ଭୁବନେଶ୍ୱର, (ରିପୋର୍ଟର୍ସ ପେନ): ସ୍ମାର୍ଟ ସିଟି ଭୁବନେଶ୍ୱରରେ ଚୋରି ଓ ଲୁଟ୍ ଘଟଣାକୁ ନେଇ ପୁଣି ଚିନ୍ତା ବଢ଼ିଛି । ଘରେ ପଶି ଲୁଟ୍ଠାରୁ ଆରମ୍ଭ କରି ରାସ୍ତା ଉପରେ ଲୋକଙ୍କୁ ଅଟକାଇ ସୁନା ଗହଣା ଲୁଟ୍ ପର୍ଯ୍ୟନ୍ତ ବିଭିନ୍ନ ଘଟଣା ସାମ୍ନାକୁ ଆସୁଛି । ଗତ ଅକ୍ଟୋବର ୩୦ରୁ ନଭେମ୍ବର ୧୩ ମଧ୍ୟରେ ଅନଲାଇନ୍ରେ ପ୍ରକାଶିତ ରିପୋର୍ଟକୁ ଅନୁଧ୍ୟାନ କଲେ ରାଜଧାନୀରେ ଦୁଇଟି ବଡ଼ ଲୁଟ୍ ଘଟଣା ସମ୍ପର୍କରେ ଜଣାପଡ଼ୁଛି । ଏଥିମଧ୍ୟରୁ ଗୋଟିଏ ଘଟଣାରେ ଜଣେ ବୃଦ୍ଧାଙ୍କୁ ହତ୍ୟା କରି ଲୁଟ୍ କରାଯାଇଥିବାବେଳେ ଅନ୍ୟଟିରେ ଅଟୋରେ ଯାଉଥିବା ମହିଳାଙ୍କଠାରୁ ସୁନା ଗହଣା ଓ ମୋବାଇଲ୍ ଲୁଟ୍ ହୋଇଛି ।
ନଭେମ୍ବର ୩ ତାରିଖରେ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବୁଦ୍ଧନଗର ଅଞ୍ଚଳରେ ୭୬ ବର୍ଷୀୟା କୁଞ୍ଜଲତା ନନ୍ଦଙ୍କୁ ହତ୍ୟା କରି ଘରୁ ସୁନା ଗହଣା ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟ୍ କରାଯାଇଥିଲା । ଘରେ ଏକୁଟିଆ ରହୁଥିବା ବୃଦ୍ଧାଙ୍କ ଦେଖାଶୁଣା ପାଇଁ ନିଯୁକ୍ତ କେୟାରଟେକରଙ୍କ ଉପରେ ପୁଲିସର ସନ୍ଦେହ ହୋଇଥିଲା ।
ଏହି ଘଟଣାରେ ପୁଲିସ ତଦନ୍ତ କରି ଅଭିଯୁକ୍ତ କେୟାରଟେକର ବଳଭଦ୍ର ମହାରଣାଙ୍କୁ ଗୁଜରାଟରୁ ଗିରଫ କରିଥିଲା । ପରେ ତାଙ୍କ ସୂଚନା ଆଧାରରେ ପୁରୀ ଜିଲ୍ଲା ବ୍ରହ୍ମଗିରିରୁ ସବିତା ସେଠୀ ନାମକ ଅନ୍ୟ ଜଣେ ମହିଳାଙ୍କୁ ମଧ୍ୟ ପୁଲିସ ଗିରଫ କରିଥିଲା । ତାଙ୍କ ନିକଟରୁ ଲୁଟ୍ ସୁନା ଓ ରୁପା ଅଳଙ୍କାର ସହିତ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିଲା । ଜବତ ସାମଗ୍ରୀର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ।
ଅଟୋ ଯାତ୍ରୀଙ୍କୁ ଅଟକାଇ ସୁନା ଗହଣା ଲୁଟ୍
ଅକ୍ଟୋବର ୩୦ ତାରିଖ ଭୋର ପ୍ରାୟ ୫ଟାରେ ଜନପଥ ରାସ୍ତାର ଗିରିଦୁର୍ଗା ମନ୍ଦିର ନିକଟରେ ଏକ ଅଟୋକୁ ଅଟକାଇ ଦୁଇ ଦୁର୍ବୃତ୍ତ ମହିଳା ଯାତ୍ରୀଙ୍କଠାରୁ ସୁନା ଗହଣା ଓ ମୋବାଇଲ୍ ଲୁଟି ନେଇଥିଲେ । ହାଜେରା ଖାତୁନ୍ ଓ ତାଙ୍କ ସ୍ୱାମୀ ଭୋର ସମୟରେ ବାଣୀବିହାରରେ ବସ୍ରୁ ଓହ୍ଲାଇ ପିପିଲି ଯିବାକୁ ଅଟୋରେ ଯାଉଥିଲେ । ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ଅଟୋକୁ ଅଟକାଇ ମହିଳାଙ୍କ ପର୍ସ ଛଡ଼ାଇ ନେଇଥିଲେ ।
