କର୍ତ୍ତବ୍ୟରେ ଖିଲାପ ଅଭିଯୋଗ: ନିଲମ୍ବିତ ହେଲେ ମଞ୍ଚେଶ୍ୱର ଥାନା ଅଧିକାରୀ

Reporterspen

ଭୁବନେଶ୍ୱର,(ରିପୋର୍ଟର୍ସ ପେନ୍‌): କାର୍ଯ୍ୟରେ ଅବହେଲା ଓ ଦାୟିତ୍ୱହିନତା ଯୋଗୁଁ ମଞ୍ଚେଶ୍ୱର ଥାନା ଅଧିକାରୀ ତଥା ଇନ୍ସପେକ୍ଟର ଗୟାନନ୍ଦ ଶାହାଙ୍କୁ ନିଲମ୍ବନ କରାଯାଇଛି । ପୋଲିସ ଡିଜି ଶ୍ରୀ ଶାହାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ଏନେଇ ଓଡ଼ିଶା ପୋଲିସ ମୁଖ୍ୟାଳୟ ପକ୍ଷରୁ ଆଜି ଏକ ନିର୍ଦ୍ଦେଶନାମା ଜାରି ହୋଇଛି ।

ନିର୍ଦ୍ଦେଶନାମା ଅନୁଯାୟୀ, ଗୟାନନ୍ଦ ସାହାଙ୍କ ବିରୋଧରେ କର୍ତ୍ତବ୍ୟରେ ଅବହେଳା, ଦାୟିତ୍ୱହୀନତା ଏବଂ ସରକାରୀ କାର୍ଯ୍ୟ ସଠିକ୍ ଭାବେ ସମ୍ପାଦନ ନକରିବା ଅଭିଯୋଗରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବିଚାରାଧୀନ ରହିଛି । ଜନସ୍ୱାର୍ଥ ଦୃଷ୍ଟିରୁ ତାଙ୍କୁ ତୁରନ୍ତ ନିଲମ୍ବନ କରିବାକୁ ଡିଜିପି ନିଷ୍ପତ୍ତି ନେଇଛନ୍ତି ।

ପୋଲିସ ମାନୁଆଲ୍ ରୁଲ୍‌-୧୯୪୦ର ନିୟମ ୮୪୦ ଅନୁଯାୟୀ ତାଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବନ ଅବଧିରେ ସେ ଭୁବନେଶ୍ୱର-କଟକ ପୋଲିସ କମିଶନରଙ୍କ ଶୃଙ୍ଖଳାଗତ ନିୟନ୍ତ୍ରଣରେ ରହିବେ । ଏହି ସମୟରେ ଓଡ଼ିଶା ସର୍ଭିସ୍ କୋଡ୍‌ର ନିୟମ ୯୦ ଅନୁଯାୟୀ ସେ ନିୟମ ଅନୁସାରେ ଭତ୍ତା ପାଇବେ ।

ସୂଚନା ଅନୁସାରେ, ଗତ କିଛିଦିନ ତଳେ ସୋନପୁର ଜିଲ୍ଲାର ଜଣେ ଜଣାଶୁଣା ଡାକ୍ତରଙ୍କ ମା’ ରାଜଧାନୀର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଚିକତ୍ସା ସମୟରେ ତାଙ୍କର ପରଲୋକ ଘଟିଥିଲା । ନିୟମ ଅନୁସାରେ ମୃତଦେହର ଶବ ବ୍ୟବଚ୍ଛେଦ ହେବା କଥା । ମାତ୍ର ଡାକ୍ତର ଜଣଙ୍କୁ ଥାନା ଅଧିକାରୀଙ୍କୁ ବିନା ବ୍ୟବଚ୍ଛେଦରେ ଶବ ଛାଡିବାକୁ ଅନୁରୋଧ କରିଥିଲେ । ଏଥିରେ ଶ୍ରୀ ଶାହା ସହମତି ପ୍ରକାଶ କରିବା ସହ ହସପିଟାଲକୁ ଏକ ଲିଖିତ ଆକାରରେ ଶବ ଛାଡି ଦେବାକୁ କହିଥିଲେ ।

ଏହାର କିଛିଦିନ ପରେ ସଂପୃକ୍ତ ଡାକ୍ତର ଜଣକ ତାଙ୍କ ମା’ଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାର ତଦନ୍ତ ବେଳେ ଶବ ବ୍ୟବଚ୍ଛେଦ କରାଯାଇନଥିବା ଜଣାପଡିଥିଲା । ପରେ କର୍ତ୍ତବ୍ୟରେ ଅବହେଲା ଓ ଦାୟିତ୍ୱହିନତାର ପ୍ରମାଣ ମିଳିବା ପରେ ପୋଲିସ ଡିଜି ଶ୍ରୀ ଶାହାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ।


Reporterspen