ତୃଣମୂଳସ୍ତରରେ ବିକାଶର କେନ୍ଦ୍ରବିନ୍ଦୁ ଅଙ୍ଗନବାଡ଼ି : ଉପମୁଖ୍ୟମନ୍ତ୍ରୀ

Reporterspen

ଭୁବନେଶ୍ୱର, (ରିପୋର୍ଟର୍ସପେନ୍‌): ତୃଣମୂଳସ୍ତରର ବିକାଶର କେନ୍ଦ୍ରବିନ୍ଦୁ ହେଉଛି ଅଙ୍ଗନବାଡ଼ି । ଅଙ୍ଗନବାଡ଼ି ଭିତ୍ତିଭୂମି ବିକାଶ ଉପରେ ଫୋକସ ଦେଇ ଗ୍ରାମୀଣ ବିକାଶକୁ ସୁଦୃଢ କରିବାକୁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମତ ପ୍ରକାଶ କରିଛନ୍ତି । ବୁଧବାର ମହିଳା ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ କରକମଳରେ ପଞ୍ଚାୟତରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ଉପସ୍ଥିତିରେ ରାଜ୍ୟର ୪୯୧ଟି ନବନିର୍ମିତ ଅଙ୍ଗନବାଡ଼ି କେନ୍ଦ୍ର ଉଦଘାଟନ ହୋଇଯାଇଛି । ଅଙ୍ଗନବାଡ଼ିକୁ ସଶକ୍ତ କରି ସେଥିରେ ସ୍ବଚ୍ଛତା, ଶୌଚାଳୟ, ପାନୀୟ ଜଳ ସୁବିଧା, ବିଦ୍ୟୁତ ସେବା, ପୁଷ୍ଟି ବଗିଚା ଆଦିକୁ ବିଶେଷ ଗୁରୁତ୍ଵ ଦିଆଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ମତବ୍ୟକ୍ତ କରିଛନ୍ତି ।

କାର୍ଯ୍ୟକ୍ରମରେ ପଞ୍ଚାୟତରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ଅଙ୍ଗନବାଡ଼ି କେନ୍ଦ୍ରକୁ ବିକଶିତ ଗାଁ ବିକଶିତ ଓଡ଼ିଶାର ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ ବୋଲି ମତ ପ୍ରକାଶ କରିଛନ୍ତି । ମହିଳାମାନଙ୍କ ସ୍ୱାସ୍ଥ୍ୟ ଓ ଶିଶୁମାନଙ୍କ ପ୍ରାକ୍ ପ୍ରାଥମିକ ଶିକ୍ଷା ଓ ସ୍ଵାସ୍ଥ୍ୟ ବିକାଶ ଅଙ୍ଗନବାଡ଼ିର ଭିତ୍ତିଭୂମି ଉପରେ ନିର୍ଭର କରୁଛି ବୋଲି ସେ ଦୃଢ ମତ ରଖିଛନ୍ତି । ଏହି ଅବସରରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ଆୟୁକ୍ତ ତଥା ଶାସନ ସଚିବ ଗିରିଶ ଏସ.ଏନ, ମହିଳା ଓ ଶିଶୁ ବିକାଶ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ନିର୍ଦ୍ଦେଶିକ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଓ ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ । ଏହାସହ ଆଭାଷୀ ମାଧ୍ୟମରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଅଙ୍ଗନବାଡ଼ି କର୍ମୀ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୧୧ଟି, ବାଲେଶ୍ବର ଜିଲ୍ଲାରେ ୬୩, ବରଗଡ଼ରେ ୩୬, ଭଦ୍ରକରେ ୨୮, କଟକରେ ୨୪ଟି, ଗଜପତିରେ ୧୦, ଜଗତସିଂହପୁରରେ ୩୪, ଯାଜପୁରରେ ୨୦, କେନ୍ଦ୍ରାପଡ଼ାରେ ୧୯, ଖୋର୍ଦ୍ଧାରେ ୨୩, ପୁରୀରେ ୨୪, ନୟାଗଡ଼ରେ ୧୪, କୋରାପୁଟରେ ୧୮, କେନ୍ଦ୍ରାପଡ଼ାରେ ୧୯, କନ୍ଧମାଳରେ ୧୬, ଗଜପତିରେ୧୦, ସୁନ୍ଦରଗଡରେ ୪, ସୁବର୍ଣ୍ଣପୁରରେ ୧୧, ସମ୍ବଲପୁରରେ ୯, ରାୟଗଡାରେ ୧, ନୂଆପଡ଼ାରେ ୨, ନବରଙ୍ଗପୁର ୩, ମାଲକାନଗିରିରେ ୧, କେଉଁଝରରେ ୫, ଢେଙ୍କାନାଳରେ ୨, ବଲାଙ୍ଗୀରିରେ ୭, ଅନୁଗୁଳରେ ୬ ଅଙ୍ଗନବାଡିକୁ ଉଦଘାଟନ କରାଯାଇଛି ।

ଏଯାବତ ଦୁଇଟି ପର୍ଯ୍ୟାୟରେ ୧୪୦୪ଅଙ୍ଗନବାଡିକୁ ସଶକ୍ତ କରାଯାଇଛି । ସେପ୍ଟେମ୍ବର ମାସରେ ପ୍ରଥମ ପର୍ଯ୍ୟାୟରେ ୯୧୩ଟି ଅଙ୍ଗନବାଡି ଓ ଆଜି ଦ୍ଵିତୀୟ ପର୍ଯ୍ୟାୟରେ ୪୯୧ ଅଙ୍ଗନବାଡି ଉଦଘାଟନ କରାଯାଇଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।


Reporterspen