ଭୁବନେଶ୍ୱର, (ରିପୋର୍ଟର୍ସ ପେନ): ରାଜଧାନୀ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବୁଦ୍ଧନଗର ଅଞ୍ଚଳରେ ଜଣେ ବୟସ୍କା ମହିଳାଙ୍କୁ ତାଙ୍କ ଘରେ ହତ୍ୟା କରାଯାଇଛି । ମୃତା ମହିଳା ହେଲେ ୭୬ ବର୍ଷୀୟା କୁଞ୍ଜଲତା ନନ୍ଦ । ମୃତା କୁଞ୍ଜଲତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ମୁଣ୍ଡକୁ କୌଣସି ଏକ ବସ୍ତୁରେ ଶକ୍ତ ଆଘାତ ଦିଆଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ତେବେ ଘଟଣା ପରେ କୁଞ୍ଜଲତାଙ୍କ ଘରେ କାମ କରୁଥିବା ଘରୋଇ ସହାୟକ ବଳଭଦ୍ର ମହାରଣା ଫେରାର ହୋଇଯାଇଛି । ରାତିରେ ଏହି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।
ଘରୁ ସୁନା ଅଳଙ୍କାର ସମେତ ଟଙ୍କା ମଧ୍ୟ ଚୋରି ହୋଇଛି । ଆଲମୀରା ଖୋଲା ହୋଇଥିବା ବେଳେ ଆସବାବପତ୍ର ଏଣେତେଣେ ପଡିରହିଛି । ତେବେ କୁଞ୍ଜଲତାଙ୍କୁ ବଳଭଦ୍ର ହତ୍ୟା କରି ଘରୁ ଲୁଟ୍ କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଲକ୍ଷ୍ମୀସାଗର ଥାନା ପୋଲିସ ଏନେଇ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସେହିପରି ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ନମୁନା ସଂଗ୍ରହ କରିଛି । ବଳଭଦ୍ରର ଘର ଟାଙ୍ଗୀ ଅଞ୍ଚଳରେ ହୋଇଥିବା ବେଳେ ପୋଲିସ ଟିମ୍ ତାକୁ ଧରିବାକୁ ଖୋଜାଖୋଜି ଚଲାଇଛି ।
ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ଓ ଭୁବନେଶ୍ୱର ଡିସିପି ସର୍ବଣା ବିବେକ୍ ଏମ୍. ପ୍ଲଟ୍ ନଂ ୧୬/୯ ସ୍ଥିତ କୋଠାରେ ପହଞ୍ଚି ସ୍ଥିତି ବୁଝିବା ସହ ତଦନ୍ତ କରିଥିଲେ । ତେବେ ବଳଭଦ୍ର ହିଁ ଏକମାତ୍ର ସନ୍ଦିଗ୍ଧ ଭାବେ ପୋଲିସ ଚିହ୍ନଟ କରି ସେହି ଦିଗରେ ତଦନ୍ତ ଚଲାଇଛି ।
ଏନେଇ ଡିସିପି ବିବେକ୍ ଏମ୍. କହିଛନ୍ତି, “ହତ୍ୟାକାଣ୍ଡ ନେଇ ସକାଳୁ ଖବର ଆସିଥିଲା । ଘରୋଇ ସହାୟକ ଜଣକ ୬ ମାସ ଧରି ମଞ୍ଜୁଲତାଙ୍କ ଘରେ ରହୁଥିଲେ । ଘଟଣାର ଖବର ପାଇ ସିପି ସାର୍ ଘଟଣାସ୍ଥଳକୁ ଯାଇଥିଲେ । ତେବେ ଘରେ କାମ କରୁଥିବା କେୟାର ଟେକର ହିଁ ଏହି ହତ୍ୟାକାଣ୍ଡ ଘଟାଇଥିବା ଆମେ ସନ୍ଦେହ କରୁଛୁ । ଘରୁ ମଧ୍ୟ ଲୁଟ୍ ହୋଇଛି । ଏହି ଘଟଣାରେ ପୋଲିସ ଟିମ୍ ଗଠନ କରଯାଇ ତଦନ୍ତ କରାଯାଉଛି । କେୟାର ଟେକରକୁ ଧରିବାକୁ ଉଦ୍ୟମ ଜାରି ରହିଛି,’ ବୋଲି ଡିସିପି କହିଛନ୍ତି ।
ଉଲ୍ଲେଖଥାଉ କି, ସ୍ୱାମୀଙ୍କ ମୃତ୍ୟୁ ପରେ କୁଞ୍ଜଲତା ଘରେ ଏକାକୀ ଜୀବନ କାଟୁଥିଲେ । ପିଲାମାନେ କେହି ଆମେରିକାରେ ତ ଆଉ କେହି ମୁମ୍ବାଇ ଓ ଭୁବନେଶ୍ୱରର ଅନ୍ୟ ଅଞ୍ଚଳରେ ରହୁଛନ୍ତି । କୁଞ୍ଜଲତାଙ୍କ ଦେଖାଶୁଣା ପାଇଁ ଘରେ କେୟାରଟେକରକୁ ରଖାଯାଇଥିଲା । ହେଲେ ସେହି ବିଶ୍ୱାସରେ ବିଷ ଦେଇଥିବା ଅଭିଯୋଗ ହୋଇଛି । ରାତିର ଅନ୍ଧାରରେ ହତ୍ୟା ଓ ଲୁଟ୍ର ଭୟଙ୍କର ଷଡ଼ଯନ୍ତ୍ର ରଚାଯାଇଥିଲା ବୋଲି ଜଣାପଡ଼ିଛି ।
ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ତଳ ମହଲାରେ ରହୁଥିବା ଲୋକେ କୁଞ୍ଜଲତା କବାଟ ଖୋଲୁନଥିବା ତାଙ୍କ ଝିଅଙ୍କୁ ଜଣାଇଥିଲେ । ଖବରପାଇ ଜ୍ୱାଇଁ ଘରେ ପହଞ୍ଚିଥିଲେ । ହେଲେ ଭିତରୁ କବାଟ ବନ୍ଦ ଥିଲା । ପୋଲିସ ଉପସ୍ଥିତିରେ କବାଟ ଖୋଲାଯିବା ପରେ ତାହା ଅତ୍ୟନ୍ତ ଭୟଙ୍କର ଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୃଦ୍ଧାଙ୍କ ମୃତଦେହ । ହାତଗୋଡ଼ ବନ୍ଧା ହୋଇଥିବା ବେଳେ ମୁଣ୍ଡରେ ଗଭୀର କ୍ଷତଚିହ୍ନ ରହିଥିଲା । ଘରର ଆଲମିରା ମଧ୍ୟ ଭଙ୍ଗା ଯାଇଥିଲା । ଘରୁ ପ୍ରାୟ ୪ରୁ ୫ଭରି ସୁନା, ନଗଦ ୬୦ ହଜାର ଟଙ୍କା ଏବଂ ସ୍କୁଟି ନେଇ କେୟାର ଟେକର ଫେରାର ହୋଇଥିବା ଅଭିଯୋଗ ହୋଇଛି ।

