ସଂଶୋଧିତ ଏମ୍‌ଏମ୍‌ଡିଆର୍ ଆଇନ-୨୦୨୬କୁ ନେଇ ମିଥ୍ୟା ପ୍ରଚାର କରୁଛନ୍ତି ବିରୋଧୀ ଦଳ: ଅମର ପଟ୍ଟନାୟକ

Reporterspen

 ସଂଶୋଧିତ ରୟାଲ୍ଟି ନୀତି ଓ ଇ-ଅକ୍ସନ କାରଣରୁ ଓଡିଶାର ଖଣି ରାଜସ୍ୱ ଆଦାୟରେ ୮୬୧ ପ୍ରତିଶତ ଉନ୍ନତି ହୋଇଛି
 ରାଜ୍ୟର କ୍ଷମତା ଯାହା ଥିଲା, ତାହା ସଂପୂର୍ଣ୍ଣ ସୁରକ୍ଷିତ ରହିବ ଏବଂ ଏହା ଦ୍ୱାରା ରାଜ୍ୟର କ୍ଷତି ନୁହେଁ ବରଂ ଲାଭ ହେବ
 ରାଜ୍ୟରେ ଶିଳ୍ପାୟନ ବୃଦ୍ଧି ପାଇବ, ନୂତନ ରୋଜଗାର ଓ ନିଯୁକ୍ତି ସୃଷ୍ଟି ହେବ, ‘ଇଜ୍ ଅଫ୍ ବିଜିନେସ’ ତ୍ୱରିତ ହେବ

ଭୁବନେଶ୍ୱର, (ରିପୋର୍ଟର୍ସପେନ୍‌): ପ୍ରେସ କନଫରେନ୍ସ କରି ଗଣମାଧ୍ୟମରେ ବିବୃତି ଦେବା ଏବଂ ପ୍ରକୃତ ଆଭିମୁଖ୍ୟ ଭିତରେ ଅନେକ ତଫାତ୍ ରହିଛି । ସଂଶୋଧିତ ଏମ୍‌ଏମ୍‌ଡିଆର୍ ଆଇନ-୨୦୨୬କୁ ନେଇ ଗତ କିଛି ଦିନ ହେଲା ବିଜେଡି ଓ କଂଗ୍ରେସ ସମେତ ବିରୋଧୀ ଦଳଗୁଡିକ ନକରାତ୍ମକ ପ୍ରଚାର କରୁଛନ୍ତି । ବିଶେଷ ଭାବେ ଦୀର୍ଘ ୨୪ ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜେଡି ବର୍ତ୍ତମାନ ଗଣମାଧ୍ୟମକୁ ଆସି ଅପପ୍ରଚାର କରୁଛି । ସୁନା ଅଣ୍ଡା ଦେଉଥିବା କୁକୁଡାକୁ ମାରି ଦେବା ଭଳି ବିଜେଡି ସରକାର ଖଣି ଏବଂ ଖଣିଜ ସଂପଦ କ୍ଷେତ୍ରକୁ ବ୍ୟବହାର କରି ହରିଲୁଟ କରିଥିଲା । ବାସ୍ତବରେ ବିଜେଡିର ଶାସନ କାଳରେ ଖଣି ସଂସ୍କାର ଏବଂ ତତ୍‌ଜନିତ ରାଜସ୍ୱକୁ ନେଇ ତାଙ୍କ ଆଭିମୁଖ୍ୟ ଭିନ୍ନ ଭିନ୍ନ ଥିବାର ସ୍ପଷ୍ଟ ହେଉଛି । ପୂର୍ବ ସରକାର ମାଇନିଙ୍ଗ ସେକ୍ଟରର ଉନ୍ନତି ପାଇଁ କିଛି କରିନଥିଲେ । ଡିଏମଏଫ୍ ପାଂଠିରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତିର ପର୍ଦ୍ଦାଫାଶ ହୋଇଛି । ବିଜେଡି ସରକାର ଅମଳରେ ବ୍ୟାପକ ହରିଲୁଟ ହୋଇଥିଲା । ଅତୀତରେ ଜିଏସଟି ଭଳି ଆର୍ଥିକ ସଂସ୍କାରକୁ ବିରୋଧ କରୁଥିବା ବିଜେଡି, କଂଗ୍ରେସ ଏବଂ ସମଭାବପନ୍ନ ବିରୋଧୀ ଦଳଗୁଡିକର ଆଭିମୁଖ୍ୟ ସମାନ ଭାବେ ଏମ୍‌ଏମ୍‌ଡିଆର୍ ଆଇନ ସଂସ୍କାର କ୍ଷେତ୍ରରେ ପରିପ୍ରକାଶ କରୁଛନ୍ତି ବୋଲି ବରିଷ୍ଠ ନେତା ତଥା ରାଜ୍ୟସଭାର ପୂର୍ବତନ ସାଂସଦ ଶ୍ରୀ ଅମର ପଟ୍ଟନାୟକ କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଦେଶରେ ଥିବା ଖଣିଜ ସଂପଦଗୁଡିକର ସୁପରିଚାଳନା, ସୁରକ୍ଷା, ନିୟନ୍ତ୍ରଣ ଏବଂ ସ୍ୱଚ୍ଛତାର ସହ ଆବଂଟନ କରିବା ହେଉଛି ସଂଶୋଧିତ ଏମ୍‌ଏମ୍‌ଡିଆର୍ ଆଇନ-୨୦୨୬ର ମୁଳ ଲକ୍ଷ୍ୟ । ବିଭିନ୍ନ ରାଜ୍ୟଗୁଡିକର ୧୪ଟି ବିଭିନ୍ନ ପ୍ରକାରର ଟ୍ୟାକ୍ସ, ସେସ୍‌, ଫି ଆଦି ହଟାଯାଇ ଟ୍ୟାକ୍ସ ବିଶୃଙ୍ଖଳା ଦୂର କରାଯିବ । ସମସ୍ତ ରାଜ୍ୟରେ ରାଜ୍ୟସ୍ତରୀୟ ଟ୍ୟାକ୍ସ ବ୍ୟବସ୍ଥାରେ ସମାନତା ଅଣାଯିବ । ଏହା ପୂର୍ବାନୁମାନ ଯୋଗ୍ୟତା ଏବଂ ସଂସ୍ଥାଗତ ସ୍ଥିରତା ଆସିବା ଦ୍ୱାରା ଖଣି କ୍ଷେତ୍ରରେ ସାମଗ୍ରିକ ଅଭିବୃଦ୍ଧି ପାଇଁ ଲାଭଦାୟକ ହେବ । ଖଣି ପରିଚାଳନାକୁ ବ୍ୟବସାୟିକ ଭାବେ ଲାଭଜନକ ଓ ପ୍ରତିଯୋଗିତାମୁଳକ କରିବ । ସିମେଂଟ, ଲୁହାଛଡ, ଷ୍ଟିଲ ଆଦି ଭଳି ଖଣି ଆଧାରିତ ଶିଳ୍ପ ଓ ବସ୍ତୁର ଦରଦାମ ଉପରେ ନିୟନ୍ତ୍ରଣ ରହିବା ଦ୍ୱାରା ଉପଭୋକ୍ତାଙ୍କ ସ୍ୱାର୍ଥ ସୁରକ୍ଷିତ ରହିବ । ଖଣିଜ କ୍ଷେତ୍ରରେ ନୂତନ ନିବେଶକଙ୍କୁ ଆକର୍ଷିତ କରିବ । ଏହା କେନ୍ଦ୍ର ସରକାରଙ୍କ ହୋଇଥିଲେ ହେଁ, ଏହା ମାଧ୍ୟମରେ ରାଜ୍ୟଗୁଡିକୁ ରୋୟାଲ୍ଟି ଓ ରାଜସ୍ୱ ମିଳିଥାଏ, ଯାହା ରାଜ୍ୟର ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରେ । ଏହି ଆଇନରେ କୈାଣସି ପରିବର୍ତ୍ତନ କେନ୍ଦ୍ର ସରକାରଙ୍କ ଦ୍ୱାରା ହୋଇଥାଏ । ଏହି ଆଇନ କାର୍ଯ୍ୟକାରୀ ହେବା କାରଣରୁ ଖଣିଜ ସଂପଦ ଭରପୁର ଓଡିଶା ରାଜ୍ୟରେ ଖଣି କ୍ଷେତ୍ରରେ ସଂସ୍କାର ଓ ପାରଦର୍ଶିତା ଆସିବା ସହିତ ଅର୍ଥନୀତିରେ ଦୃତ ପ୍ରଗତି ହୋଇଛି । କେନ୍ଦ୍ରର ନୂତନ ଆଇନ ଅନୁଯାୟୀ ଟ୍ୟାକ୍ସ ପ୍ରକ୍ରିୟାରେ ସମାନତା ରହିବା ଦ୍ୱାରା ଖଣି ଅଂଚଳ ଓ ରାଜ୍ୟଗୁଡିକ ଳାଭାନ୍ୱିତ ହେବେ । ଶିଳ୍ପ ଓ ଶିଳ୍ପାୟନ ଉପରେ ଅଧିକ ଟ୍ୟାକ୍ସ ବୋଝ ପଡିବ ନାହିଁ । ଯୁକ୍ତିଯୁକ୍ତ ସୀମା ନଥାଇ ରାଜ୍ୟ ସରକାରମାନଙ୍କ ଦ୍ୱାରା ଖଣିଜ ଅଧିକାର ଏବଂ ଖଣିଜ ସଂପଦ ବିଶିଷ୍ଟ ଜମି ଉପରେ ଅସମାନ ଭାବରେ ଟ୍ୟାକ୍ସ କିମ୍ବା ଅନ୍ୟାନ୍ୟ ଶୁଳ୍କ ଲାଗୁ କରିବା ଦ୍ୱାରା ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ । ସେହିପରି କେନ୍ଦ୍ର ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ନିୟମକୁ ମାନି ରାଜ୍ୟ ସରକାର ଟ୍ୟାକ୍ସ ଲଗାଇ ପାରିବେ । ରାଜ୍ୟର କ୍ଷମତା ହ୍ରାସ ହେବା, ସଂଘୀୟ ବ୍ୟବସ୍ଥା କୁଠାରଘାତ ହେବା, ରାଜ୍ୟର ଆର୍ଥିକ କ୍ଷତି ହେବା ଭଳି ବିରୋଧୀଙ୍କ ବକ୍ତବ୍ୟ ଅତ୍ୟନ୍ତ ଭ୍ରମାତ୍ମକ ଓ ହାତ୍ସ୍ୟାସ୍ପଦ । ବୋଧହୁଏ, ବିରୋଧୀ ଦଳଗୁଡିକ ନୂତନ ସଂଶୋଧିତ ଆଇନ ଏବଂ ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟକୁ ଭଲ ଭାବେ ପଢିନାହାନ୍ତି କିମ୍ବା ବୁଝିବାକୁ ଅସମର୍ଥ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ଯେଉଁମାନେ ଆଜି ଖଣି ଖାଦାନ ଏବଂ ସଂଶୋଧିତ ଏମ୍‌ଏମ୍‌ଡିଆର୍ ଆଇନ-୨୦୨୬କୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ସେମାନେ ୨୦୧୫ ମସିହା ପର୍ଯ୍ୟନ୍ତ କୁଆଡେ ଯାଇଥିଲେ ? କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ସରକାର ଆସିବା ପରେ ପ୍ରଥମ ଥର ପାଇଁ ଇ-ଅକ୍ସନ ବ୍ୟବସ୍ଥା ଆଣିଥିଲେ । ଏହା ପୂର୍ବରୁ ଖଣି ଖାଦାନଗୁଡିକୁ ପୂର୍ବ ସରକାରମାନେ ନିର୍ଦ୍ଦିଷ୍ଟ କିଛି ପରିବାର ଆଧାରରେ ମୁହଁ ଦେଖି ଶାଗମାଛ ଦରରେ ଖଣି ମାଫିଆଙ୍କୁ ଦେଇ ଦେଉଥିଲେ । ଖଣିମାଫିଆମାନେ ବେନିୟମ ଏବଂ ମନଇଚ୍ଛା ଖଣିଜ ଉତ୍ତୋଳନ କରି ଖଣିଜ ପଦାର୍ଥ ଲୁଟ କରୁଥିଲେ ଏବଂ ମାଲେମାଲ ହେଉଥିଲେ, କିନ୍ତୁ ରାଜ୍ୟକୁ କିଛି ମିଳୁନଥିଲା । ତତ୍କାଳୀନ ସିଏଜି ରିପୋର୍ଟ ଏବଂ ପରବର୍ତ୍ତୀ ସମୟରେ ୨୦୧୪ ମସିହାରେ ଶାହା କମିଶନ ରିପୋର୍ଟ ଆଧାରରେ ପାଖାପାଖି ୬୦ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିବା ରିପୋର୍ଟ ପ୍ରକାଶ ପାଇଲା ଏବଂ ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ଶାହା କମିଶନ ସୁପାରିଶ କରିଥିଲେ । ତତ୍କାଳୀନ ବିଜେଡି ସରକାର କାହିଁକି ସିବିଆଇ ତଦନ୍ତକୁ ବିରୋଧ କରିଥିଲେ ? ଅନ୍ୟ ପଟେ ଧାର୍ଯ୍ୟ ହୋଇଥିବା ଜୋରିମାନା ଅର୍ଥ ୬୦ ହଜାର କୋଟି ଟଙ୍କାରୁ ୨୦୧୫ରୁ ୨୦୨୪ ପର୍ଯ୍ୟନ୍ତ ବିଜେଡି ସରକାର କାହିଁକି ମାତ୍ର ୧୫ ହଜାର କୋଟି ଟଙ୍କା ଆଦାୟ କରିଥିଲା ? ରାଜ୍ୟ ସ୍ୱାର୍ଥକୁ ପ୍ରାଥମିକତା ଦେଇଥିଲେ ତତ୍କାଳୀନ ବିଜେଡି ସରକାର ସଂପୂର୍ଣ୍ଣ ଜୋରିମାନା ଅର୍ଥ ୬୦ ହଜାର କୋଟି ଟଙ୍କା ଆଦାୟ କରିଥାନ୍ତେ, କିନ୍ତୁ କାହିଁକି କରିଲେ ନାହିଁ ? ସେହିପରି ନିଜ ଶାସନ କାଳ ମଧ୍ୟରେ ବିଜେଡି ସରକାର ୧୪ଟି ପ୍ରମୁଖ ଉଦ୍ୟୋଗର ୪୦୯୭ କୋଟି ଟଙ୍କାର ବିଦ୍ୟୁତ ବକେୟା ଏବଂ କୋଟି କୋଟି ଟଙ୍କାର ଜଳକର କାହିଁକି ଛାଡ କରିଥିଲେ? ଏହା ଦ୍ୱାରା ରାଜସ୍ୱ ହାନି ହେବାର ଆଶଂକା ସେମାନଙ୍କ ମନକୁ ଆସିନଥିଲା କାହିଁକି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।

ଖଣି କ୍ଷେତ୍ରରୁ ଆଦାୟ ହେଉଥିବା ୯୦ ପ୍ରତିଶତରୁ ଅଧିକ ରାଜସ୍ୱ ରାଜ୍ୟ ସରକାରଙ୍କ ପାଖକୁ ଯାଏ, କାରଣ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ରୟାଲ୍ଟି ଏବଂ ଡିଏମଏଫ ପାଂଠିର ଲାଭ ରାଜ୍ୟକୁ ମିଳିଥାଏ, କେନ୍ଦ୍ରକୁ ନୁହେଁ । ୨୦୧୫ ମସିହା ପରେ ଏମ୍‌ଏମ୍‌ଡିଆର୍ ଆଇନରେ ସଂସ୍କାର ଆସିବା ପରେ ଖଣି ବିତରଣ ଓ ଇ-ଅକ୍ସନ ଜରିଆରେ ଖଣି କ୍ଷେତ୍ର ଆବଂଟନ କରାଯାଇଛି । ସଂଶୋଧିତ ରୟାଲ୍ଟି ନୀତି ଓ ଇ-ଅକ୍ସନ କାରଣରୁ ଓଡିଶାର ଖଣି ରାଜସ୍ୱ ଆଦାୟରେ ୮୬୧ ପ୍ରତିଶତ ଉନ୍ନତି ହୋଇଛି । ୨୦୧୫ ମସିହାରେ ମାତ୍ର ୩୩୦୦ କୋଟି ଟଙ୍କା ରାଜସ୍ୱ ଆଦାୟ ହେଉଥିବାବେଳେ ବର୍ତ୍ତମାନ ଏହି ପରିମାଣ ୫୩ ହଜାର କୋଟି ଟଙ୍କାକୁ ପହଂଚିଛି । ଓଡିଶାର ବିକାଶ ପାଇଁ କେନ୍ଦ୍ର ସରକାର ଓ ବିଜେପି ସରକାରର ଇଚ୍ଛା ନଥିବା କହି ବିଜେଡି ଓ କଂଗ୍ରେସ ରାଜ୍ୟବାସୀଙ୍କୁ କେବଳ ବିଭ୍ରାନ୍ତ କରୁଛି । ବାସ୍ତବରେ ରାଜ୍ୟର କ୍ଷମତା ଯାହା ଥିଲା, ତାହା ସଂପୂର୍ଣ୍ଣ ସୁରକ୍ଷିତ ରହିବ ଏବଂ ଏହା ଦ୍ୱାରା ରାଜ୍ୟର କ୍ଷତି ନୁହେଁ ବରଂ ଲାଭ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ଏଣ୍ଟ୍ରି ନମ୍ବର ୧୮ ଅନୁଯାୟୀ ଜମି ହେଉଛି ରାଜ୍ୟ ସରକାରଙ୍କ ଅଧିନସ୍ଥ ପ୍ରସଙ୍ଗ । ୨୦୦୪ ମସିହାରେ ରାଜ୍ୟ ସରକାର ଅଣିଥିବା ‘ଓରିସେଡ ଆଇନ’ ଅନୁଯାୟୀ ଜମି ଉପରେ ୨୦ ପ୍ରତିଶତ ଟ୍ୟାକ୍ସ ଆଦାୟ କରିବାର ବ୍ୟବସ୍ଥା ରଖାଗଲା । ପରବର୍ତ୍ତୀ ସମୟରେ ମାନ୍ୟବର ହାଇକୋର୍ଟ ଏହା ଉପରେ ରୋକ ଲଗାଇଲେ, ଯାହାକି ବର୍ତ୍ତମାନ ସମୟରେ ଏହି ମାମଲାଟି ମାନ୍ୟବର ସୁପ୍ରିମକୋର୍ଟଙ୍କ ବିଚାରଧିନ ଅଛି ଏବଂ ଏହା ଉପରେ କୈାଣସି ନିଷ୍ପତ୍ତି ନିଆଯାଉପାରୁନାହିଁ । ସଂଶୋଧିତ ଏମ୍‌ଏମ୍‌ଡିଆର୍ ଆଇନ-୨୦୨୬ର ପ୍ରଣୟନ ଦ୍ୱାରା ଓଡିଶା ପାଇଁ ଲଙ୍ଗ ଟର୍ମରେ ନିଶ୍ଚିତ ଲାଭଦାୟକ ହେବ । ରାଜ୍ୟକୁ ମାଇନିଙ୍ଗ ରୟାଲଟି ଓ ଡିଏମଏଫରେ କୈାଣସି କ୍ଷତି ହେବ ନାହିଁ ବରଂ ଲାଭଦାୟକ ହେବ । ଜିଏସଟି ଭଳି ‘ଏକ ଦେଶ – ଏକ ଖଣିଜ ବଜାର’ ବ୍ୟବସ୍ଥା ଦୀର୍ଘମିଆଦି ଭିତ୍ତିରେ ସାରା ଦେଶରେ ଖଣି କ୍ଷେତ୍ରରେ ସୁଷମ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ । ସଂଶୋଧିତ ଏମ୍‌ଏମ୍‌ଡିଆର୍ ଆଇନ-୨୦୨୬ର ପ୍ରଣୟନ କାରଣରୁ ଓଡିଶା ଭଳି ଖଣିଜ ସଂପଦ ଭରପୁର ରାଜ୍ୟରେ ଶିଳ୍ପାୟନ ବୃଦ୍ଧି ପାଇବ, ନୂତନ ରୋଜଗାର ଓ ନିଯୁକ୍ତି ସୃଷ୍ଟି ହେବ, ‘ଇଜ୍ ଅଫ୍ ବିଜିନେସ’ ତ୍ୱରିତ ହେବ । ଓଡିଶା ରାଜ୍ୟର ପ୍ରଗତି ହେଲେ ଦେଶର ବିକାଶ ହେବ ଏବଂ ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ସ୍ୱପ୍ନ ପୂରଣ ହେବ ବୋଲି ଶ୍ରୀ ପଟ୍ଟନାୟକ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀ ଅବସରରେ ବିଧାୟକ ଶ୍ରୀ ଅଶୋକ ମହାନ୍ତି ଓ ଶ୍ରୀ ଅଗସ୍ତି ବେହେରା, ରାଜ୍ୟ ଗଣମାଧ୍ୟମ ସଂଯୋଜକ ଶ୍ରୀ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।


Reporterspen