ଭୁବନେଶ୍ୱର, (ରିପୋଟର୍ସ ପେନ୍) : ରାଜ୍ୟର ବିଜେପି ସରକାରକୁ ୨ ବର୍ଷ ପୂରିଛି । ମୋହନ ସରକାରଙ୍କୁ ୨ ବର୍ଷ ପୂର୍ତ୍ତି ଅବସରରେ ଶିକ୍ଷା କ୍ଷେତ୍ର ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଯାହାର ଲାଭ ପାଇବେ ରାଜ୍ୟର ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀ ।
ଓଡ଼ିଶା ସରକାର ଶିକ୍ଷା କ୍ଷେତ୍ରରେ ଐତିହାସିକ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଯାହା ଅନ୍ୟ ରାଜ୍ୟକୁ ଏକ ବାର୍ତ୍ତା ଦେଇପାରେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘୋଷଣା ଅନୁସାରେ, ଏଣିକି ରାଜ୍ୟର ସରକାରୀ ବିଦ୍ୟାଳୟ ଓ କଲେଜରେ କେଜିରୁ ନେଇ ପିଜି (ସ୍ନାତକୋତ୍ତର) ପର୍ଯ୍ୟନ୍ତ ପାଠପଢ଼ା ସମ୍ପୂର୍ଣ୍ଣ ମାଗଣାରେ ହେବ ।
ଏହି ନିଷ୍ପତ୍ତି ଫଳରେ ରାଜ୍ୟର ସରକାରୀ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ଛାତ୍ରଛାତ୍ରୀ ଉପକୃତ ହେବେ । ବିଶେଷକରି ଆର୍ଥିକ ଅନଗ୍ରସର ପରିବାରର ଛାତ୍ରଛାତ୍ରୀଙ୍କୁ ଫାଇଦା ମିଳିବ । ଯାହା ଶିକ୍ଷା କ୍ଷେତ୍ରରେ ଓଡ଼ିଶାକୁ ଦେଶର ଅନ୍ୟ ରାଜ୍ୟଠାରୁ ଅଗ୍ରଣୀ କରି ଗଢ଼ି ତୋଳିବ । ବିଶେଷ କରି ଆର୍ଥିକ ଅନଟନ ଯୋଗୁଁ ପାଠ ପଢ଼ି ପାରୁ ନଥିବା ପିଲା ଏଣିକି ସ୍କୁଲ୍, କଲେଜ ଯାଇ ପାରିବେ ।
ଶିକ୍ଷା ଗ୍ରହଣକୁ ସମ୍ପୂର୍ଣ୍ଣ ମୁକ୍ତ ଓ ସମସ୍ତଙ୍କ ନିକଟରେ ପହଞ୍ଚାଇବା ଲାଗି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏଭଳି ନିଷ୍ପତ୍ତି ହୁଏତ ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ନେଇଛି । ଏହାର ପ୍ରଭାବ ଆଗାମୀ ଭବିଷ୍ୟତରେ ଦେଖିବାକୁ ମିଳିବ । ମାଗଣା ପାଠପଢ଼ା ଦ୍ୱାରା ରାଜ୍ୟର ଯୁବବର୍ଗଙ୍କ ଭବିଷ୍ୟତ ମଜଭୁତ ହେବ ଓ ବିକାଶ ତ୍ୱରାନ୍ୱିତ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
‘ଏକାଥରକେ ମିଳିବ ୩ ମାସର ଭତ୍ତା’
ଏଥିସହ ଭତ୍ତା ବିଳମ୍ବ ନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ରଖିଛନ୍ତି । କହିଛନ୍ତି, “ଭତ୍ତା ବିଳମ୍ବ ହୋଇଛି । ଏକଥା ସରକାରଙ୍କ ଦୃଷ୍ଟିକୁ ଆସିଛି । ଏହି ସମସ୍ୟା ରାଜ୍ୟ ନୁହେଁ କେନ୍ଦ୍ର ସରକାରଙ୍କର । ଟେକ୍ନୋଲୋଜି ସହ ହିତାଧିକାରୀଙ୍କୁ ଯୋଡ଼ା ଯାଉଛି । ଏଥିପାଇଁ ସମୟ ଲାଗୁଛି । ୧୦ ଲକ୍ଷ ହିତାଧିକାରୀ ମଧ୍ୟରୁ ୨ଲକ୍ଷ ସମସ୍ୟା ସୁଧୁରୁଛି । ସେମାନେ ଟଙ୍କା ପାଇସାରିଲେଣି । ବାକି ଲୋକଙ୍କୁ ଖୁବଶୀଘ୍ର ଦିଆଯିବ । ଏକା ଥରକେ ହିତାଧିକାରୀ ୩ ମାସର ଭତ୍ତା ପାଇବେ ।’

