ଖୁବଶୀଘ୍ର ଭୁବନେଶ୍ୱର-ଜୟପୁର ବିମାନସେବା

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌) : ଖୁବଶୀଘ୍ର ଭୁବନେଶ୍ୱର-ଜୟପୁର ବିମାନସେବା । ଏଥିସହିତ ଭୁବନେଶ୍ୱର ବିମାନ ବନ୍ଦର ତୃତୀୟ ଏୟାର ଟର୍ମିନାଲକୁ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ କରାଯିବ । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରର ସର୍ବାଙ୍ଗୀନ ଉନ୍ନତି ପାଇଁ ବିମାନବନ୍ଦର ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବୁଧବାର ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଇଣ୍ଟିଗ୍ରେଟେଡ୍ ଅଫିସ୍ କମ୍‌ପ୍ଲେକ୍ସର ସମ୍ମିଳନୀ କକ୍ଷରେ ବେ?ଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ଲୋକସଭା ସାଂସଦ ତଥା ଇଇଉ ଅଧ୍ୟକ୍ଷା ଅପରାଜିତା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତା କରିଥିଲେ । ବିମାନବନ୍ଦର ପରାମର୍ଶଦାତା କମିଟିର ଆବାହକ ତଥା ବି.ପି.ଆଇ. ବିମାନବନ୍ଦର, ଭୁବନେଶ୍ୱରର ନିର୍ଦ୍ଦେଶକ ଏକ ପାୱାର ପଏଣ୍ଟ ଉପସ୍ଥାପନା ମାଧ୍ୟମରେ ବିମାନ ଚଳାଚଳ, ଯାତ୍ରୀ ସଂଖ୍ୟା ବୃଦ୍ଧି, କାର୍ଗୋ ପରିଚାଳନା, ବିମାନବନ୍ଦର ସେବା ଗୁଣବତ୍ତା ମୂଲ୍ୟାୟନର ଉନ୍ନତି ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ, ଚାଲୁଥିବା ଏବଂ ନୂତନ ପ୍ରକଳ୍ପ ସହ ଯାତ୍ରୀ ଅଭିଜ୍ଞତାର ଉନ୍ନତି ପାଇଁ ନିଆଯାଇଥିବା ନୂତନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ ।ପୂର୍ବ ବୈଠକର କାର୍ଯ୍ୟବିବରଣୀ ଉପରେ ଗ୍ରହଣ କରାଯାଇଥିବା ପଦକ୍ଷେପ ରିପୋର୍ଟ ଏବଂ ସବିଶେଷ ସ୍ଥିତି ଉପସ୍ଥାପିତ କରାଯାଇଥିଲା ।

ଯାତ୍ରୀ ସନ୍ତୁଷ୍ଟି, ବିମାନ ଏବଂ ଯାତ୍ରୀ ଚଳାଚଳର ଅଭିବୃଦ୍ଧି ସହ ଭବିଷ୍ୟତ ପ୍ରକଳ୍ପନା ସମ୍ବନ୍ଧୀୟ ବି.ପି.ଆଇ. ବିମାନବନ୍ଦରର ସଫଳତାଗୁଡ଼ିକ କମିଟି ସମ୍ମୁଖରେ ଉପସ୍ଥାପିତ କରାଯାଇଥିଲା । ଏହା ସହିତ ଗତ ଏକ ବର୍ଷ ମଧ୍ୟରେ ପ୍ରାପ୍ତ ପୁରସ୍କାର ଏବଂ ସଫଳତାର ସହିତ ପରିଚାଳିତ କାର୍ଯ୍ୟକ୍ରମଗୁଡ଼ିକର ବିବରଣୀ ମଧ୍ୟ ଦିଆଯାଇଥିଲା ।

ଏହି ଉପସ୍ଥାପନା ପରେ କମିଟି ସଦସ୍ୟ ଏବଂ ଅନ୍ୟାନ୍ୟ ହିତାଧିକାରୀମାନଙ୍କ ଦ୍ୱାରା ବିଭିନ୍ନ ପ୍ରସ୍ତାବ ଦିଆଯାଇଥିଲା । ଯାହା ମଧ୍ୟରେ ପ୍ରମୁଖ ପ୍ରସ୍ତାବ ରହିଥିଲା ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ନିୟମିତ ଭାବରେ ବିମାନବନ୍ଦର ର ପରିଚୟ କାର୍ଯ୍ୟକ୍ରମର ବ୍ୟବସ୍ଥା ।ଯେଉଁଥିରେ ଗ୍ରାମାଞ୍ଚଳ ର ଛାତ୍ରଛାତ୍ରୀ ମାନଙ୍କୁ ବିଶେଷ ଗୁରୁତ୍ୱ ଦିଆଯିବ । ଏଥିସହିତ ଏରୋବ୍ରିଜ୍ ଗୁଡିକର ସଂଖ୍ୟା ବୃଦ୍ଧି ଏବଂ ସେଗୁଡ଼ିକର ଦକ୍ଷ ଓ ପ୍ରଭାବଶାଳୀ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ଏୟାର ହୋଷ୍ଟେସ୍ ହେବାକୁ ଇଚ୍ଛୁକ ପ୍ରାର୍ଥୀମାନଙ୍କ ପାଇଁ ପରିଚୟ ଓ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯିବା ସହିତ ଜୟପୁର, ସୁରତ, ଶିର୍ଡି, ତିରୁପତି ଏବଂ ଭୋପାଳକୁ ନୂତନ ବିମାନ ସଂଯୋଗ ଆରମ୍ଭ କରିବା ନେଇ ଆଲୋଚନା କରାଯାଇଥିଲା ।


Reporterspen