ସି.ଏମ୍ କିଷାନ କେବଳ ସହାୟତା ନୁହେଁ, ଚାଷୀଙ୍କ ପରିଶ୍ରମକୁ ଉଚିତ ସମ୍ମାନ : ମୁଖ୍ୟମନ୍ତ୍ରୀ

Reporterspen

ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍‌): ପବିତ୍ର ଜନ୍ମାଷ୍ଟମୀ ଓ କୃଷି ଭିତ୍ତିକ ଗଣପର୍ବ ‘ନୂଆଁଖାଇ’ର ଅବ୍ୟବହିତ ପୂର୍ବରୁ ରାଜ୍ୟର ଅଗଣିତ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ସ୍ଥାନୀୟ ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନଠାରେ ଆୟୋଜିତ ସି.ଏମ୍‌-କିଷାନ୍ ଯୋଜନାର ପଞ୍ଚମ କିସ୍ତି ବାବଦକୁ ରାଜ୍ୟର ୪୧ଲକ୍ଷ ୩୫ହଜାର ୯୭୮ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୩ହଜାର ୯୪୯ଭୂମିହୀନ କୃଷି ପରିବାରଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ୮୩୩କୋଟିରୁ ଅଧିକ ଟଙ୍କାର ସହାୟତା ରାଶି ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହସ୍ତାନ୍ତର କରାଯାଇଛି ।

ସୂଚନାଯୋଗ୍ୟ ଯେ, ୨୦୨୬-୨୭ରବି ଫସଲ ପୂର୍ବରୁ ବିହନ, ସାର ଓ କୀଟନାଶକ କିଣିବାରେ ଏହି ଅର୍ଥ ଚାଷୀମାନଙ୍କୁ ସହାୟକ ହେବ । ସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ସରକାର ସଦାସର୍ବଦା ଚାଷୀ ଓ ଭୂମିହୀନ ପରିବାର ଗୁଡ଼ିକର କଲ୍ୟାଣ ପାଇଁ ପ୍ରତିବଦ୍ଧ । କୃଷକଙ୍କ ସମୃଦ୍ଧି ହିଁ ଓଡ଼ିଶାର ପ୍ରଗତିର ପ୍ରକୃତ ମୂଳଦୁଆ । ‘ସି.ଏମ୍ କିଷାନ’ ଯୋଜନା ମାଧ୍ୟମରେ ଆମେ କେବଳ ଆର୍ଥିକ ସହାୟତା ପ୍ରଦାନ କରୁନାହୁଁ, ବରଂ ଚାଷୀଙ୍କୁ ଆତ୍ମ ନିର୍ଭରଶୀଳ କରିବା ସହ ସେମାନଙ୍କ ଶ୍ରମକୁ ଉଚିତ ସମ୍ମାନ ଦେଉଛୁ । ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ସମୃଦ୍ଧ କୃଷକ ଯୋଜନା, ଧାନ ସଂଗ୍ରହ ଓ ବନ୍ୟା କ୍ଷତିପୂରଣ ସମ୍ପର୍କରେ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉଲ୍ଲେଖ କରିଛନ୍ତି ।

ଚଳିତ ୨୦୨୬-୨୭ଖରିଫ ଋତୁ ପାଇଁ ଧାନ ପଞ୍ଜିକରଣ ଅବଧିକୁ ସେପ୍‌ଟେମ୍ବର ୭ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିପରି ନିକଟରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରେ ହୋଇଥିବା ପ୍ରବଳ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କ ପାଇଁ ୧୦୦୦କୋଟି ଟଙ୍କାର ବିଶେଷ ସହାୟତା ପ୍ୟାକେଜ୍ ଘୋଷଣା କରାଯାଇଛି । ରାଜସ୍ୱ ଓ କୃଷି ବିଭାଗର କ୍ଷେତ୍ର କର୍ମଚାରୀଙ୍କ କ୍ଷତି ଆକଳନ ରିପୋର୍ଟ ଆଧାରରେ ପ୍ରଭାବିତ ଚାଷୀଙ୍କୁ ଆଶୁ କ୍ଷତିପୂରଣ ଯୋଗାଇ ଦିଆଯିବ । ରାଜ୍ୟରେ କେବଳ ପାରମ୍ପରିକ ଚାଷ ନୁହେଁ, ବିବିଧିକରଣ ହିଁ ଦୁଇଗୁଣ କରିବ ଚାଷୀଙ୍କ ଆୟ ବୋଲି ପ୍ରକାଶ କରି ଆମ ରାଜ୍ୟର ୬୦ପ୍ରତିଶତରୁ ଅଧିକ ଲୋକ କୃଷି ଉପରେ ନିର୍ଭରଶୀଳ ଥିବାରୁ ଚାଷୀଙ୍କ ବାର୍ଷିକ ଆୟକୁ ଅତିକମରେ ଦୁଇ ଗୁଣ କରିବା ଆମ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଛନ୍ତି ।

