‘ଓଡ଼ିଶା ଜନ ବିଶ୍ୱାସ ବିଲ୍-୨୦୨୬’କୁ କ୍ୟାବିନେଟ୍ର ସବୁଜ ସଙ୍କେତ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ଓଡ଼ିଶା କ୍ୟାବିନେଟ୍ ବୈଠକରେ ୧୨ଟି ସରକାରୀ ବିଭାଗ ସମ୍ପର୍କିତ ୧୮ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହି ବୈଠକର ଅନ୍ୟତମ ପ୍ରମୁଖ ନିଷ୍ପତ୍ତି ହେଉଛି ‘ଓଡ଼ିଶା ଜନ ବିଶ୍ୱାସ ବିଲ୍-୨୦୨୬’କୁ ଅନୁମୋଦନ।
ରାଜ୍ୟରେ ନିୟାମକ ସଂସ୍କାର ପ୍ରକ୍ରିୟାକୁ ଆହୁରି ବ୍ୟାପକ କରିବା ଲକ୍ଷ୍ୟରେ ଏହି ବିଲ୍ ପ୍ରସ୍ତୁତ କରାଯାଇଛି। ୨୦୨୫ର ‘ଓଡ଼ିଶା ଜନ ବିଶ୍ୱାସ ଆଇନ’ ପରେ ଏହାକୁ ସଂସ୍କାରର ଦ୍ୱିତୀୟ ଓ ବ୍ୟାପକ ପର୍ଯ୍ୟାୟ ବୋଲି ବିବେଚନା କରାଯାଉଛି।
୧୬ଟି ଆଇନର ୬୨ଟି ବ୍ୟବସ୍ଥାରେ ସଂଶୋଧନ
‘ଓଡ଼ିଶା ଜନ ବିଶ୍ୱାସ ବିଲ୍-୨୦୨୬’ରେ ୧୧ଟି ସରକାରୀ ବିଭାଗ ଅଧୀନରେ ଥିବା ୧୬ଟି ରାଜ୍ୟ ଆଇନର ୬୨ଟି ବ୍ୟବସ୍ଥାରେ ସଂଶୋଧନ ପ୍ରସ୍ତାବ ରହିଛି। ଏହି ସଂଶୋଧନଗୁଡ଼ିକୁ ଦୁଇଟି ସିଡ୍ୟୁଲ୍ରେ ବିଭକ୍ତ କରାଯାଇଛି।
ସିଡ୍ୟୁଲ୍-୧ରେ ୧୧ଟି ଆଇନର ୩୫ଟି ବ୍ୟବସ୍ଥାରେ ସଂଶୋଧନ ପ୍ରସ୍ତାବ ରହିଛି। ଏଥିରେ ଛୋଟ, ବୈଷୟିକ ଓ ପ୍ରକ୍ରିୟାଗତ ଅପରାଧକୁ ଅପରାଧମୁକ୍ତ କରିବା ସହ ଦଣ୍ଡ ବ୍ୟବସ୍ଥାକୁ ଯୁକ୍ତିସଙ୍ଗତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
ସେହିପରି ସିଡ୍ୟୁଲ୍-୨ରେ ୫ଟି ଆଇନର ୨୭ଟି ବ୍ୟବସ୍ଥାରେ ସଂଶୋଧନ ପ୍ରସ୍ତାବ ରହିଛି। ଏଥିରେ ୯ଟି ନିୟାମକ ଅନୁମୋଦନ ପ୍ରକ୍ରିୟାକୁ ସରଳ କରିବା ଲକ୍ଷ୍ୟ ରହିଛି।
ଛୋଟ ଅପରାଧ ପାଇଁ ଦଣ୍ଡ ବ୍ୟବସ୍ଥାରେ ପରିବର୍ତ୍ତନ
ପ୍ରସ୍ତାବିତ ସଂସ୍କାର ଅନୁଯାୟୀ, କିଛି ଛୋଟ ଓ ପ୍ରକ୍ରିୟାଗତ ଅପରାଧ ପାଇଁ ଜେଲ୍ ଦଣ୍ଡ କିମ୍ବା ପାରମ୍ପରିକ ଜରିମାନା ବଦଳରେ ଅନୁପାତିକ ଆର୍ଥିକ ଦଣ୍ଡର ବ୍ୟବସ୍ଥା କରାଯାଇପାରେ। ଏଥିସହ ପୁରୁଣା ଦଣ୍ଡ ବ୍ୟବସ୍ଥାକୁ ଯୁକ୍ତିସଙ୍ଗତ କରିବା ସହ ପ୍ରଶାସନିକ ଓ ଅପିଲ୍ ପ୍ରକ୍ରିୟାକୁ ସରଳ କରିବା ପ୍ରସ୍ତାବ ରହିଛି।
ଏହା ଫଳରେ ଛୋଟ ପ୍ରକ୍ରିୟାଗତ ତ୍ରୁଟି ପାଇଁ ଲୋକେ ଅନାବଶ୍ୟକ ଆଇନଗତ ଜଟିଳତାରେ ଫସିବାରୁ ରକ୍ଷା ପାଇପାରିବେ ବୋଲି ସରକାର ଆଶା ରଖିଛନ୍ତି।
ଲାଇସେନ୍ସ ଓ NOC ପ୍ରକ୍ରିୟା ହେବ ସରଳ
ବିଲ୍ର ଅନ୍ୟ ଏକ ପ୍ରମୁଖ ଦିଗ ହେଉଛି ଲାଇସେନ୍ସ ଓ ନିୟାମକ ଅନୁମୋଦନ ପ୍ରକ୍ରିୟାକୁ ସରଳ କରିବା। କିଛି ଲାଇସେନ୍ସ ଓ ଅନୁମୋଦନର ବୈଧତା ଅବଧି ବଢ଼ାଇବା, ବାରମ୍ବାର ନବୀକରଣର ଆବଶ୍ୟକତା କମାଇବା କିମ୍ବା ହଟାଇବା ଏବଂ ସୂଚନା ଆଧାରିତ ପଞ୍ଜୀକରଣ ଓ NOC ବ୍ୟବସ୍ଥା ଆଣିବା ପ୍ରସ୍ତାବ ରହିଛି।
ଏହାଛଡ଼ା ଯେଉଁଠାରେ ସମାନ ପ୍ରକାରର ଅନୁମତି ପୂର୍ବରୁ ମିଳିଛି, ସେଠାରେ ଦ୍ୱିତୀୟ ଥର ସମାନ ଅନୁମତି ନେବାର ଆବଶ୍ୟକତା ହଟାଇବାକୁ ପ୍ରସ୍ତାବ ରହିଛି।
ବ୍ୟବସାୟୀଙ୍କ ଉପରୁ କମିବ ଅନୁପାଳନ ବୋଝ
ପୌରସଂସ୍ଥା ଓ ସ୍ଥାନୀୟ ନିକାୟ ସ୍ତରରେ ମଧ୍ୟ ନିୟମକୁ ସରଳ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଗୋଟିଏ ବ୍ୟବସାୟ ପାଇଁ ଯଦି ସହରାଞ୍ଚଳ ସ୍ଥାନୀୟ ନିକାୟ ପକ୍ଷରୁ ଟ୍ରେଡ୍ ଲାଇସେନ୍ସ ଭଳି ସମାନ ଅନୁମୋଦନ ମିଳିସାରିଛି, ତେବେ ଅନ୍ୟ ବିଭାଗରୁ ପୁଣି ସମାନ ଲାଇସେନ୍ସ ନେବାର ଆବଶ୍ୟକତା ନ ରହିବା ଦିଗରେ ବ୍ୟବସ୍ଥା କରାଯିବ।
କୃଷି ବଜାର ଲାଇସେନ୍ସର ବୈଧତା ବଢ଼ାଇବା, ଗ୍ରାମ ପଞ୍ଚାୟତ ସ୍ତରରେ ଲାଇସେନ୍ସ ବ୍ୟବସ୍ଥାକୁ ସରଳ କରିବା, ନାମଫଳକ, ସର୍ବସାଧାରଣ ରାସ୍ତାରେ କାର୍ଯ୍ୟ ଏବଂ କିଛି ଅସ୍ଥାୟୀ ବାଣିଜ୍ୟିକ କାର୍ଯ୍ୟକଳାପ ପାଇଁ ଅନୁମତି ପ୍ରକ୍ରିୟାକୁ ସହଜ କରିବା ଭଳି ପ୍ରସ୍ତାବ ମଧ୍ୟ ବିଲ୍ରେ ରହିଛି।
ନିବେଶ ଓ ନାଗରିକଙ୍କ ବିଶ୍ୱାସ ବଢ଼ାଇବା ଲକ୍ଷ୍ୟ
ଶିଳ୍ପ ବିଭାଗ ଅନୁଯାୟୀ, ଏହି ନିୟାମକ ସଂସ୍କାର ଦ୍ୱାରା ନାଗରିକ ଓ ବ୍ୟବସାୟୀଙ୍କ ଉପରେ ଅନୁପାଳନର ବୋଝ କମିବ। ଏଥିସହ ମାମଲା ହ୍ରାସ, ପ୍ରକ୍ରିୟାଗତ ବିଳମ୍ବ ଦୂର ହେବା ଏବଂ ପ୍ରଶାସନିକ କାର୍ଯ୍ୟଦକ୍ଷତା ବଢ଼ିବ ବୋଲି ଆଶା କରାଯାଉଛି।
ନିୟମ ଓ ଅନୁମୋଦନ ପ୍ରକ୍ରିୟାରେ ଅଧିକ ବିଶ୍ୱାସଭିତ୍ତିକ ଶାସନ ବ୍ୟବସ୍ଥା ଆଣିବା ସହ ନାଗରିକ ଓ ନିବେଶକଙ୍କ ବିଶ୍ୱାସ ବଢ଼ାଇବା ମଧ୍ୟ ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ରହିଛି।
କ୍ୟାବିନେଟ୍ ବୈଠକରେ ମୋଟ ୧୨ଟି ବିଭାଗର ୧୮ଟି ପ୍ରସ୍ତାବକୁ ଅନୁମୋଦନ ମିଳିଥିବାବେଳେ, ଅନ୍ୟ ପ୍ରସ୍ତାବଗୁଡ଼ିକର ସବିଶେଷ ତଥ୍ୟ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ।

