ୱାର୍ଣ୍ଣ ପ୍ରଥମ, ଆଣ୍ଡରସନ ଦ୍ୱିତୀୟ; ଅଶ୍ୱିନ ଓ ଜାଡେଜାଙ୍କୁ ମିଳିଲାନି ସ୍ଥାନ
ଭୁବନେଶ୍ୱର, : ଟେଷ୍ଟ କ୍ରିକେଟ୍ରେ ନିଜର ଘାତକ ବୋଲିଂରେ ବିଶ୍ୱର ବହୁ ବଡ଼ ବଡ଼ ବ୍ୟାଟରଙ୍କୁ ଅସୁବିଧାରେ ପକାଇଥିବା ଅନେକ କିମ୍ବଦନ୍ତୀ ବୋଲର ରହିଛନ୍ତି। ତେବେ ୨୧ତମ ଶତାବ୍ଦୀର ସବୁଠାରୁ ଘାତକ ୧୦ ଜଣ ବୋଲର କିଏ? ଏହି ପ୍ରଶ୍ନର ଉତ୍ତର ଖୋଜି ଇଂଲଣ୍ଡର ଜୋସ୍ ବଟଲର ଓ ଷ୍ଟୁଆର୍ଟ ବ୍ରଡ୍ ନିଜ ପସନ୍ଦର ୧୦ ଜଣ ବୋଲରଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି। ଏହି ତାଲିକାରେ ଭାରତର ଷ୍ଟାର୍ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ତୃତୀୟ ସ୍ଥାନ ମିଳିଛି। ଅଷ୍ଟ୍ରେଲିଆର କିମ୍ବଦନ୍ତୀ ସ୍ପିନର ଶେନ୍ ୱାର୍ଣ୍ଣ ପ୍ରଥମ ଏବଂ ଇଂଲଣ୍ଡର ଜେମ୍ସ ଆଣ୍ଡରସନ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।
ବୁମ୍ରାଙ୍କୁ ଏହି ତାଲିକାରେ ଗ୍ଲେନ୍ ମ୍ୟାକ୍ଗ୍ରା ଓ ମୁଥେୟା ମୁରଲୀଧରନଙ୍କ ଭଳି ମହାନ ବୋଲରଙ୍କଠାରୁ ଉପରେ ରଖାଯାଇଛି। ବଟଲର ଓ ବ୍ରଡ୍ ସେମାନଙ୍କ ପଡ୍କାଷ୍ଟ ‘ଫର୍ ଦ ଲଭ୍ ଅଫ୍ କ୍ରିକେଟ୍’ରେ ଏହି ତାଲିକା ଚୟନ କରିଛନ୍ତି।
ବୁମ୍ରାଙ୍କ ଆଗରେ କେବଳ ୱାର୍ଣ୍ଣ ଓ ଆଣ୍ଡରସନ
ଅଷ୍ଟ୍ରେଲିଆର ଶେନ୍ ୱାର୍ଣ୍ଣ ନିଜ ଅନ୍ତର୍ଜାତୀୟ କ୍ୟାରିୟରରେ ମୋଟ ୧୦୦୧ଟି ୱିକେଟ୍ ନେଇଥିଲେ। ସେହିପରି ଇଂଲଣ୍ଡର ଜେମ୍ସ ଆଣ୍ଡରସନଙ୍କ ନାମରେ ଅନ୍ତର୍ଜାତୀୟ କ୍ରିକେଟ୍ରେ ୯୯୧ଟି ୱିକେଟ୍ ରହିଛି। ଟେଷ୍ଟ କ୍ରିକେଟ୍ରେ ସେ ସର୍ବାଧିକ ୱିକେଟ୍ ନେଇଥିବା ଦ୍ରୁତ ବୋଲର।
ଏହି ତାଲିକାରେ ବୁମ୍ରା ତୃତୀୟ, ଅଷ୍ଟ୍ରେଲିଆର ଗ୍ଲେନ୍ ମ୍ୟାକ୍ଗ୍ରା ଚତୁର୍ଥ ଏବଂ ପ୍ୟାଟ୍ କମିନ୍ସ ପଞ୍ଚମ ସ୍ଥାନରେ ରହିଛନ୍ତି। ଶ୍ରୀଲଙ୍କାର ମୁଥେୟା ମୁରଲୀଧରନ ଷଷ୍ଠ ସ୍ଥାନରେ ଅଛନ୍ତି। ମୁରଲୀଧରନ ଅନ୍ତର୍ଜାତୀୟ କ୍ରିକେଟ୍ରେ ୧୩୪୭ଟି ୱିକେଟ୍ ନେଇଥିବା ବେଳେ ମ୍ୟାକ୍ଗ୍ରାଙ୍କ ନାମରେ ୯୪୯ଟି ୱିକେଟ୍ ରହିଛି।
ବୁମ୍ରା ନିଜର ସଠିକ୍ ଲାଇନ୍ ଓ ଲେନ୍ଥ, ଅସାଧାରଣ ବୋଲିଂ ଦକ୍ଷତା ଏବଂ କଠିନ ପରିସ୍ଥିତିରେ ୱିକେଟ୍ ନେବାର କ୍ଷମତା ପାଇଁ ବିଶ୍ୱ କ୍ରିକେଟ୍ରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ୨୦୨୪ ଟି-୨୦ ବିଶ୍ୱକପ୍ରେ ଭାରତର ଟାଇଟଲ୍ ବିଜୟରେ ମଧ୍ୟ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା। ଏହି ପ୍ରଦର୍ଶନ ପାଇଁ ତାଙ୍କୁ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।
ଟପ୍-୧୦ରେ ଷ୍ଟେନ୍, ରବାଡା ଓ ଷ୍ଟାର୍କ
ଏହି ତାଲିକାରେ ଦକ୍ଷିଣ ଆଫ୍ରିକାର ଡେଲ୍ ଷ୍ଟେନ୍ ସପ୍ତମ, କାଗିସୋ ରବାଡା ଅଷ୍ଟମ ଏବଂ ସନ୍ ପୋଲକ୍ ନବମ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ୍ ଷ୍ଟାର୍କ ଦଶମ ସ୍ଥାନ ହାସଲ କରିଛନ୍ତି।
ଅଶ୍ୱିନ, ଜାଡେଜା ଓ କୁମ୍ବଲେ ବାଦ୍
ଏହି ତାଲିକାରେ ଭାରତର ତିନି ଜଣ ଦକ୍ଷ ବୋଲର ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା ଓ ଅନିଲ କୁମ୍ବଲେଙ୍କୁ ସ୍ଥାନ ମିଳିନାହିଁ। ସେହିପରି ନ୍ୟୁଜିଲାଣ୍ଡର ଟିମ୍ ସାଉଦି ଏବଂ ଅଷ୍ଟ୍ରେଲିଆର ନାଥନ୍ ଲାୟନ୍ ମଧ୍ୟ ଶ୍ରେଷ୍ଠ ୧୦ ଜଣଙ୍କ ତାଲିକାରୁ ବାଦ୍ ପଡ଼ିଛନ୍ତି।