ରାଜମହଲ ଛକରେ ଆକ୍ରମଣ କରି ଲୁଟ୍
ଗତ ୧୫ ତାରିଖରେ କଳ୍ପନା ଛକ ଓ ରାଜମହଲ ଛକ ରାସ୍ତାରେ ଜଣେ ବରିଷ୍ଠ ନାଗରିକଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା ଲୁଟି ନେଇଥିଲେ । ଟକ ଜିଲ୍ଲା ବାଙ୍କୀ ଥାନା ଶିଶୁଆ ଗ୍ରାମର ଅଭିଯୋଗକାରୀ ରଣଜିତ୍ ତ୍ରିପାଠୀ (୫୫) ସକାଳ ପ୍ରାୟ ୦୭.୪୫ରୁ ୦୮.୦୦ଟା ମଧ୍ୟରେ ସନ୍ତୋଷ ବିହାରରୁ ରାଜମହଲ ଆଡ଼କୁ ଚାଲିଚାଲି ଯାଉଥିଲେ । କଳ୍ପନା ଛକ ଓ ରାଜମହଲ ଛକ ମଝିରେ ଥିବା ଫଳିକିଆ ବସ୍ତି ସମ୍ମୁଖରେ ଅଭିଯୁକ୍ତ ପି.ସନ୍ତୋଷ ରେଡ୍ଡୀ (୧୯) ହଠାତ୍ ବସ୍ତି ଗଳି ଭିତରୁ ଆସି ପଛପଟୁ ତାଙ୍କ ପକେଟରୁ ଟଙ୍କା ଝାଂପି ନେବାକୁ ଉଦ୍ୟମ କରିଥିଲା । ଅଭିଯୋଗକାରୀ ଏହାକୁ ବିରୋଧ କରିବାରୁ ଅଭିଯୁକ୍ତ ନିଜ ସହଯୋଗୀକୁ ଡାକିଥିଲା ଏବଂ ଉଭୟେ ମିଶି ଅଭିଯୋଗକାରୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଏହି ଆକ୍ରମଣରେ ଅଭିଯୋଗକାରୀଙ୍କ ମୁଣ୍ଡରେ ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହୋଇଥିଲା ।
କାର ଅଟକାଇ ବରିଷ୍ଠ ନାଗରିକଙ୍କ ଠାରୁ ଲୁଟ୍
ରାଜମହଲ ଛକରୁ ଶିଶୁଭବନ ଛକ ଅଭିମୁଖେ ଯାଉଥିବା ଜଣେ ବରିଷ୍ଠ ନାଗରିକ ଦଂପତିଙ୍କ କାରକୁ ଅଟକାଇ ଛୁରୀ ଦେଖାଇ ଜଣେ ଦୁର୍ବୃତ୍ତ ଟଙ୍କା ଲୁଟି ନେଇଥିଲେ । ବିଜେବି ନଗର ସ୍ଥିତ କ୍ରିଷ୍ଣା ଏନ୍କ୍ଲେଭ୍ର ଅଭିଯୋଗକାରୀ ଅଭିଜିତ୍ ଶତପଥୀଙ୍କ ବୟସ୍କ ବାପା ଶିଶିର ଶତପଥୀ (୬୪) ଏବଂ ମା\’ କ୍ରିଷ୍ଣା ଶତପଥୀ (୬୦) ଗତ ୧୫.୧୧.୨୦୨୬ ତାରିଖ ମଧ୍ୟାହ୍ନରେ ନିଜ କାର ଯୋଗେ ରାଜମହଲ ଛକରୁ ଜନପଥ ଦେଇ ଶିଶୁଭବନ ଛକ ଅଭିମୁଖେ ଯାଉଥିଲେ । ବଜାର କଲିକତା\’ ସମ୍ମୁଖରେ ଜଣେ ଯୁବକ ହଠାତ୍ ନିଜ କଳା ରଙ୍ଗର ବାଇକ୍କୁ କାର ଆଗରେ ରଖି ସେମାନଙ୍କ ରାସ୍ତା ଅବରୋଧ କରିଥିଲା । ନିଶାସକ୍ତ ଅବସ୍ଥାରେ ଥିବା ଉକ୍ତ ଯୁବକ ଜଣକ କାରଟି ତା\’ ବାଇକ୍କୁ ଧକ୍କା ଦେଇଥିବା ମିଥ୍ୟା ଅଭିଯୋଗ ଆଣି ଛୁରୀ ଦେଖାଇ ଟଙ୍କା ଲୁଟି ନେଇ ଚମ୍ପଟ ମାରିଥିଲା ।
ରାସ୍ତାରେ ଯୁବକଙ୍କୁ ଛୁରୀ ଦେଖାଇ ଲୁଟ୍
