ଭୁବନେଶ୍ୱର: ପାକିସ୍ତାନ ବିପକ୍ଷରେ ବ୍ୟାଟ୍ରେ ଗର୍ଜିଲେ ଭାରତୀୟ ଯୁବ ବ୍ୟାଟର ଅଭିଷେକ ଶର୍ମା। ଅନ୍ୟ ବ୍ୟାଟରମାନେ ବିଫଳ ହେଉଥିବା ବେଳେ ଅଭିଷେକ ଲଢୁଆ ବ୍ୟାଟିଂ କରି ଦଳକୁ ସମ୍ଭାଳିଥିଲେ। ରବିବାର (୨୨ ନଭେମ୍ବର) ରାଇଜିଂ ଷ୍ଟାର୍ସ ଏସିଆ କପ୍ରେ ଭାରତ ଏ’ ଓ ପାକିସ୍ତାନ ଏ’ ମଧ୍ୟରେ ମୁକାବିଲା ହୋଇଥିଲା। ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୩୧୩ ରନ୍ କରିଥିବା ବେଳେ ଜବାବରେ ଅଭିଷେକ ମାତ୍ର ୪୨ ବଲ୍ରୁ ୭୦ ରନ୍ର ଦମ୍ଦାର ପାଳି ଖେଳିଥିଲେ।
୩୧୪ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଦଳ ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ ଓ ଅଭିଷେକ ଶର୍ମା ଇନିଂସ ଆରମ୍ଭ କରିଥିଲେ। ଉଭୟ ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ପରିଚିତ ହୋଇଥିଲେ ମଧ୍ୟ ପାକିସ୍ତାନୀ ବୋଲରମାନେ ଆରମ୍ଭରୁ ଚାପ ସୃଷ୍ଟି କରିଥିଲେ। ଫଳରେ ବୈଭବ ୧୩ ବଲ୍ରୁ ମାତ୍ର ୧୧ ରନ୍ କରି ଆଉଟ୍ ହୋଇଥିଲେ। ଅନ୍ୟପଟେ ଆୟୁଷ ବଡୋନି ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିଲେ।
୬ ଚୌକା, ୬ ଛକା ମାରିଲେ ଅଭିଷେକ
ମାତ୍ର ୨୬ ରନ୍ରେ ଦୁଇଟି ୱିକେଟ୍ ହରାଇ ଭାରତୀୟ ଦଳ ସଙ୍କଟରେ ପଡ଼ିଥିଲା। ତେବେ ଅଭିଷେକ ଶର୍ମା ଧୈର୍ଯ୍ୟ ନ ହରାଇ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିଥିଲେ। ଅନ୍ୟ ପଟେ ଅଧିନାୟକ ତିଲକ ବର୍ମା ରନ୍ କରିବାକୁ ସଂଘର୍ଷ କରୁଥିବାରୁ ଅଭିଷେକଙ୍କ ଉପରେ ଅଧିକ ଚାପ ରହିଥିଲା।
ତିଲକ ବର୍ମା ପ୍ରଥମ ୩୬ଟି ବଲ୍ରୁ ମାତ୍ର ୮ ରନ୍ କରିପାରିଥିଲେ। ଏଭଳି ସ୍ଥିତିରେ ଅଭିଷେକ ଗୋଟିଏ ପଟେ ଇନିଂସ ସମ୍ଭାଳିବା ସହ ସୁଯୋଗ ମିଳିବା ମାତ୍ରେ ବଡ଼ ସଟ୍ ଖେଳିଥିଲେ। ସେ ୪୨ଟି ବଲ୍ର ସମ୍ମୁଖୀନ ହୋଇ ୭୦ ରନ୍ କରିଥିଲେ। ଏହି ଇନିଂସରେ ତାଙ୍କ ବ୍ୟାଟ୍ରୁ ୬ଟି ଚୌକା ଓ ୬ଟି ଛକା ଦେଖିବାକୁ ମିଳିଥିଲା।
ଲଗାତାର ଦ୍ୱିତୀୟ ମ୍ୟାଚ୍ରେ ବିଫଳ ବୈଭବ
ଅନ୍ୟପଟେ ରାଇଜିଂ ଷ୍ଟାର୍ସ ଏସିଆ କପ୍ରେ ବୈଭବ ସୂର୍ଯ୍ୟବଂଶୀଙ୍କ ଖରାପ ଫର୍ମ ଜାରି ରହିଛି। ପାକିସ୍ତାନ ଏ’ ବିପକ୍ଷରେ ସେ ୧୩ଟି ବଲ୍ରୁ ମାତ୍ର ୧୧ ରନ୍ କରିଥିଲେ। ଏହା ପୂର୍ବରୁ ନେପାଳ ବିପକ୍ଷ ମ୍ୟାଚ୍ରେ ଭାରତ ୩୦୬ ରନ୍ର ବଡ଼ ବ୍ୟବଧାନରେ ବିଜୟୀ ହୋଇଥିଲା। ସେହି ମ୍ୟାଚ୍ରେ ମଧ୍ୟ ବୈଭବ ୩୨ ବଲ୍ରୁ ମାତ୍ର ୨୬ ରନ୍ କରିଥିଲେ। ତେଣୁ ପାକିସ୍ତାନ ବିପକ୍ଷରେ ତାଙ୍କଠାରୁ ବଡ଼ ଇନିଂସ ଆଶା କରୁଥିବା ପ୍ରଶଂସକଙ୍କୁ ନିରାଶ ହେବାକୁ ପଡ଼ିଛି।

