାର କରନ୍ତୁ। ଆମ ମା’ ମାଟିକୁ ସୁରକ୍ଷିତ ରଖନ୍ତୁ। ସଚେତନ ଚାଷୀ ଭାବେ ସରକାରଙ୍କ ଏହି ସ୍ୱଚ୍ଛ ଅଭିଯାନରେ ସାମିଲ ହୋଇ ଏକ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ଆହ୍ୱାନ ଦେଇଛନ୍ତି ।
ଏହି ଅବସରରେ କଟକର ସାଂସଦ ଭର୍ତ୍ତୃହରି ମହତାବ, ଜଗତସିଂହପୁରର ସାଂସଦ ବିଭୁପ୍ରସାଦ ତରାଇ , ନିଆଳିର ବିଧାୟକ ଛବି ମଲ୍ଲିକ, ଚୌଦ୍ୱାର-କଟକର ବିଧାୟକ ସୌଭିକ ବିଶ୍ୱାଳ, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, କଟକ ସଦର ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠୀ, ବାରବାଟୀ-କଟକ ବିଧାୟିକା ଇଂ. ସୋଫିଆ ଫିରଦୌସ, ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ।
ଏହା ସହ କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର, କୃଷି ବିଭାଗର କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ, କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ଏବଂ କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନ (CRRI), କଟକର ନିର୍ଦ୍ଦେଶକ ଡଃ ଜିଏକେ କୁମାରଙ୍କ ପ୍ରମୁଖ ମଂଚାସୀନ ଥିଲେ।

