BCCI Bank Balance: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଗତ ୫ ବର୍ଷ ମଧ୍ୟରେ ବମ୍ପର ଆୟ କରିଥିବା ରିପୋର୍ଟ ଆସିଛି। ରିପୋର୍ଟ ଅନୁଯାୟୀ, ଗତ ୫ ବର୍ଷରେ ବିସିସିଆଇ ର କୋଷାଗାରକୁ ୧୪,୬୨୭ କୋଟି ଟଙ୍କା ଆସିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ, ଏଥିରୁ ୪,୧୯୩ କୋଟି ଟଙ୍କା କେବଳ ଗତ ଆର୍ଥିକ ବର୍ଷରେ ଆସିଥିଲା। ଏହିପରି, ବିସିସିଆଇ ର “ବ୍ୟାଙ୍କ ବାଲାନ୍ସ” ବର୍ତ୍ତମାନ ୨୦,୬୮୬ କୋଟି ଟଙ୍କା ହୋଇଛି।
‘କ୍ରିକବଜ୍’ ର ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ରାଜ୍ୟ ୟୁନିଟଗୁଡ଼ିକୁ ସମସ୍ତ ବକେୟା ଦେବା ପରେ ମଧ୍ୟ ବିସିସିଆଇ ର ବ୍ୟାଙ୍କ ବାଲାନ୍ସରେ ଏକ ବିରାଟ ବୃଦ୍ଧି ଘଟିଛି । ୨୦୧୯ ରେ ଏହି ପାଣ୍ଠି ୩,୯୦୬ କୋଟି ଟଙ୍କା ଥିଲା, ଯାହା ୨୦୨୪ ରେ ପ୍ରାୟ ଦୁଇଗୁଣ ବୃଦ୍ଧି ପାଇ ୭,୯୮୮ କୋଟି ଟଙ୍କାରେ ପହଞ୍ଚିଛି। ଏହି ସଂଖ୍ୟା ରାଜ୍ୟ ସଂଘ ସହିତ ସେୟାର କରାଯାଇଥିଲା।
ରିପୋର୍ଟ ଅନୁଯାୟୀ, ୨୦୨୪ ବାର୍ଷିକ ସାଧାରଣ ସଭା (AGM)ରେ ଉପସ୍ଥାପିତ ହିସାବରେ ଦର୍ଶାଯାଇଛି ଯେ, ୨୦୧୯ ପରଠାରୁ ବିସିସିଆଇର ନଗଦ ଏବଂ ବ୍ୟାଙ୍କ ଜମା ୬,୦୫୯ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦,୬୮୬ କୋଟି ଟଙ୍କା ହୋଇଛି ବୋଲି ମାନକ ସଚିବ ସଦସ୍ୟମାନଙ୍କୁ କହିଥିଲେ। ଏଥିରେ କୁହାଯାଇଛି ଯେ, ରାଜ୍ୟ କ୍ରିକେଟ ସଂଘଗୁଡ଼ିକୁ ଦେୟ ଦିଆଯାଇ ନଥିବା ବେଳେ ୬,୦୫୯ କୋଟି ଟଙ୍କା ଥିଲା, ଯେତେବେଳେ ରାଜ୍ୟ କ୍ରିକେଟ ସଂଘଗୁଡ଼ିକର ଦେୟ ଦିଆଯିବା ପରେ ୨୦,୬୮୬ କୋଟି ଟଙ୍କା ଥିଲା।
ବିସିସିଆଇର ଆୟ ଅତ୍ୟଧିକ ବୃଦ୍ଧି ପାଇଥାଇପାରେ କିନ୍ତୁ ସୂଚନା ମୁତାବକ ଟିମ୍ ଇଣ୍ଡିଆର ମ୍ୟାଚ୍ ରୁ ଆୟ ହ୍ରାସ ପାଇଛି। ୨୦୨୨-୨୩ରେ ମ୍ୟାଚ୍ ରୁ ବିସିସିଆଇର ଆୟ ୨୫୨୪.୮୦ କୋଟି ଟଙ୍କା ଥିଲା, କିନ୍ତୁ ୨୦୨୩-୨୪ରେ ଏହା ମାତ୍ର ୮୧୩.୧୪ କୋଟି ଟଙ୍କାକୁ ହ୍ରାସ ପାଇଛି। ବୋର୍ଡ ସୂଚନା ଅନୁଯାୟୀ, ଘରୋଇ ମ୍ୟାଚ୍ ସଂଖ୍ୟା ହ୍ରାସ ଏବଂ ଭାରତରେ ୨୦୨୩ ବିଶ୍ୱକପ୍ ଅନୁଷ୍ଠିତ ହେବା ଯୋଗୁଁ ଏହି ହ୍ରାସ ଘଟିଛି। ଏହା ବ୍ୟତୀତ, ଭାରତୀୟ ପୁରୁଷ ଦଳର ବିଦେଶ ଗସ୍ତରୁ ଆୟ ମଧ୍ୟ ଗତ ବର୍ଷ ୬୪୨.୭୮ କୋଟି ଟଙ୍କାରୁ ହ୍ରାସ ପାଇ ଚଳିତ ବର୍ଷ ୩୬୧.୨୨ କୋଟି ଟଙ୍କା ହୋଇଛି।
ଏହା ମଧ୍ୟ ଜଣାପଡିଛି ଯେ, “ବିସିସିଆଇ ଭିତ୍ତିଭୂମି ବିକାଶ ପାଣ୍ଠି ପାଇଁ ୧,୨୦୦ କୋଟି ଟଙ୍କା, ପ୍ଲାଟିନମ୍ ଜୁବିଲି ବେନିଭୋଲେଣ୍ଟ ପାଣ୍ଠି ପାଇଁ ୩୫୦ କୋଟି ଟଙ୍କା ଏବଂ କ୍ରିକେଟ ବିକାଶ ପାଇଁ ଭିତ୍ତିଭୂମି ପାଇଁ ୫୦୦ କୋଟି ଟଙ୍କା ଆବଣ୍ଟନ କରିଛି। କ୍ରିକେଟର ବିକାଶ ଏବଂ ପୂର୍ବତନ ଖେଳାଳିମାନଙ୍କୁ ସମର୍ଥନ କରିବା ପାଇଁ ବିସିସିଆଇର ଲକ୍ଷ୍ୟରେ ଏହି ଆବଣ୍ଟନ କରାଯାଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।”