ପାର୍ବଣ ପାଇଁ ଭୁବନେଶ୍ୱର ପୋଲିସର ବ୍ୟାପକ ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥା

Reporterspen

ଭୁବନେଶ୍ୱର,(ରିପୋର୍ଟର୍ସ ପେନ୍‌): ଆସନ୍ତା ପୂଜା ପାର୍ବଣକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ନିମନ୍ତେ କମିସନରେଟ୍ ପୋଲିସ ପକ୍ଷରୁ ଭୁବନେଶ୍ୱର ସହରାଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସହରର ସମୁଦାୟ ୧୯୫ଟି ପୂଜା ମଣ୍ଡପକୁ ଗହଳି ଏବଂ ସମ୍ବେଦନଶୀଳତା ଦୃଷ୍ଟିରୁ ଏ, ବି ଏବଂ ସି ବର୍ଗରେ ବିଭକ୍ତ କରାଯାଇ ଆବଶ୍ୟକୀୟ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ସାଧାରଣ ଜନତାଙ୍କ ସୁରକ୍ଷା ଓ ସୁବିଧା ପାଇଁ ପୋଲିସ ପକ୍ଷରୁ ନିମ୍ନଲିଖିତ ପଦକ୍ଷେପମାନ ଗ୍ରହଣ କରାଯାଇଛି ।

ପୋଲିସ ଫୋର୍ସ ମୁତୟନ ଏବଂ ପାଟ୍ରୋଲିଂ: ସହରର ବିଭିନ୍ନ ସ୍ଥାନରେ ପାଖାପାଖି ୧୦୦ ଜଣ ପୋଲିସ ଅଧିକାରୀ ଏବଂ ୧୮ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଅତ୍ୟଧିକ ଗହଳି ହେଉଥିବା ସ୍ଥାନଗୁଡ଼ିକରେ ଅଧିକ ଫୋର୍ସ ମୁତୟନ କରାଯିବା ସହ ଆପାତକାଳୀନ ପରିସ୍ଥିତିର ମୁକାବିଲା ପାଇଁ କୁଇକ୍ ରେସ୍ପନ୍ସ ଟିମ୍ ସଜାଗ ରହିଛନ୍ତି । ବିଶେଷକରି କ୍ୟାପିଟାଲ, ସହିଦନଗର, ଖାରବେଳନଗର ଏବଂ ଭରତପୁର ଭଳି ମୁଖ୍ୟ ଥାନା ଅଞ୍ଚଳ ଏବଂ ହାଇୱେ କଡ଼ରେ ବିଶେଷ ଫୋର୍ସ ମୁତୟନ କରାଯାଇଛି । ସମସ୍ତ ଥାନା ସ୍ତରରେ ମୋଟରସାଇକେଲ୍‌, ଫୋର-ହୁଇଲର୍ ଏବଂ ଫୁଟ୍ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ପୂଜା ମଣ୍ଡପରେ ସୁରକ୍ଷା ଓ ସିସିଟିଭି ନଜରଦାରୀ
ଏସିପି ଓ ଆଇଆଇସିମାନଙ୍କ ସ୍ତରରେ ସମସ୍ତ ପୂଜା କମିଟି ସହ ବୈଠକ କରାଯାଇ ମଣ୍ଡପ ଗୁଡ଼ିକରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଭିଡ଼ ଭିତରେ ଚେନ୍ ସ୍ନାଚିଂ ଏବଂ ଅସାମାଜିକ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ସାଦା ପୋଷାକରେ ପୋଲିସ ଏବଂ ମହିଳା ପୋଲିସ କର୍ମଚାରୀମାନଙ୍କୁ ମୁତୟନ କରାଯାଇଛି ।

