odisha Assembly: ଭୁବନେଶ୍ୱର (ରିପୋର୍ଟର୍ସ ପେନ୍): ରାଜ୍ୟରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ଚଳିତ ଜାନୁଆରୀ ମାସରୁ ରାଜ୍ୟ ସରକାର ଶୀତଲ ଭଣ୍ଡାର ଆର୍ଥିକ ସହାୟତା ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ଅଧୀନରେ ରାଜ୍ୟର ସବୁ ଡିଭିଜନରେ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର କରାଯିବ । ଆବଶ୍ୟକ ହେଲେ ବ୍ଲକରେ ମଧ୍ୟ ଶୀତଳ ଭଣ୍ଡାର ହେବ । ଏଥିପାଇଁ ବଜେଟରେ ୨୫୨ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏହି ଯୋଜନା ଆସନ୍ତା ୨୦୨୯-୩୦ ଯାଏଁ ଜାରି ରହିବ ବୋଲି ଆଜି ଗୃହରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
ପ୍ରଶ୍ନକାଳରେ ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ ଘରୋଇ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ଏସସି, ଏସଟି ଓ ମହିଳାଙ୍କୁ ୬୦ ପ୍ରତିଶତ ପର୍ଯ୍ୟନ୍ତ ସବସିଡି ପ୍ରଦାନ କରାଯାଉଛି । ଏ ବାବଦରେ ସେମାନଙ୍କୁ ୬.୫୦ କୋଟି ଟଙ୍କା ସବସିଡି ବାବଦରେ ଅର୍ଥ ଦିଆଯାଉଛି । ଅନ୍ୟ ବର୍ଗଙ୍କୁ ଏକ୍ଷେତ୍ରରେ ୬ କୋଟି ଟଙ୍କା ବ୍ୟବସ୍ଥା ରହିଛି । ସେହିପରି ବିଦ୍ୟୁତ ବିଲ ବାବଦରେ ମଧ୍ୟ ରାଜ୍ୟ ସରକାର ଯୋଜନା ଅଧୀନରେ ୫୦ ପ୍ରତିଶତ ରିଆତୀ ବ୍ୟବସ୍ଥା ରଖିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ନୂଆ ଶୀତଳଭଣ୍ଡାର ପ୍ରତିଷ୍ଠା ପାଇଁ ବେସରକାରୀ ସ୍ତରରେ ୧୫ଟି ଆବେଦନ କରାଯାଇଥିବା ବେଳେ ତନ୍ମଧ୍ୟରୁ ୫ଟିକୁ ମଞ୍ଜୁରୀ ମିଳିଛି । ବାକି ପ୍ରକ୍ରିୟା ମଧ୍ୟରେ ଅଛି ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ । ଅଧିକରୁ ଅଧିକ ବେସରକାରୀ ସ୍ତରରେ ଶୀତଳଭଣ୍ଡାର ନିର୍ମାଣ ପାଇଁ ଉଦ୍ୟୋଗୀମାନେ ଆଗେଇ ଆସିବାକୁ ମନ୍ତ୍ରୀ ଏହି ଅବସରରେ ଆହ୍ୱାନ କରିଛନ୍ତି ।
୩ କୋଟି ୨୭ ଲକ୍ଷ ଲୋକଙ୍କୁ ମାଗଣା ଚାଉଳ
ରାଜ୍ୟ ସରକାର ଜରୁରୀ ଲୋକଙ୍କ ପାଇଁ ଖାଦ୍ୟ ସୁରକ୍ଷା କରିବାକୁ ଯାଇ ୩ କୋଟି ୨୭ ଲକ୍ଷ ୮୩ ହଜାର ୬୭୩ ଲୋକଙ୍କୁ ମାଗଣାରେ ଖାଦ୍ୟାନ୍ନ ଯୋଗାଉଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ବଳରେ ଏମାନଙ୍କୁ ବିନା ମୂଲ୍ୟରେ ଖାଦ୍ୟାନ୍ନ ଯୋଗାଇ ଦିଆଯାଉଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଏହି ଖାଦ୍ୟଶସ୍ୟର ପରିବହନ ଏବଂ ବିତରଣ ବାବଦରେ କେନ୍ଦ୍ର ଓ ରାଜ୍ୟ ସରକାର ୫୦ ପ୍ରତିଶତ ଲେଖାଏଁ ଅର୍ଥ ବହନ କରୁଛନ୍ତି । ବଣ୍ଟା ଯାଉଥିବା ଚାଉଳ କିଣିବା ଓ ପରିବହନ ବାବଦରେ ଡିଲର ମାନଙ୍କୁ କୌଣସି ଅର୍ଥ ପ୍ରଦାନ କରାଯାଉନାହିଁ । କେବଳ ବିତରଣ ପାଇଁ କ୍ୱିଣ୍ଟାଲ ପିଛା ୧୦୪ ଟଙ୍କା ପ୍ରଦାନ କରାଯାଉଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ନୂତନ ରାସନକାର୍ଡ ପାଇଁ ଲୋକଙ୍କ ଆବେଦନ ବଢୁଛି ଏବଂ ଏବେ ସୁଦ୍ଧା ୧୫ ଲକ୍ଷ ୩୩ ହଜାର ୧୫୩ଟି ଆବେଦନ ପତ୍ର ସରକାରଙ୍କର ହସ୍ତଗତ ହୋଇଛି ବୋଲି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି । ଏଥିରୁ ୩ ଲକ୍ଷ ୨୩ ହଜାର ୧୪୫ ଜଣଙ୍କୁ ଯୋଗ୍ୟ ବିବେଚିତ କରାଯାଇ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଅନ୍ୟ ୪ ଲକ୍ଷ ୭୨ ହଜାର ୪୭୮ ଜଣଙ୍କୁ ନୂଆ କରି ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ନିରୀକ୍ଷଣ ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।
ଅନ୍ୟ ରାଜ୍ୟକୁ ଯାଉଛି ୨୮ ଲକ୍ଷ ମେଟ୍ରିକ୍ ଟନ ଚାଉଳ
ବିଭିନ୍ନ ସମୟରେ ରାଜ୍ୟର ଧାନଚାଷୀମାନଙ୍କ ଠାରୁ ଆଦାୟ କରାଯାଉଥିବା ଚାଉଳ ଭିତରୁ ୨୮ ଲକ୍ଷ ମେଟ୍ରିକ୍ ଟନ ଅନ୍ୟ ରାଜ୍ୟକୁ ପଠାଯାଉଛି । ଗତ ଧାନ ସଂଗ୍ରହ ବର୍ଷର ତଥ୍ୟ ରଖି ରାଜ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ୨୦୨୪-୨୫ ବର୍ଷରେ ମୋଟ ୯୨ ଲକ୍ଷ ୬୪ ହଜାର ମେଟ୍ରିକ୍ ଟନ ଧାନ ସଂଗ୍ରହ କରାଯାଇଥିଲା । ଏଥିରୁ ୬୨ ଲକ୍ଷ ୮୨ ହଜାର ମେଟ୍ରିକ୍ ଟନ ଚାଉଳ ଉତ୍ପାଦନ କରାଯାଇଠିଯ । ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନା ଏବଂ ଅନ୍ୟ କଲ୍ୟାଣ କାରୀ ଯୋଜନା ମାଧ୍ୟମରେ ରାଜ୍ୟରେ ୨୩ ଲକ୍ଷ ମେଟ୍ରିକ୍ ଟନ ଚାଉଳ ବ୍ୟବହାର କରିବେ । କେନ୍ଦ୍ର ସରକାର ଏହି ଚାଉଳରୁ ୨୮ ଲକ୍ଷ ମେଟ୍ରିକ୍ ଟନ ଚାଉଳ ଅନ୍ୟ ରାଜ୍ୟକୁ ପଠାଇବାର ବ୍ୟବସ୍ଥା ରହିଛି ।