ରାସ୍ତାରେ ଚାଲିଚାଲି ହୋଟେଲକୁ ଖାଇବାକୁ ଯାଉଥିବା ଦୁଇ ଜଣ ଯୁବକଙ୍କୁ ବାଇକ୍ରେ ଆସି ଅଟକାଇବା ସହ ବେକରେ ଛୁରୀ ଲଗାଇ ରୁପା ଚେନ୍, ବ୍ରେସଲେଟ୍ ଓ ନଗଦ ଟଙ୍କା ଲୁଟ୍ ହୋଇଥିଲା । ଗତ ୨୩.୦୯.୨୦୨୬ ତାରିଖ ରାତି ପ୍ରାୟ ୧୦.୦୦ ଟାରେ ଅଭିଯୋଗକାରୀ ସୋମନାଥ ବେହେରା (୨୪) ନିଜ ସାଙ୍ଗ ଅମିତ କୁମାର ଦାସଙ୍କ ସହ ରାତ୍ରିଭୋଜନ ପାଇଁ ଏକ ହୋଟେଲ୍ ଅଭିମୁଖେ ଚାଲିଚାଲି ଯାଉଥିଲେ । ଏହି ସମୟରେ ଦୁଇ ଜଣ ଯୁବକ ଏକ ବାଇକ୍ ଯୋଗେ ଆସି ସେମାନଙ୍କୁ ଅଟକାଇ ମାଡ଼ ମାରିଥିଲେ । ସେମାନେ ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ଧମକଚମକ ଦେଇ ଟଙ୍କା ଓ ମୋବାଇଲ୍ ଫୋନ୍ ମାଗିଥିଲେ । ଏହାପରେ ଅଭିଯୁକ୍ତମାନେ ଅଭିଯୋଗକାରୀଙ୍କ ବେକରେ ଛୁରୀ ଲଗାଇବା ସହ ତଣ୍ଟି ଚିପି ତାଙ୍କ ବେକରୁ ଏକ ରୁପା ଚେନ୍, ହାତରୁ ବ୍ରେସଲେଟ୍ ଏବଂ ନଗଦ ୩,୦୦୦/- ଟଙ୍କା ଜୋରଜବରଦସ୍ତ ଲୁଟି ନେଇ ଫେରାର ହୋଇଯାଇଥିଲେ ।
ଚୋରି ମାମଲାରେ ୧୬.୩ ପ୍ରତିଶତ ବୃଦ୍ଧି!
କେବଳ ଗତ ୧୫ ଦିନର ଘଟଣା ନୁହେଁ, ଚଳିତ ବର୍ଷର ପୂର୍ବ ଅର୍ଦ୍ଧବାର୍ଷିକ ଅପରାଧ ତଥ୍ୟ ମଧ୍ୟ ଚିନ୍ତା ବଢ଼ାଇଛି । କମିସନରେଟ୍ ପୁଲିସର ତଥ୍ୟ ଆଧାରରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦୨୫ ଜାନୁଆରୀରୁ ଜୁନ୍ ମଧ୍ୟରେ ଭୁବନେଶ୍ୱରରେ ୧,୦୦୭ଟି ଚୋରି ମାମଲା ରୁଜୁ ହୋଇଥିଲା । ୨୦୨୬ର ସମାନ ଅବଧିରେ ଏହି ସଂଖ୍ୟା ବୃଦ୍ଧି ପାଇ ୧,୧୭୧ରେ ପହଞ୍ଚିଛି । ଅର୍ଥାତ୍ ଚୋରି ମାମଲାରେ ୧୬.୩ ପ୍ରତିଶତ ବୃଦ୍ଧି ଘଟିଛି ।
ପୁଲିସ ପାଇଁ ବଡ଼ ଆହ୍ୱାନ
ରାଜଧାନୀରେ ଚୋରି ଓ ଲୁଟ୍ ଘଟଣା ରୋକିବା ପାଇଁ ପୁଲିସର ରାତ୍ରିକାଳୀନ ପାଟ୍ରୋଲିଂ, ସିସିଟିଭି ନଜରଦାରି ଏବଂ ସନ୍ଦିଗ୍ଧ ଅପରାଧୀଙ୍କ ଉପରେ ନଜର ରଖିବା ଜରୁରୀ । ବିଶେଷକରି ଏକୁଟିଆ ରହୁଥିବା ବୃଦ୍ଧବୃଦ୍ଧାଙ୍କ ସୁରକ୍ଷା, ଘରୋଇ ସହାୟକଙ୍କ ପୃଷ୍ଠଭୂମି ଯାଞ୍ଚ ଏବଂ ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବା ଆବଶ୍ୟକ ।
ସ୍ମାର୍ଟ ସିଟିରେ ନାଗରିକଙ୍କ ସୁରକ୍ଷା କେତେ ନିଶ୍ଚିତ ଚୋରି ଓ ଲୁଟ୍ ଘଟଣାକୁ ରୋକିବା ପାଇଁ ପୁଲିସର ରଣନୀତି କ\’ଣ? ଏଭଳି ପ୍ରଶ୍ନ ଏବେ ରାଜଧାନୀବାସୀଙ୍କ ମନରେ ଉଠିଛି ।

