ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍): ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ ଠାରେ ୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରମାନଙ୍କ ଦୀକ୍ଷାନ୍ତ ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଦୁଇ ବର୍ଷର କଠୋର ଇନ୍ଡୋର ଓ ଆଉଟ୍ଡୋର ପ୍ରଶିକ୍ଷଣ ସଫଳତାର ସହ ସମ୍ପୂର୍ଣ୍ଣ କରିଥିବା ୩୩୬ ଜଣ ନବନିଯୁକ୍ତ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏହି ବ୍ୟାଚ୍ରେ ୭୦ ଜଣ ମହିଳା ସବ୍-ଇନ୍ସପେକ୍ଟର ସାମିଲ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିବା ସହ ଏହା ଓଡ଼ିଶାର ନାରୀ ସଶକ୍ତିକରଣ ଓ ପରିବର୍ତ୍ତିତ ସାମାଜିକ ଚିତ୍ରର ଏହା ଏକ ଉଜ୍ଜ୍ୱଳ ପ୍ରତିଫଳନ ବୋଲି କହିଛନ୍ତି ।
ଦୀକ୍ଷାନ୍ତ ସମାରୋହକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜିର ଏହି ଦିନଟି କେବଳ ଏକ ଔପଚାରିକ ପରେଡ଼ ନୁହେଁ, ବରଂ ନିଷ୍ଠା, ଶୃଙ୍ଖଳା, ତ୍ୟାଗ ଓ ଉତ୍କର୍ଷର ଉତ୍ସବ । ପୋଲିସ ପୋଷାକ କେବଳ ଏକ ୟୁନିଫର୍ମ ନୁହେଁ, ଏହା ସମ୍ବିଧାନ ପ୍ରଦତ୍ତ କ୍ଷମତା ଓ ସମାଜ ସେବାର ଗୁରୁଦାୟିତ୍ୱ ବହନ କରେ । ବର୍ଦ୍ଦି ଦେଉଥିବା କ୍ଷମତାର ସଦୁପଯୋଗ କରି ପ୍ରତ୍ୟେକ ଅଧିକାରୀ ସମାଜର ଦୁର୍ବଳ ଶ୍ରେଣୀକୁ ନ୍ୟାୟ ପ୍ରଦାନ କରିବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଥିଲେ । ଆଧୁନିକ ଅପରାଧ, ଟେକ୍ନୋଲୋଜିର ବ୍ୟବହାର ଓ ସାଇବର ଠକେଇର ମୁକାବିଲା ପାଇଁ ଓଡ଼ିଶା ପୋଲିସ ନିଜକୁ ନିରନ୍ତର ଅପ୍ଡେଟ୍ କରୁଥିବାରୁ ସେ ସନ୍ତୋଷ ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦକ୍ଷ ପରିଚାଳନାରେ ରାଜ୍ୟରୁ ମାଓ ଓ ନକ୍ସଲ ହିଂସା ସମ୍ପୂର୍ଣ୍ଣ ଦମନ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।
ଆଗାମୀ ଦଶ ବର୍ଷ ମଧ୍ୟରେ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଶିଳ୍ପାୟନ ଏବଂ ଶାନ୍ତି-ଶୃଙ୍ଖଳା ଅପରିହାର୍ଯ୍ୟ ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ ପୋଲିସ ବିଭାଗର ଆଧୁନିକୀକରଣ ଓ ମାନବ ସମ୍ବଳ ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଗତ ଦୁଇ ବର୍ଷ ମଧ୍ୟରେ ପୋଲିସ ବିଭାଗରେ ୧୭ ହଜାର ୭ଶହ ୯୪ଟି ନୂତନ ପଦବୀ ସୃଷ୍ଟି କରାଯିବା ସହ ୫ ହଜାର ୮ଶହ ୧୭ଟି ପଦବୀ ପୂରଣ କରାଯାଇଛି ଏବଂ ଥାନାଗୁଡ଼ିକର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ଯାନବାହାନ ଓ ଇନ୍ଧନ ଭତ୍ତା ପ୍ରଦାନ କରାଯାଉଛି । ଏହା ସହିତ ୨୦୨୯ ସୁଦ୍ଧା ଓଡ଼ିଶାକୁ ‘ନିଶାମୁକ୍ତ ରାଜ୍ୟ’ରେ ପରିଣତ କରିବା ପାଇଁ ସରକାର ସଂକଳ୍ପବଦ୍ଧ ବୋଲି ସେ ଦୋହରାଇଛନ୍ତି ।