ଗତ ଖରିଫ ଋତୁରେ ସମୂଦାୟ ସଂଗୃହିତ ଧାନ ପରିମାଣ ୭୩ ଲକ୍ଷ ୪୫ ହଜାର ମେଟ୍ରିକ୍ ଟନ ଥିଲା । ଏହି ସଂଗୃହିତ ଧାନ ବାବଦକୁ ଚାଷୀ ମାନଙ୍କୁ ଏମଏସପି ବାବଦରେ ୧୬ ହଜାର ୮୯୫ କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଛି । ଏବଂ ସରକାର ଘୋଷଣା କରିଥିବା ଇନପୁଟ ସହାୟତା ବାବଦରେ ଅତିରିକ ୫ ହଜାର ୮୭୬ କୋଟି ଟଙ୍କା ପ୍ରଦାନ କରାଯାଇଛି । ସମୁଦାୟ ହିସାବ କଲେ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ହିସାବରେ ରାଜ୍ୟ ସରକାର ଗତ ଖରିଫ ଋତୁରେ ୨୨ ହଜାର ୭୭୧ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଚଳିତ ବର୍ଷ ଖରିଫ ଋତୁ ଧାନକିଣା ଏହା ମଧ୍ୟରେ ଆରମ୍ଭ ହୋଇଛି । ଏହି ଋତୁରେ ୩୫ ଲକ୍ଷ ୬୭ ହଜାର ୯୨୦ ହେକ୍ଟର ଜମିରେ ଧାନ ଫସଲ କରାଯାଇ ୧୬୮ ଲକ୍ଷ ୨୦ ହଜାର ମେଟ୍ରିକ୍ ଟନରୁ ଅଧିକ ଧାନ ଅମଳ କରାଯାଇଥିବା କୃଷି ମନ୍ତ୍ରୀ ସୂଚନା ଦେଇଛନ୍ତି । ଚଳିତ ଆର୍ଥିକ ବର୍ଷରେ ସମୁଦାୟ ୨୩ ଲକ୍ଷ ୬ ହଜାର ୨୯୮ ଜଣ ଚାଷୀ ପ୍ରାଥମିକ ସମବାୟ ସମିତି, ମହିଳା ସ୍ୱୟ ସହାୟକ ଗୋଷ୍ଠୀ, ପାଣି ପଞ୍ଚାୟତ ମାଧ୍ୟମରେ ଧାନ ବିକ୍ରି କରିବା ପାଇଁ ପଞ୍ଜିକୃତ ହୋଇଛନ୍ତି । ଗତ ବର୍ଷ ୨୦ ଲକ୍ଷ ୨୭ ହଜାର ୩୦୫ ଜଣ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜିକୃତ ହୋଇଥିଲେ ।
ଗତ ଧାନ ସଂଗ୍ରହ ବର୍ଷରେ ଉଭୟ ଖରିଫ ଓ ରବି ଋତୁରେ ୯୫ ଲକ୍ଷ ୪୭ ହଜାର ମେଟ୍ରିକ୍ ଟନ ଧାନ ସଂଗ୍ରହ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିଲେ । ପ୍ରତି ବଦଳରେ ୯୨ ଲକ୍ଷ ୬୩ ହଜାର ମେଟ୍ରିକ୍ ଟନ ଧାନ ସଂଗ୍ରହ କରାଯାଇଥିଲା । ଏଥିରୁ ୭୧ ଲକ୍ଷ ୧୩ ହଜାର ମେଟ୍ରିକ୍ ଟନ ଧାନରୁ ୪୮ ଲକ୍ଷ ୨୫ ହଜାର ଚାଉଳ ସଂଗ୍ରହ କରାଯାଇଛି ।

