କେନ୍ଦ୍ର ଗୃହମନ୍ତ୍ରୀଙ୍କ ପିଏର ପରିଚୟ ଦେଇ ଠକେଇ; ଗଞ୍ଜାମରୁ ଅଭିଯୁକ୍ତ ଗିରଫ

Reporterspen

ଭୁବନେଶ୍ୱର (ରିପୋର୍ଟର୍ସ ପେନ୍‌): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଭାବରେ ନିଜକୁ ପରିଚୟ ଦେଇ ଠକେଇ କରିବା ଅଭିଯୋଗରେ ଭୁବନେଶ୍ୱର ମୈତ୍ରୀ ବିହାର ଥାନା ପୋଲିସ ଜଣେ ଅଭିଯୁକ୍ତକୁ ଆଜି ଗଞ୍ଜାମରୁ ଗିରଫ କରିଛି । ମୈତ୍ରୀ ବିହାର ଥାନାରେ ହୋଇଥିବା ମାମଲାରେ ଠକେଇର ଶିକାର ବ୍ୟକ୍ତି ଜଣକ, ଜଣେ ସାଂସଦଙ୍କ ପିଏ ବୋଲି ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ଜଣକ ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ପଞ୍ଚଗାଁର ଜଗନ୍ନାଥ ମଣ୍ଡଳ । କ୍ୟାପିଟାଲ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାକୁ କୋର୍ଟଚାଲାଣ କରାଯାଇଥିଲା ।

ଡିସିପି ଅଫିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଅଭିଯୋଗକାରୀଙ୍କୁ ଜଗନ୍ନାଥ, ହ୍ୱାଟ୍ସଆପ ନମ୍ବର (୯୮୪୫୧୭୨୭୦୯) ଜରିଆରେ ନଭେମ୍ବର ୨୭ (ଶୁକ୍ରବାର) କଲ କରିଥିଲା । ନିଜକୁ ସେ ଗୃହମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ସଞ୍ଜୟ ତିୱାରି ବୋଲି ପରିଚୟ ଦେଇଥିଲା । ଗୃହମନ୍ତ୍ରୀଙ୍କ ପରିବାର ସଦସ୍ୟ ରହିବା ପାଇଁ ଜୟଦେବ ବିହାରସ୍ଥିତ ଏକ ପ୍ରତିଷ୍ଠିତ ହୋଟେଲରେ ଦୁଇଟି ରୁମ ବୁକ୍ କରିବାକୁ ହେବ ବୋଲି ଅଭିଯୁକ୍ତ କହିଥିଲା । ଏହାପରେ ଜଗନ୍ନାଥ ପଠାଇଥିବା ଫୋନପେ ନମ୍ବରରେ ଅଭିଯୋଗକାରୀ ୧୩ ହଜାର ୫୦୦ ଟଙ୍କା ପଠାଇଥିଲେ । ପରେ ଜଗନ୍ନାଥ ଜଣେ ଠକ ବୋଲି ଜାଣି ଅଭିଯୋଗକାରୀ ମୈତ୍ରୀ ବିହାର ଥାନାରେ ଏତଲା ଦେଇଥିଲେ । ମୈତ୍ରୀ ବିହାର ଥାନା ଗତକାଲି (ଶନିବାର) ମାମଲା (ନଂ.୫୩୮/୨୦୨୬) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ଏହାପୂର୍ବରୁ ଅଭିଯୁକ୍ତ ଜଗନ୍ନାଥ ଜୁନ ୧୯ ତାରିଖରେ ବ୍ରହ୍ମପୁର ଟାଉନ ପୋଲିସ ଦ୍ୱାରା ଗିରଫ ହୋଇଥିଲା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ପିଏ ପରିଚୟ ଦେଇ ଚିକିଟି ବିଧାୟକଙ୍କ କାର୍ଯ୍ୟାଳୟରେ କାମ କରୁଥିବା ରାଜେଶ ପାତ୍ରଙ୍କ ଠାରୁ ଜଗନ୍ନାଥ ୫୦ ହଜାର ଟଙ୍କା ନେଇଯାଇଥିଲା । ଏପ୍ରିଲ ୧ରେ ରାଜେଶଙ୍କୁ ହ୍ୱାଟ୍ସଆପରେ ଜଗନ୍ନାଥ କଲ କରିଥିଲା । ଏହି ଟଙ୍କା, ଗୁପ୍ତ ସର୍ଭେ ତଥା ଦଳୀୟ କାମରେ ଲାଗିବ ବୋଲି ଦାବି କରି ଜଗନ୍ନାଥ ନେଇଯାଇଥିଲା । ତେବେ ରାଜେଶ ଏନେଇ ସନ୍ଦେହ କରି ପରିଚୟ ମାଗିବାରୁ ଜଗନ୍ନାଥ ଗାଳିଗୁଲଜ କରିଥିଲା । ଏପରିକି ଏନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିବ ବୋଲି ଜଗନ୍ନାଥ ଧମକ ଦେଇଥିଲା । ଏନେଇ ରାଜେଶଙ୍କ ଅଭିଯୋଗକ୍ରମେ ବ୍ରହ୍ମପୁର ଟାଉନ ଥାନା ପୋଲିସ ଏକ ମାମଲା (ନଂ.୨୭୯/୨୦୨୬) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ତେବେ ଜଗନ୍ନାଥ, ପୂର୍ବରୁ ଗୁଜୁରାଟ ଓ କର୍ଣ୍ଣାଟକକୁ ମଧ୍ୟ ଏଠାରୁ କଲ କରି ଠକେଇ କରିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତା ନାଁରେ ବଡ଼ ବଜାର ଥାନା ସହ ଗୁଜରାଟରେ ୨ ଏବଂ କର୍ଣ୍ଣାଟକରେ ମଧ୍ୟ ଗୋଟିଏ ମାମଲା ରହିଛି ।


Reporterspen