ଶତକ ହାସଲ କରି ଇତିହାସ ରଚିଲେ ଦୀପ୍ତି ଶର୍ମା, ଏପରି କୀର୍ତ୍ତିମାନ କରିବାରେ ପ୍ରଥମ ଭାରତୀୟ ମହିଳା କ୍ରିକେଟର

Reporterspen

ଭୁବନେଶ୍ୱର, : ଭାରତୀୟ ମହିଳା କ୍ରିକେଟ୍‌ରେ ନୂଆ ଇତିହାସ ରଚିଛନ୍ତି ଷ୍ଟାର୍‌ ଅଲ୍‌ରାଉଣ୍ଡର ଦୀପ୍ତି ଶର୍ମା। ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଅପରାଜିତ ୧୦୬ ରନ୍‌ର ଶତକୀୟ ପାଳି ଖେଳି ସେ ଏକ ବଡ଼ କୀର୍ତ୍ତିମାନ ହାସଲ କରିଛନ୍ତି। ଭାରତୀୟ ମହିଳା ଦିନିକିଆ କ୍ରିକେଟ୍‌ରେ ଷଷ୍ଠ କିମ୍ବା ତା’ଠାରୁ ନିମ୍ନ କ୍ରମରେ ବ୍ୟାଟିଂ କରି ଶତକ ହାସଲ କରିବାରେ ଦୀପ୍ତି ପ୍ରଥମ ଖେଳାଳି ହୋଇଛନ୍ତି।

୮୬ଟି ବଲ୍‌ର ସମ୍ମୁଖୀନ ହୋଇ ଦୀପ୍ତି ୧୫ଟି ଚୌକା ସହ ୧୦୬ ରନ୍‌ କରି ଅପରାଜିତ ରହିଥିଲେ। ଏହି ଶତକ ସହ ସେ ଭାରତର ଋଚା ଘୋଷଙ୍କ ନାମରେ ଥିବା ଷଷ୍ଠ କିମ୍ବା ତା’ଠାରୁ ନିମ୍ନ କ୍ରମରେ ସର୍ବାଧିକ ବ୍ୟକ୍ତିଗତ ରନ୍‌ (୯୪)ର ରେକର୍ଡକୁ ମଧ୍ୟ ଅତିକ୍ରମ କରିଛନ୍ତି।

ମ୍ୟାଚ୍‌ରେ ଭାରତର ଆରମ୍ଭ ଭଲ ନଥିଲା। ଅଧିନାୟିକା ସ୍ମୃତି ମନ୍ଧାନା ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଥିବା ବେଳେ ଶେଫାଳି ବର୍ମା ମାତ୍ର ୮ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ। ଏହାପରେ ପ୍ରତିକା ରାୱଲ ଓ ହରମନପ୍ରୀତ କୌର ତୃତୀୟ ୱିକେଟ୍‌ ପାଇଁ ୧୨୪ ରନ୍‌ର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରି ଗଢ଼ିଥିଲେ। ପ୍ରତିକା ୬୧ ରନ୍‌ କରିଥିବା ବେଳେ ହରମନପ୍ରୀତ ୧୨୧ ବଲ୍‌ରୁ ୧୫ଟି ଚୌକା ସହ ୧୨୬ ରନ୍‌ର ଶତକୀୟ ପାଳି ଖେଳିଥିଲେ।

ଏହାପରେ ତେଜଲ ମାତ୍ର ୩ ରନ୍‌ କରି ଆଉଟ୍‌ ହୋଇଥିଲେ। ଷଷ୍ଠ ସ୍ଥାନରେ ବ୍ୟାଟିଂ କରିବାକୁ ଆସି ଦୀପ୍ତି ଶର୍ମା ଶତକ ହାସଲ କରି ଭାରତୀୟ ମହିଳା କ୍ରିକେଟ୍‌ରେ ନିଜ ନାମକୁ ଇତିହାସରେ ସାମିଲ କରିଛନ୍ତି।

ହରମନପ୍ରୀତ ଓ ଦୀପ୍ତିଙ୍କ ଶତକୀୟ ପାଳି ବଳରେ ଭାରତ ନିର୍ଦ୍ଧାରିତ ଓଭରରେ ୩୨୮ ରନ୍‌ର ବିଶାଳ ସ୍କୋର ଛିଡ଼ା କରିଥିଲା।

ଜବାବରେ ଜିମ୍ବାୱେ ଦଳର ପ୍ରଥମ ୱିକେଟ୍‌ ୩୮ ରନ୍‌ରେ ପଡ଼ିଥିଲା। ଲୌରେନ୍‌ ଫିରି ୬ ରନ୍‌ କରି ଶ୍ରୀଚରଣୀଙ୍କ ବଲ୍‌ରେ ଶେଫାଳି ବର୍ମାଙ୍କ ହାତରେ କ୍ୟାଚ୍‌ ଦେଇଥିଲେ। ଏହାପରେ ଓପନର ମୋଡେଷ୍ଟର ମୁପଚିକୱା ଓ ଚିପୋ ମୁଗେରି ଦ୍ୱିତୀୟ ୱିକେଟ୍‌ ପାଇଁ ୬୯ ରନ୍‌ର ଭାଗୀଦାରି କରିଥିଲେ। ସୟାଲି ମୁଗେରିଙ୍କୁ ଆଉଟ୍‌ କରି ଏହି ଯୋଡ଼ି ଭାଙ୍ଗିଥିଲେ।

ଖବର ଲେଖାଯିବା ସୁଦ୍ଧା ଜିମ୍ବାୱେ ୨୩ ଓଭରରେ ୩ଟି ୱିକେଟ୍‌ ହରାଇ ୧୨୦ ରନ୍‌ ସଂଗ୍ରହ କରିଥିଲା।

ଉଲ୍ଲେଖଯୋଗ୍ୟ, ଭାରତ ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି। ଦ୍ୱିତୀୟ ମ୍ୟାଚ୍‌ ଜିତିଲେ ଭାରତ ସିରିଜ୍‌ରେ ଅଜେୟ ଅଗ୍ରଣୀ ହାସଲ କରିବ। ସ୍ମୃତି ମନ୍ଧାନାଙ୍କ ନେତୃତ୍ୱରେ ଏହା ପ୍ରଥମ ଦିନିକିଆ ସିରିଜ୍‌ ବିଜୟ ହେବ। ଏହା ପୂର୍ବରୁ ଭାରତ ତାଙ୍କ ଅଧିନାୟକତ୍ୱରେ ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ୍‌କୁ ୩-୦ରେ ଜିତିଥିଲା। ସିରିଜ୍‌ର ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ୍‌ ଆସନ୍ତା ୨୮ ଅକ୍ଟୋବର, ବୁଧବାର ଖେଳାଯିବ।


Reporterspen