କୋଟିଆ ପ୍ରସଙ୍ଗରେ ନବୀନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଜବାବ

Reporterspen

ରାଜନୈତିକ ଦୃଷ୍ଟିକୋଣ ବଦଳରେ ଆଇନସମ୍ମତ ସମାଧାନ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ

ଭୁବନେଶ୍ୱର, (ରିପୋର୍ଟର୍ସ ପେନ): କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ରହିଥିବା ଆନ୍ତଃରାଜ୍ୟ ସୀମା ବିବାଦ ପ୍ରସଙ୍ଗରେ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ୨୦୨୬ ଅକ୍ଟୋବର ୧୯ ତାରିଖରେ ନବୀନ ପଟ୍ଟନାୟକ ଲେଖିଥିବା ଚିଠିର ଉତ୍ତରରେ କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଦୋହରାଇବା ସହ ରାଜ୍ୟର ଭୌଗୋଳିକ ଅଖଣ୍ଡତା ଓ ଆଇନଗତ ସ୍ୱାର୍ଥର ସୁରକ୍ଷା ପାଇଁ ସରକାର ପ୍ରତିବଦ୍ଧ ବୋଲି ସ୍ପଷ୍ଟ କରିଛନ୍ତି।

ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ହେବାଠାରୁ କୋଟିଆ ଗ୍ରାମପୁଞ୍ଜ ଓଡ଼ିଶାର ଅବିଚ୍ଛେଦ୍ୟ ଅଂଶ ହୋଇ ରହିଆସିଛି। ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ରାଜନୈତିକ ଦୃଷ୍ଟିକୋଣରୁ ଦେଖିବା ପରିବର୍ତ୍ତେ ଏହାର ସମାଧାନ ପାଇଁ ଗଠନମୂଳକ ଓ ଆଇନସମ୍ମତ ପ୍ରସ୍ତାବ ଦେବା ଉପରେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି।

କୋଟିଆ ଓ ଏହାର ଆଖପାଖ ଅଞ୍ଚଳର ବିକାଶକୁ ସରକାର ପ୍ରାଥମିକତା ଦେଉଥିବା ଚିଠିରେ ଦର୍ଶାଯାଇଛି। ଅଞ୍ଚଳରେ ସମନ୍ୱିତ ବିକାଶ, ସରକାରୀ ସେବାର ସୁବିଧାଜନକ ଯୋଗାଣ ଏବଂ ସ୍ଥାନୀୟ ଲୋକଙ୍କ ଜୀବନଧାରଣର ମାନ ବୃଦ୍ଧି ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି।

ଏଥିପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ଏହି କମିଟି କୋଟିଆ ଗ୍ରାମପଞ୍ଚାୟତ ଅଞ୍ଚଳର ସମନ୍ୱିତ ବିକାଶ କାର୍ଯ୍ୟ ତଦାରଖ କରୁଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ମଧ୍ୟ ଅଞ୍ଚଳକୁ ଗସ୍ତ କରି ବିକାଶମୂଳକ ଆବଶ୍ୟକତାର ସମୀକ୍ଷା କରୁଛନ୍ତି।

ଦୀର୍ଘଦିନ ଧରି ଲାଗି ରହିଥିବା ଏହି ଆନ୍ତଃରାଜ୍ୟ ବିବାଦର ସମାଧାନ ପାଇଁ ସମସ୍ତ ପକ୍ଷ ସଂଯମ, ଦାୟିତ୍ୱବୋଧ ଓ ନ୍ୟାୟିକ ପ୍ରକ୍ରିୟା ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉପଯୁକ୍ତ ଆଇନଗତ ଓ ସାମ୍ବିଧାନିକ ମଞ୍ଚରେ ଓଡ଼ିଶାର ସ୍ୱାର୍ଥର ସୁରକ୍ଷା ସହ କୋଟିଆ ଓ ଏହାର ଆଖପାଖ ଅଞ୍ଚଳର ଲୋକଙ୍କ ସାମାଜିକ ଓ ଆର୍ଥିକ ବିକାଶ ଜାରି ରହିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଏଥିସହ ଏହି ଦୀର୍ଘଦିନର ସମସ୍ୟାର ସମାଧାନ ପାଇଁ ନବୀନ ପଟ୍ଟନାୟକଙ୍କଠାରୁ ଗଠନମୂଳକ ପ୍ରସ୍ତାବ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ପ୍ରସ୍ତାବଗୁଡ଼ିକୁ ସରକାର ବିଚାରକୁ ନେବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।


Reporterspen