ପୂଜା ସରିଲା, ହେଲେ ରାସ୍ତା କାମ ନୋହିଲା!

Reporterspen

ଭୁବନେଶ୍ୱର,  (ରିପୋର୍ଟର୍ସପେନ୍‌) : ଶାରଦୀୟ ଦୂର୍ଗାପୂଜା ପୂର୍ବରୁ ସହର ଭିତରେ ଥିବା ଖଣ୍ଡିଆ-ଖାବରା ରାସ୍ତା ମରାମତି କରାଯାଏ । ଏହା ନିୟମିତ ପ୍ରକ୍ରିୟା ହୋଇଥିବା ବେଳେ ଚଳିତ ବର୍ଷ ମଧ୍ୟ ସରକାର ଏହି ଆଭିମୁଖ୍ୟ ଆପଣାଇଥିଲେ । ମାତ୍ର ପୂଜା ସରିବାକୁ ବସିଲାଣି, ହେଲେ ପଳାଶୁରୀ-ବାରଙ୍ଗ କେନାଲ ରୋଡ କାମ ହୋଇପାରିଲା ନାହିଁ । ଏମିତି କି ମୁଠାଏ ମାଟି ପଡି ଲୋକଙ୍କ ଯାତାୟତ ନିମନ୍ତେ ସକ୍ରିୟ କରାଯାଇପାରିଲା ନାହିଁ । କେବଳ ଏହି ଗୋଟିଏ ରାସ୍ତା ନୁହେଁ ବରଂ ଅନେକ ରାସ୍ତା ଓ ଡ୍ରେନ ମରାମତି କାମ ହୋଇପାରିନାହିଁ । ଯାହାକୁ ନେଇ ସାଧାରଣରେ ବେଶ ଅସନ୍ତୋଷ ପ୍ରକାଶ ପାଇଛି ।

ସୂଚନା ଅନୁସାରେ, ସହରରେ ଏକାଧିକ ପୂଜା ମଣ୍ଡପରେ ବଡବଡ ତୋରଣ ହୋଇଇଥିବା ପୂଜା ସମୟରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ । ଏଥିପାଇଁ ପୂଜା ୬ଦିନ ଲାଗି ପୋଲିସ ପକ୍ଷରୁ ମଧ୍ୟ ଗାଡିମୋଟର ଚଳାଚଳରେ କଟକଣା ଲଗାଯାଇଛି । ବିଶେଷ କରି ରସୁଲଗଡ ଛକ ସହରର ମୁଖ୍ୟ ପ୍ରବେଶ ପଥ ହୋଇଥିବାରୁ ଏଠାରେ ନାହିଁ ନଥିବା ଟ୍ରାଫିକ ସମସ୍ୟା ଉଜୁଛି । ତେଣୁ ଲୋକେ ବିକଳ୍ପ ରାସ୍ତା ଭାବେ ପଳାଶୁଣୀ-ବାରଙ୍ଗ କେନାଲ ରୋଡକୁ ବାଛିଥାନ୍ତି । ଏହି ରାସ୍ତା ଉପରେ ଚକେଇସିହାଣୀ, ସମେଇଗାଡିଆ, ଶିଳ୍ପାଚଂଳ, ପଟିଆ, ଭୋଟପଡା, ରଙ୍ଗମାଟିଆ ଓ ଏପରିକି କଟକ ଯାଉଥିବା ଲୋକେ ନିର୍ଭର କରିଥାନ୍ତି ।

ମାତ୍ର ବିଗତ କିଛିମାସ ହେଲା ଉକ୍ତ ରାସ୍ତରେ ପିଚୁ ଉଠି ଆଣ୍ଠୁଏ ଆଣ୍ଠୁଏ ଖାଲ ହୋଇଯାଇଛି । ଫଳରେ ଲୋକେ ଯିବା ଆସିବା କରିପାରୁନାହାନ୍ତି । ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ କରୁନାହିଁ । ଆଶା ଥିଲା ପୂଜା ପୂର୍ବରୁ ଉକ୍ତ ରାସ୍ତାର ମରାମତି କରାଯିବ । ମାତ୍ର ପୂଜା ସରିବାକୁ ବସିଲାଣି, ଏଯାଏ ଉକ୍ତ ରାସ୍ତାରେ ମାଟି ମୁଠାଏ ପଡିଲାନି । ତେବେ ଏହି ରାସ୍ତା ନିର୍ମାଣ ଓ ମରାମତିରେ କିଏ ବାଧକ ସାଜୁଛି, ତାହା ଜଣାପଡିନଥିବା ବେଳେ ଲୋକେ ନାହିଁ ନଥିବା ଅସୁବିଧାରେ ପଡୁଛନ୍ତି ।

ଅନ୍ୟପଟେ ସହରରେ ରାସ୍ତା ମରାମତି ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସମୀକ୍ଷା କରି ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏପରିକି ବିନା ଅନୁମତିରେ ରାସ୍ତା ଖୋଳିଲେ କାର୍ଯ୍ୟାନୁଷ୍ଠାନ ହେବା ନେଇ ଚେତାବନୀ ଦେଇଛନ୍ତି । ଏପରିକି ସମୀକ୍ଷା ବୈଠକରେ ଉପସ୍ଥିତ ଥିବା ବିଧାୟକମାନେ ମଧ୍ୟ ନିଜ ଅଞ୍ଚଳରେ ତ୍ୱରିତ ବେଗରେ ରାସ୍ତା ମରାମତି ହୋଇଥିବାରୁ ରାଜ୍ୟ ସରକାର ଓ ପୂର୍ତ୍ତ ବିଭାଗକୁ ଧନ୍ୟବାଦ ଦେଇଥିଲେ । ତେବେ ରାସ୍ତା ମରାମତି ଅଧାପନ୍ତରିଆ ହୋଇପଡିଥିବା ବେଳେ ବିଧାୟକମାନେ କିପରୀ ସରକାରଙ୍କୁ ଧନ୍ୟବାଦ ଦେଲେ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ତେବେ ବିଭାଗୀୟ ମନ୍ତ୍ରୀ ଏଦିଗରେ ଦୃଷ୍ଟି ଦେଇ ତୁରନ୍ତ ରାସ୍ତା କାମ ଲାଗି ପଦକ୍ଷେପ ନେଲେ ଲୋକେ ଆଶ୍ୱସ୍ତି ଲାଭ କରିବେ, ଏଥିରେ ସନ୍ଦେହ ନାହିଁ ।


Reporterspen