ଭୁବନେଶ୍ୱର (ରିପୋର୍ଟର୍ସପେନ୍): ପୁରୀ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ଏୟାରପୋର୍ଟ ନିର୍ମାଣ କାମ ୨୦୨୯ ସୁଦ୍ଧା ସରିବ । ଭୁବନେଶ୍ୱର ବିମାନବନ୍ଦରର ନବକଳେବର ହେବ । ଯାତ୍ରୀ ସଂଖ୍ୟା ୧୦ ମଲିୟନକୁ ବୃଦ୍ଧି ପାଇବ । ଓଡିଶା ପାଇଁଁ ଶିଳ୍ପ, ପର୍ଯ୍ୟଟନ କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି ହେବ । ଓଡିଶା ସିଭିଲି ଆଭିଏସନ ପଲିସି-୨୦୨୬ର ଚିଠା ପ୍ରସ୍ତାବରେ ଏମିତି କିଛି ସୁନେଲି ସ୍ୱପ୍ନ ସାମ୍ନାକୁ ଆସିଛି ।
ଓଡିଶା ଏୟାରପୋର୍ଟ ବିକାଶ କ୍ଷେତ୍ରରେ ନୂଆ ପଲିସି ଆଣିଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ୫ଟି ସ୍ଥାନ ଯଥା ଭୁବନେଶ୍ୱର, ଝାରସୁଗୁଡା, ଜୟପୁର, ଉତ୍କେଲା ଏବଂ ରାଉରକେଲାକୁ ବିମାନ ଉଡୁଛି । ୨୦୨୯ ସୁଦ୍ଧା ଏଥିରେ ଆଉ ୫ଟି ଏୟାରପୋର୍ଟ ଯୋଡିହେବ । ପାରାଦ୍ୱୀପ ଏୟାରପୋର୍ଟ ରନ୍ୱେର ବିକାଶ କରାଯିବ । ଅକ୍ଟୋବର ମାସ ସୁଦ୍ଧା ପ୍ରସ୍ତାବ ଆଗତ କରିବାକୁ ଯୋଜନା କରାଯାଇଛି ଏବଂ ମାର୍ଚ୍ଚ ୨୦୨୭ ସୁଦ୍ଧା ଡିପିଆର ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ସହ ପୁରୀ ଏୟାରପୋର୍ଟ କାମ ତ୍ୱରିତ ବେଗରେ ସାରିବାକୁ ପ୍ରୟାସ ଆରମ୍ଭ ହୋଇଛି । ବ୍ରହ୍ମପୁର ରଙ୍ଗେଇଲୁଣ୍ଡା, ମୟୂରଭଞ୍ଜର ଅମର୍ଦା ରୋଡ୍ ଏବଂ ନୂଆପଡାର ଶତୀଭଟ୍ଟକୁ ଏୟାର ସଂଯୋଗ କରିବାକୁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି ।
ରାଜ୍ୟରେ ଏୟାର କନେକ୍ଟିଭିଟିକୁ ସୁଦୃଢ କରିବା ପାଇଁ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ଭବିଷ୍ୟତ ପାଇଁ ୧୬ ଏୟାରପୋର୍ଟ ଏବଂ ଏୟାରଷ୍ଟ୍ରିପ୍ ଏବଂ ୩୦ ହେଲିପୋର୍ଟ ନିର୍ମାଣ ହେବ । ଦୁଇଟି ବିମାନ ମରାମତି ଏବଂ ମେଣ୍ଟେନାନ୍ସ ସେଣ୍ଟର ଖୋଲିବାକୁ ମଧ୍ୟ ଚୂଡାନ୍ତ ହୋଇଛି । ଏହା ସହ କାର୍ଗୋ କ୍ଷମତା ବୃଦ୍ଧି ପାଇବ । ବର୍ତ୍ତମାନ କାର୍ଗୋ ପରିବହନ ୯୦୮୬ ମେଟ୍ରିକ୍ ଟନ୍ ଥିବା ବେଳେ ଆଗାମୀ ଦିନରେ ଏହା ୧୫୦୦୦ ମେଟ୍ରିକ୍ ଟନ୍କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ଭୁବନେଶ୍ୱର ବିମାନବନ୍ଦରରୁ ବିଭିନ୍ନ ପ୍ରମୁଖ ରାଜ୍ୟକୁ ବିମାନ ଉଡିବ । ଅହମ୍ମଦାବାଦ, ଚଣ୍ଡିଗଡ, ଜୟପୁର, ଗୋଆ, ଇନ୍ଦୋର, ବାରାଣାସୀକୁ ସଂଯୋଗ କରିବାକୁ ଯୋଜନା କରାଯାଇଛି । ବର୍ତ୍ତମାନ ମାତ୍ର ବ୍ୟାଙ୍ଗକ୍କୁ ଛାଡିଲେ ବାକି ଅନ୍ତର୍ଜାତୀୟ ବିମାନ ଉଡାଣ ବନ୍ଦ ରହିଛି । ଆଗକୁ ଏହାକୁ ଧ୍ୟାନ ଦେବା ସହ ଅଧିକରୁ ଅଧିକ ଅନ୍ତର୍ଜାତୀୟ ବିମାନ ଉଡାଇବାକୁ ଯୋଜନା କରାଯାଇଛି । ରାଜ୍ୟ ସରକାର ଭାଇଏବିଲିଟ୍ ଗ୍ୟାପ୍ ଫଣ୍ଡିଂ (ଭିଜିଏଫ୍) ବଢାଇବେ । ଏଣିକି ରାଜ୍ୟ ସ୍ତରରେ ଏହି ରାଶିକୁ ୭.୫ ଲକ୍ଷ ରଖାଯାଇଥିବା ବେଳେ ଅନ୍ତର୍ଜାତୀୟ ବିମାନ ଉଡାଣରେ ସରକାର ୧୫ ଲକ୍ଷ ଟଙ୍କା ଭିଜିଏଫ୍ ପ୍ରଦାନ କରିବେ ।
ଓଡିଶା ଡ୍ରାଫ୍ଟ ସିଭିଲ ଆଭିଏସନ ପଲିସିରେ ମେଡିକାଲ କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ରାଜ୍ୟରେ ୪ଟି ହସ୍ପିଟାଲରେ ଏୟାରଲିପ୍ଟ କରିବାକୁ ହେଲିପୋର୍ଟ ନିର୍ମାଣ କରାଯିବ । ଏନେଇ ପ୍ରସ୍ତାବ ଆଗତ କରାଯାଇଛି । ରାଜ୍ୟରେ ଏମ୍ସ ଭୁବନେଶ୍ୱର, କଟକ ଶ୍ରୀରାମ ଚନ୍ଦ୍ରଭଞ୍ଜ ମେଡିକାଲ କଲେଜ, ସମ୍ବଲପୁର ବୁର୍ଲା ବୀର ସୁରେନ୍ଦ୍ରସାଏ ମେଡିଲାକ କଲେଜ, ବ୍ରହ୍ମପୁର ଏମ୍କେସିଜିରେ ଏହି ହେଲିପୋର୍ଟ ନିର୍ମାଣ ହେବ । ଅଧିକାଂଶ ସମୟରେ ଗୁରୁତର ରୋଗୀଙ୍କ ଏୟାରଲିପ୍ଟ କରିବାରେ ଅସୁବିଧା ଉପୁଜୁଥିଲା । ଏପରି କି ଅଙ୍ଗ ପ୍ରତିରୋରଣ କ୍ଷେତ୍ରରେ ମଧ୍ୟ ନାନ ସମସ୍ୟା ଦେଖାଦେଉଥିଲା । ରାଜଧାନୀ ସମେତ ଅନ୍ୟ ଜିଲ୍ଲାରେ ଗୁରୁତର ଟ୍ରାଫିକ ସମସ୍ୟା ଯୋଗୁଁ ଗ୍ରୀନ କରିଡର କରିବାରେ ଅସୁବିଧା ହେଉଥିଲା । ମେଡିକାଲ କଲେଜଗୁଡିକରେ ହେଲିପୋର୍ଟ ନିର୍ମାଣ ପରେ ଜରୁରୀକାଳିନ ଚିକିତ୍ସା ସେବା ଯୋଗାଇଦେବାରେ ପ୍ରତିବନ୍ଧକ ହଟିବ ।