“ସମୃଦ୍ଧ କୃଷକ ଯୋଜନା” ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଗଝଚ ସହ ରାଜ୍ୟର ଇନପୁଟ୍ ସହାୟତା ମିଶାଇ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କ୍ରୟ କରାଯାଉଛି ଏବଂ ବିକ୍ରିର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଯାଉଛି । ଗତ ୨୦୨୫-୨୬ ଖରିଫ ଋତୁରେ ୧୮.୮୪ ଲକ୍ଷ ଚାଷୀଙ୍କଠାରୁ ୭୭.୪୮ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇ ଇନପୁଟ୍ ସବସିଡି ବାବଦକୁ ରେକର୍ଡ ୫,୬୬୩.୮୪ କୋଟି ଟଙ୍କା ଏବଂ ରବି ଋତୁରେ ୩.୬୩ ଲକ୍ଷ ଚାଷୀଙ୍କୁ ୧,୪୯୪.୮୯ କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି । ଚାଷୀ ପରିବାରର ପିଲାମାନଙ୍କୁ ଉଚ୍ଚ ବୈଷୟିକ ଶିକ୍ଷା କ୍ଷେତ୍ରରେ ସହାୟତା ପାଇଁ “କୃଷି ବିଦ୍ୟାନିଧି ଯୋଜନା” କାର୍ଯ୍ୟକାରୀ ହେଉଛି । ୨୦୨୫-୨୬ ଶିକ୍ଷା ବର୍ଷରେ ରେକର୍ଡ ସଂଖ୍ୟକ ୬୮,୯୧୦ ଜଣ ହିତାଧିକାରୀଙ୍କ ସନ୍ତାନଙ୍କୁ ୨୯୧.୬୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯାଇଛି । ସରକାରୀ ସୁବିଧା ପାଇବା ପାଇଁ “ଫାର୍ମରସ ରେଜିଷ୍ଟ୍ରି” ରେ ଚାଷୀମାନେ ନିଜ ଜମିର ତଥ୍ୟ ସହ ପଞ୍ଜୀକରଣ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହା ସହିତ ପ୍ରାଣୀପାଳନ, ମାଛ ଚାଷ, ‘ଶ୍ରୀ ଅନ୍ନ ଅଭିଯାନ’ (ମାଣ୍ଡିଆ ଚାଷ) ଏବଂ ଜାତୀୟ ଡାଲି ମିଶନ ଉପରେ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି ଏବଂ ଗତବର୍ଷ ରାଜ୍ୟରେ ୪,୮୮୬ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟରେ ୬.୯୨ ଲକ୍ଷ କ୍ୱିଣ୍ଟାଲ ମାଣ୍ଡିଆ ସଂଗ୍ରହ କରାଯାଇଛି ବୋଲି ସେ ପ୍ରକାଶ କରିଥଲେ । ଏଥି ସହିତ ମୁଖ୍ୟମନ୍ତ୍ରୀ କୃଷି ଉଦ୍‌ଯୋଗ ଯୋଜନାରେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ରିହାତି ବ୍ୟବସ୍ଥା ରହିଛି । ଅଭିଭାଷଣ ଶେଷରେ ମୁଖ୍ୟମନ୍ତ୍ରୀ ସମସ୍ତ ଚାଷୀ ଭାଇଭଉଣୀଙ୍କୁ ଆଗାମୀ ଗଣପର୍ବ ‘ନୂଆଁଖାଇ’ର ଆଗୁଆ ଶୁଭେଚ୍‌ଛା ଓ ଅଭିନନ୍ଦନ ଜଣାଇଥିଲେ ।

ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରି କହିଥିଲେ ଯେ, ଚଳିତ ବର୍ଷ ରାଜ୍ୟରେ ଖାଦ୍ୟ ଶସ୍ୟ, ଫଳ ଓ ପନିପରିବା କ୍ଷେତ୍ରରେ ରେକର୍ଡ଼ ପରିମାଣର ଉତ୍ପାଦନ ହୋଇଛି । ଏପରିକି ଓଡ଼ିଶାରେ ଉତ୍ପାଦିତ କପା ଦେଶର ସର୍ବଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ‘କସ୍ତୁରୀ କଟନ’ ତାଲିକାରେ ଅନ୍ତର୍ଭୁକ୍ତ ହୋଇପାରିଛି । ଏହି ସମସ୍ତ ସଫଳତା ଏବଂ ଐତିହାସିକ ଉପଲବ୍ଧି ପାଇଁ ସେ ରାଜ୍ୟର ସମସ୍ତ କୃଷକ ଭାଇଭଉଣୀମାନଙ୍କୁ ଆନ୍ତରିକ ଧନ୍ୟବାଦ ଓ ସାଧୁବାଦ ଜଣାଇଥିଲେ ।

ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଚାଷୀଙ୍କୁ ସମ୍ବୋଧନ କରି କହିଥିଲେ ଯେ, ବନ୍ୟା ଅଞ୍ଚଳ ଗୁଡ଼ିକୁ ସରକାରଙ୍କ ଅଧିକାରୀଙ୍କ ସମେତ ମନ୍ତ୍ରୀ ମଣ୍ଡଳ ମଧ୍ୟ ଯାଇ ପ୍ରତ୍ୟକ୍ଷ ଭାବେ ଅନୁଧ୍ୟାନ କରିଛନ୍ତି । ବନ୍ୟା ପ୍ରପୀଡିତ ଚାଷୀଙ୍କୁ ସରକାରଙ୍କ ତରଫରୁ ସହାୟତା ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ନିଜ ଅଭିଭାଷଣରେ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଷୟରେ ଆଲୋକପାତ କରି କହିଛନ୍ତି ଯେ, ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଯିଏ କି ଚାଷୀମାନଙ୍କୁ ସବୁଠାରୁ ଅଧିକ ସବସିଡି ପ୍ରଦାନ କରୁଛି । ଏହି ସମାରୋହରେ ସି.ଏମ୍‌-କିଷାନ୍ ଯୋଜନାର ଅନେକ ସଫଳ ହିତାଧିକାରୀ ମଧ୍ୟ ନିଜର ଅନୁଭୂତି ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ ।


Reporterspen