ଟ୍ରାଫିକ୍ ଓ ପାର୍କିଂ ବ୍ୟବସ୍ଥା
ପାର୍ବଣ ସମୟରେ ଟ୍ରାଫିକ୍ ନିୟନ୍ତ୍ରଣ ଓ ସୁବିଧାଜନକ ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ରାସ୍ତା ଉପରେ ଗାଡ଼ି ପାର୍କିଂ ନ କରିବାକୁ ଏବଂ ରଙ୍ଗ୍ ରୁଟ୍ରେ ଗାଡ଼ି ନଚଲାଇବାକୁ ତଥା ପୋଲିସକୁ ସହଯୋଗ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।

ଚୋରି ନିୟନ୍ତ୍ରଣ ଓ ଅପରାଧୀଙ୍କ ଉପରେ ନଜରଦାରୀ
ଛୁଟିଦିନ ମାନଙ୍କରେ ଲୋକେ ବାହାରକୁ ବୁଲିବାକୁ ଯାଉଥିବାରୁ ବନ୍ଦ ଘରଗୁଡ଼ିକରେ ଚୋରି ହେବାର ଆଶଙ୍କା ରହିଥାଏ । ଏଥିପ୍ରତି ଦୃଷ୍ଟି ରଖି ପୋଲିସ ପକ୍ଷରୁ ଚୋରି ପ୍ରବଣ ଅଞ୍ଚଳଗୁଡ଼ିକରେ ନଜରଦାରୀ ଓ ପାଟ୍ରୋଲିଂ ବଢ଼ାଇ ଦିଆଯାଇଛି । ପେଷାଦାର ଅପରାଧୀଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଉଛି ।

ଜେଲ୍ ଫେରନ୍ତାଙ୍କ ଉପରେ କଡ଼ା ପ୍ରହରା
ନିକଟ ଅତୀତରେ ଜେଲରୁ ମୁକୁଳିଥିବା ଅପରାଧୀମାନଙ୍କ ଉପରେ କଡ଼ା ନଜର ରଖାଯାଇଛି । ପ୍ରତ୍ୟେକ ରବିବାର ଜେଲ୍ ପରେଡ୍ କରାଯାଉଛି । ଜାମିନରେ ଆସିଥିବା ଅପରାଧୀମାନେ ଯେପରି ଥାନାରେ ନିୟମିତ ହାଜିରା ଦେବେ, ତାହା ସୁନିଶ୍ଚିତ କରିବାକୁ ସମସ୍ତ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସୋସିଆଲ୍ ମିଡିଆ ଉପରେ ତୀକ୍ଷ୍ଣ ନଜର: ପାର୍ବଣ ସମୟରେ ସୋସିଆଲ୍ ମିଡିଆ ମନିଟରିଂ ବ୍ୟବସ୍ଥାକୁ ସକ୍ରିୟ କରାଯାଇଛି । ବିଶୃଙ୍ଖଳା ସୃଷ୍ଟି କରିବା କିମ୍ବା ଜନସାଧାରଣଙ୍କୁ ଭୟଭୀତ କରିବା ଭଳି କୌଣସି ଭିଡିଓ ବା ଗୁଜବ ପ୍ରଚାର କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜନସାଧାରଣଙ୍କୁ ଶୃଙ୍ଖଳିତ ଭାବେ ସୋସିଆଲ ମିଡିଆ ବ୍ୟବହାର କରିବାକୁ ଅନୁରୋଧ କରାଯାଉଛି ।

ଆସନ୍ତା ପୂଜା ପାର୍ବଣ ଯେପରି ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ଭାବରେ ସମ୍ପନ୍ନ ହେବ, ସେଥିପାଇଁ ପୋଲିସ ପ୍ରଶାସନ ସର୍ବଦା ତତ୍ପର ରହିଛି । ଏହି ପରିପ୍ରେକ୍ଷୀରେ ପୋଲିସ ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ଭୁବନେଶ୍ୱରର ସମସ୍ତ ନାଗରିକଙ୍କୁ ବିନୀତ ଅନୁରୋଧ କରାଯାଉଛି ।


Reporterspen