ପୋଲିସ ବାହିନୀକୁ ଅଧିକ କ୍ରିୟାଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ପୋଲିସିଂ ନୀତି ଆପଣାଇବାକୁ ଆହ୍ୱାନ ଦେବା ସହ ନବନିଯୁକ୍ତ ଅଧିକାରୀମାନଙ୍କୁ ତିନୋଟି ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି । ସରକାରଙ୍କ ‘ଶୂନ୍ୟ ସହନଶୀଳତା’ ନୀତିକୁ ଆଧାର କରି ଦୁର୍ନୀତିରୁ ସମ୍ପୂର୍ଣ୍ଣ ଦୂରେଇ ରହିବା, ୟୁନିଫର୍ମ ସର୍ଭିସରେ ସର୍ବୋଚ୍ଚ ଶୃଙ୍ଖଳା ବଜାୟ ରଖିବା ଏବଂ କ୍ଷମତାର ଅପବ୍ୟବହାର ନକରି ନିର୍ଦ୍ଦୋଷଙ୍କୁ ସୁରକ୍ଷା ଓ ଅପରାଧୀଙ୍କୁ ଆଇନ ଅନୁଯାୟୀ ଦଣ୍ଡ ଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି । କୌଣସି ଅପରାଧୀ ଯେପରି ଖସି ନଯାଆନ୍ତି ଏବଂ ଜଣେ ହେଲେ ନିର୍ଦ୍ଦୋଷ ଯେପରି ହଇରାଣ ନହୁଅନ୍ତି, ସେଥିପ୍ରତି ସଜାଗ ରହି ‘ସେବା ଓ ସୁରକ୍ଷା’ ମନ୍ତ୍ରରେ କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ସମାରୋହରେ ପୋଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର କହିଛନ୍ତି ଯେ, ପୋଲିସ ଅଧିକାରୀମାନେ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ କାର୍ଯ୍ୟ କରିବା ଉଚିତ । ପୋଲିସ ସେବାରେ ଅନେକ ସମସ୍ୟା ଓ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲେ ମଧ୍ୟ, ସେମାନଙ୍କୁ ସମ୍ପୂର୍ଣ୍ଣ ସାହସିକତା, ନିଷ୍ଠା ଓ ସାଧୁତାର ସହିତ ନିଜର ଦାୟିତ୍ୱ ତୁଲାଇବାକୁ ହେବ । ଏହା ସହିତ ସାଇବର ଅପରାଧ ଭଳି ଆଧୁନିକ ସମସ୍ୟାର ମୁକାବିଲା କରିବା ପାଇଁ ପ୍ରଯୁକ୍ତିବିଦ୍ୟା ଏବଂ ସ୍ମାର୍ଟ ପୋଲିସିଂ ବ୍ୟବସ୍ଥାର ଉପଯୋଗ କରିବା ଜରୁରୀ ଅଟେ । ନକ୍ସଲ ବିରୋଧୀ ଅଭିଯାନ କ୍ଷେତ୍ରରେ ଓଡ଼ିଶା ପୋଲିସ ଉଲ୍ଲେଖନୀୟ ସଫଳତା ହାସଲ କରିଛି ।
ଏହି ଅସାଧାରଣ କୃତିତ୍ୱ ଓ ସଫଳତା ପାଇଁ ସେ ସମଗ୍ର ଓଡ଼ିଶା ପୋଲିସ ବାହିନୀକୁ ଧନ୍ୟବାଦ ଜଣାଇଛନ୍ତି । ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ତଥା ପୋଲିସ ମହାନିରୀକ୍ଷକ ଅନୁପ କୁମାର ସାହୁ ସ୍ୱାଗତ ଅଭିଭାଷଣ ଦେବା ସହ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ଏହି ଦୀକ୍ଷାନ୍ତ ସମାରୋହରେ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀ, ଇନ୍ଡୋର ଓ ଆଉଟ୍ଡୋର ପ୍ରଶିକ୍ଷକବୃନ୍ଦ, ନବନିଯୁକ୍ତ କ୍ୟାଡେଟ୍ମାନଙ୍କ ଅଭିଭାବକ ଓ ପରିବାର ସଦସ୍ୟ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

