ତୃଣମୂଳ ସ୍ତରରେ ସମସ୍ୟାଗୁଡ଼ିକର ତ୍ୱରିତ ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

Reporterspen

ଭୁବନେଶ୍ୱର,(ରିପୋର୍ଟର୍ସ ପେନ୍‌): ରାଜ୍ୟର ସାମାଜିକ କ୍ଷେତ୍ରର ସମସ୍ୟା ସମାଧାନ ଏବଂ ଉନ୍ନତି ନିମନ୍ତେ ଏକ ଉଚ୍ଚସ୍ତରୀୟ ‘ପ୍ରୟାସ’ (PRAYASS) ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସାମାଜିକ କ୍ଷେତ୍ରର ବିଭିନ୍ନ ଜଟିଳ ସମସ୍ୟାଗୁଡ଼ିକୁ ତୃଣମୂଳ ସ୍ତରରେ ଅନୁଧ୍ୟାନ କରି ସେଗୁଡ଼ିକର ସ୍ଥାୟୀ ତଥା ତ୍ୱରିତ ସମାଧାନ ପାଇଁ ଏକ ସୁଦୃଢ଼ ଓ ଗଠନମୂଳକ ପ୍ଲାଟଫର୍ମର ଆବଶ୍ୟକତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

ଏହି ବୈଠକରେ ମୁଖ୍ୟତଃ ତିନୋଟି ପ୍ରମୁଖ ବିଭାଗ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ମହିଳା ଓ ଶିଶୁ ବିକାଶ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କାର୍ଯ୍ୟକାରିତାକୁ ନେଇ ବିସ୍ତୃତ ସମୀକ୍ଷା କରାଯାଇଥିଲା। ସ୍ୱାସ୍ଥ୍ୟ, ପୁଷ୍ଟିସାଧନ ଏବଂ ଗୁଣାତ୍ମକ ଶିକ୍ଷା ଏହି ତିନୋଟି କ୍ଷେତ୍ର ମାଧ୍ୟମରେ ହିଁ ଏକ ମଜବୁତ ସମାଜ ଗଠନ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସଂପୃକ୍ତ ବିଭାଗଗୁଡ଼ିକୁ ଅଧିକ ତତ୍ପର ହେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ଜନସାଧାରଣଙ୍କ ମୌଳିକ ଆବଶ୍ୟକତା ସହ ଜଡ଼ିତ ଏହି କ୍ଷେତ୍ରଗୁଡ଼ିକର କାର୍ଯ୍ୟଦକ୍ଷତାକୁ ଆହୁରି ଉନ୍ନତ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ବୈଠକରେ ମାତୃ ମୃତ୍ୟୁ ହାରକୁ ସର୍ବନିମ୍ନ ସ୍ତରକୁ ଆଣିବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ଦୃଢ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହା ସହିତ ଶିଶୁ ମୃତ୍ୟୁ ହାର ତଥା ନବଜାତ ଶିଶୁ ମୃତ୍ୟୁ ହାର କମାଇବାର ଲକ୍ଷ୍ୟକୁ ଏକ ଅଭିଯାନ ସ୍ୱରୂପ ଗ୍ରହଣ କରି ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ବିଭାଗକୁ ପରାମର୍ଶ ଦେଇଛନ୍ତି।

ଶିଶୁମାନଙ୍କ ମଧ୍ୟରେ ଦେଖାଯାଉଥିବା ପୁଷ୍ଟିହୀନତା (Malnutrition) ଯୋଗୁ ଷ୍ଟଣ୍ଟିଂ (stunting) ଏବଂ ୱେଷ୍ଟିଂ (wasting) ପରି ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି। ଏହିସବୁ ସମସ୍ୟାକୁ ସମ୍ପୂର୍ଣ୍ଣ ଭାବରେ ଦୂର କରିବା ପାଇଁ ‘ସୁପୋଷିତ ଓଡ଼ିଶା’ ଅଭିଯାନକୁ ଅଧିକ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। , ଶିକ୍ଷା କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ପ୍ରାଥମିକ ସ୍ତରରୁ ହିଁ ପିଲାଙ୍କ ମୌଳିକ ଶିକ୍ଷାର ମାନରେ ବୃଦ୍ଧି କରିବା ପାଇଁ ସମସ୍ତ ଚେଷ୍ଟା କରିବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ପରାମର୍ଶ ଦେଇଛନ୍ତି।

ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଡି.କେ. ସିଂହ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ସ୍ୱାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ୍., ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଏନ୍. ତିରୁମାଲା ନାଏକ ଏବଂ ସମନ୍ୱିତ ଶିଶୁ ବିକାଶ ଓ ସମାଜ କଲ୍ୟାଣର ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ।


Reporterspen