ଡବ୍ଲ୍ୟୁପିଏଲ୍‌ ୨୦୨୭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ, ମହେଲା ଜୟବର୍ଦ୍ଧନେଙ୍କୁ ମିଳିଲା ଗୁରୁଦାୟିତ୍ୱ

Reporterspen

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗ୍‌ (WPL) ୨୦୨୭ ସିଜିନ୍‌ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ବଡ଼ ପରିବର୍ତ୍ତନ। ଶ୍ରୀଲଙ୍କାର ପୂର୍ବତନ କିମ୍ବଦନ୍ତୀ କ୍ରିକେଟର ମହେଲା ଜୟବର୍ଦ୍ଧନେଙ୍କୁ ଦଳର କ୍ରିକେଟ୍‌ ନିର୍ଦ୍ଦେଶକ (ଡାଇରେକ୍ଟର ଅଫ୍‌ କ୍ରିକେଟ୍‌) ଭାବେ ନିଯୁକ୍ତ କରିଛି ଫ୍ରାଞ୍ଚାଇଜ୍‌। ସୋସିଆଲ ମିଡିଆ ଜରିଆରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଏହି ନିଯୁକ୍ତି ସମ୍ପର୍କରେ ଔପଚାରିକ ଘୋଷଣା କରାଯାଇଛି।

ଏହା ପୂର୍ବରୁ ଜୟବର୍ଦ୍ଧନେ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ କରୁଥିଲେ। ୨୦୨୬ ଆଇପିଏଲ୍‌ ସିଜିନ୍‌ ଶେଷ ହେବା ପରେ ସେ ଏହି ପଦରୁ ଇସ୍ତଫା ଦେଇଥିଲେ। ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମହିଳା ଦଳର କ୍ରିକେଟ୍‌ ସମ୍ପର୍କିତ ସମସ୍ତ କାର୍ଯ୍ୟର ତଦାରଖ କରିବେ ସେ।

ମୁମ୍ବାଇ ଇଣ୍ଡିଆନ୍ସ ସହ ଜୟବର୍ଦ୍ଧନେଙ୍କ ଦୀର୍ଘ ଅଭିଜ୍ଞତା ଦିଲ୍ଲୀ ପାଇଁ ବେଶ୍‌ ଉପଯୋଗୀ ହୋଇପାରେ। ତାଙ୍କ କୋଚିଂ ଓ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୩ଟି ଆଇପିଏଲ୍‌ ଟାଇଟଲ୍‌ ଜିତିଥିଲା। ତେଣୁ ଦିଲ୍ଲୀକୁ ପ୍ରଥମ ଡବ୍ଲ୍ୟୁପିଏଲ୍‌ ଟ୍ରଫି ଜିତାଇବା ଦିଗରେ ତାଙ୍କ ଅଭିଜ୍ଞତା ଗୁରୁତ୍ୱପୂର୍ଣ୍ଣ ହୋଇପାରେ।

ନୂଆ ଦାୟିତ୍ୱ ନେଇ କ’ଣ କହିଲେ ଜୟବର୍ଦ୍ଧନେ?

ଦିଲ୍ଲୀ କ୍ୟାପିଟାଲ୍ସରେ ନୂଆ ଦାୟିତ୍ୱ ମିଳିବା ପରେ ଜୟବର୍ଦ୍ଧନେ କହିଛନ୍ତି, ଦିଲ୍ଲୀ କ୍ୟାପିଟାଲ୍ସର ଏକ ମଜଭୁତ ପରିଚୟ ରହିଛି। ମହିଳା କ୍ରିକେଟ୍‌ ପ୍ରତି ଫ୍ରାଞ୍ଚାଇଜ୍‌ର ଉତ୍ସାହ ମଧ୍ୟ ପ୍ରଶଂସନୀୟ। ଏହି ଦଳ ସହ ମିଶି ଆଗକୁ କ’ଣ କରିହେବ, ସେନେଇ ସେ ବେଶ୍‌ ଉତ୍ସାହିତ ଅଛନ୍ତି।

ଗତ ସିଜିନ୍‌ରେ ରନର୍ସଅପ୍‌ ହୋଇଥିଲା ଦିଲ୍ଲୀ

ଜେମିମା ରୋଡ୍ରିଗ୍ସଙ୍କ ନେତୃତ୍ୱରେ ଦିଲ୍ଲୀ କ୍ୟାପିଟାଲ୍ସ ଗତ ଡବ୍ଲ୍ୟୁପିଏଲ୍‌ ସିଜିନ୍‌ରେ ଫାଇନାଲ୍‌ରେ ପହଞ୍ଚିଥିଲା। ଟାଇଟଲ୍‌ ମୁକାବିଲାରେ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିଥିଲା। କିନ୍ତୁ ଏହି ମ୍ୟାଚ୍‌ରେ ୬ ୱିକେଟ୍‌ରେ ପରାସ୍ତ ହୋଇ ଦିଲ୍ଲୀକୁ ରନର୍ସଅପ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।

୪ ଥର ଫାଇନାଲ୍‌, ତଥାପି ମିଳିନି ଟ୍ରଫି

ଡବ୍ଲ୍ୟୁପିଏଲ୍‌ ଆରମ୍ଭରୁ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଦର୍ଶନ ଭଲ ରହିଥିଲେ ମଧ୍ୟ ଏଯାଏଁ ଦଳକୁ ଟ୍ରଫି ମିଳିନାହିଁ। ୨୦୨୩ରୁ ୨୦୨୬ ମଧ୍ୟରେ ଖେଳାଯାଇଥିବା ଚାରିଟି ସିଜିନ୍‌ରେ ଦିଲ୍ଲୀ ପ୍ରତ୍ୟେକ ଥର ଫାଇନାଲ୍‌ରେ ପହଞ୍ଚିଛି, ହେଲେ ପ୍ରତିଥର ହାରି ଉପବିଜେତା ହୋଇଛି।

୨୦୨୩ର ପ୍ରଥମ ସିଜିନ୍‌ରେ ମୁମ୍ବାଇ ଇଣ୍ଡିଆନ୍ସଠାରୁ ହାରିଥିବା ବେଳେ ୨୦୨୪ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁଠାରୁ ପରାଜିତ ହୋଇଥିଲା। ସେହିପରି ୨୦୨୫ରେ ପୁଣି ମୁମ୍ବାଇ ଇଣ୍ଡିଆନ୍ସ ଓ ୨୦୨୬ରେ ଆରସିବିଠାରୁ ଫାଇନାଲ୍‌ରେ ହାରିଥିଲା ଦିଲ୍ଲୀ।

ଏବେ ମହେଲା ଜୟବର୍ଦ୍ଧନେଙ୍କ ଅଭିଜ୍ଞତା ଓ ରଣନୀତି ଦିଲ୍ଲୀ କ୍ୟାପିଟାଲ୍ସର ଭାଗ୍ୟ ବଦଳାଇବ କି ନାହିଁ, ତାହା ଆଗାମୀ ଡବ୍ଲ୍ୟୁପିଏଲ୍‌ ୨୦୨୭ରେ ଜଣାପଡ଼ିବ।


Reporterspen