CM Odisha: ଭୁବନେଶ୍ୱର (ରିପୋର୍ଟର୍ସ ପେନ୍): ପାରାଦୀପ ବନ୍ଦରରେ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବ-୨୦୨୫ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା, ରାଜ୍ୟର ଅର୍ଥନୈତିକ ପ୍ରଗତି ଓ ବନ୍ଦର ଭତିକ ଉନ୍ନତି ଉପରେ ଗୁରୁତ୍ୱ ଦେଇ ଏକ ଦୃଢ ସନ୍ଦେଶ ଦେଇଛନ୍ତି । ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବୋଇତ ବନ୍ଦାଣ ଓ ବାଲିଯାତ୍ରା ମାତ୍ର ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବମାନଙ୍କ ଦୁଃସାହସିକ ମନୋବଳର ପ୍ରତୀକ । ଏହି ପରମ୍ପରା ଆଜି ବି ଓଡ଼ିଆ ଜନତାଙ୍କୁ ପ୍ରେରଣା ଦେଉଛି ଯେ, ସେମାନେ ଧୈର୍ଯ୍ୟ ଓ ସାହସ ସହିତ ନୂଆ ଶିଖର ଛୁଇଁପାରନ୍ତି ।
ମୁଖ୍ୟମନ୍ତ୍ରୀ ଓଡ଼ିଶାର ପ୍ରଗତିରେ ପାରାଦୀପ ବନ୍ଦରର ଅଗ୍ରଣୀ ଭୂମିକାକୁ ଉଲ୍ଲେଖ କରି କହିଛନ୍ତି ଯେ, ଏହା ଆଜି ଭାରତର ସର୍ବଶ୍ରେଷ୍ଠ ବୃହତ୍ ବନ୍ଦର ଭାବେ ପରିଚିତ ହୋଇଛି । ୨୦୧୫ ମସିହାରେ ୭୧ ନିୟୁତ ଟନ୍ ପଣ୍ୟ ପରିବହନ କ୍ଷମତା ଥିଲା ଏହି ବନ୍ଦରର, ଯାହା ବଢ଼ି ୨୦୨୫ରେ ୧୫୦ ନିୟୁତ ଟନ୍କୁ ପହଁଚିଛି । ପାରାଦୀପ ବନ୍ଦର ଆଧୁନିକ ଓଡ଼ିଶାର ପ୍ରଗତିର ଦ୍ୱାର, ଅର୍ଥନୀତିର କୋଣାର୍କ । “ମାରି-ଟାଇମ ଇଣ୍ଡିଆ ଭିଜନ ୨୦୩୦” ଅନୁସାରେ ବାର୍ଷିକ ୩୦୦ ନିୟୁତ ଟନ୍ ଓ “ବିକଶିତ ଭାରତ ୨୦୪୭” ଯୋଜନା ଅନୁଯାୟୀ ୫୦୦ ନିୟୁତ ଟନ୍ ପର୍ଯ୍ୟନ୍ତ ପଣ୍ୟ ପରିବହନ କ୍ଷମତା ସହିତ ପାରାଦୀପ ବନ୍ଦରକୁ ଏକ ମେଗା ପୋର୍ଟ ଭାବେ ଗଢ଼ାଯିବ ବୋଲି ସେ ଘୋଷଣା କରିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେ ଓଡ଼ିଶା ସରକାର ଓ ପାରାଦୀପ ବନ୍ଦର କର୍ତୃପକ୍ଷ ମିଳିତ ଭାବେ ଗଞ୍ଜାମ ଜିଲ୍ଲାର ବାହୁଦାଠାରେ ୨୧,୫୦୦ କୋଟି ଟଙ୍କା ବିନିଯୋଗରେ ଏକ ବୃହତ ବନ୍ଦର ଗଢ଼ିବା ପାଇଁ ଯୋଜନା କରୁଛନ୍ତି । ସେହିପରି, ମହାନଦୀ ମୁହାଣରେ ୨୪,୭୦୦ କୋଟି ଟଙ୍କା ବିନିଯୋଗରେ ଜାହାଜ ନିର୍ମାଣ ଓ ମରାମତି କେନ୍ଦ୍ର ସ୍ଥାପନ ହେବ ଓ ପୁରୀରେ ବିଶ୍ୱସ୍ତରୀୟ କ୍ରୁଜ୍ ଟର୍ମିନାଲ୍ ଗଢ଼ାଯିବ । ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର ବାଣିଜ୍ୟ, ପର୍ଯ୍ୟଟନ ଓ ଶିଳ୍ପ ମୁଖ୍ୟ କ୍ଷେତ୍ରକୁ ନୂଆ ଦିଗ ଦେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଭାରତ ସରକାରଙ୍କ “ସାଗରମାଳା, ଗତିଶକ୍ତି ଓ ନ୍ୟାସନାଲ୍ ଲଜିଷ୍ଟିକ୍ ପଲିସି” ଯୋଜନା ସହ ସମନ୍ୱୟ କରି ଓଡ଼ିଶାରେ ବନ୍ଦର ଭିତିକ ଅର୍ଥନୀତି ଗଢ଼ାଯାଇଛି । ରାଜ୍ୟ ସରକାର ତଟବର୍ତୀ ଅଂଚଳ ଗୁଡ଼ିକରେ କୋଷ୍ଟାଲ୍ ଇକୋନୋମିକ୍ ଜୋନ ସ୍ଥାପନ ପାଇଁ ଉଦ୍ୟମ କରୁଛି । ସେ କହିଛନ୍ତି ଯେ, “ମୋଦିଜୀଙ୍କ ଦୃଢ ନେତୃତ୍ୱରେ ଭାରତ ନୌବାଣିଜ୍ୟରେ ନୂତନ ଯୁଗକୁ ପ୍ରବେଶ କରିଛି ଓ ‘ମାରି-ଟାଇମ୍ ଅମୃତକାଲ୍ ଭିଜନ ୨୦୪୭’ ଅନୁଯାୟୀ ଦେଶର ବନ୍ଦରମାନେ ବିଶ୍ୱସ୍ତରୀୟ ହେବେ ।”
ଏହି କାର୍ଯ୍ୟକ୍ରମରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ ଯେ, ରାଜ୍ୟ ସରକାର ବନ୍ଦରକୁ କେନ୍ଦ୍ର କରି ଶିଳ୍ପ, ଆଧାରଭୂତ ସଂରଚନା, ନିଯୁକ୍ତି ସୃଷ୍ଟି ଓ ଦକ୍ଷତା ବିକାଶରେ ବିଶେଷ ଗୁରୁତ୍ୱ ଦେଉଛି । ପାରାଦୀପ ବନ୍ଦରର ବିକାଶ ମାତ୍ର ଓଡ଼ିଶାକୁ ନୁହେଁ, ସମଗ୍ର ଭାରତର ମାରିଟାଇମ୍ ଅର୍ଥନୀତିକୁ ଶକ୍ତିଶାଳୀ କରୁଛି । ପାରାଦୀପ ଆଜି କେବଳ ଏକ ବନ୍ଦର ନୁହେଁ, ଏହା ଓଡ଼ିଶାର ଅସୀମ ସମ୍ଭାବନା ଓ ନୂଆ ଭାରତ ଗଢ଼ିବାର ଶକ୍ତିର ପ୍ରତୀକ ବୋଲି ସେ କହିଛନ୍ତି ।
ଜଗତସିଂହପୁର ସାଂସଦ ଡଃ ବିଭୁ ପ୍ରସାଦ ତରାଇ କହିଥିଲେ ଯେ, ଭବିଷ୍ୟତରେ ପାରାଦୀପ ବନ୍ଦରକୁ କେନ୍ଦ୍ର କରି ଏଠାରେ ଅନେକ ନୂତନ ଶିଳ୍ପ, ଶିକ୍ଷା ଓ ପରିବହନ ଆଧାରିତ ପ୍ରକଳ୍ପ ଆସିବ, ଯାହା ଜଗତସିଂହପୁର ଓ ସମଗ୍ର ଓଡ଼ିଶାର ଅର୍ଥନୀତିକ ମାନଚିତ୍ରକୁ ପରିବର୍ତନ କରିଦେବ । ପାରାଦୀପର ସଫଳତା ହେଉଛି ଓଡ଼ିଶାର ଗର୍ବ ଓ ଭବିଷ୍ୟତର ଆଶା ବୋଲି କହ ସେ ତାଙ୍କ ଅଭିଭାଷଣ ଶେଷ କରିଛନ୍ତି ।
ଗତ ଚାରି ବର୍ଷ ଧରି ପାରାଦୀପ ବନ୍ଦର ନିରନ୍ତର ଭାବେ ନୂତନ ରେକର୍ଡ ସୃଷ୍ଟି କରିଛି ଓ ପୂର୍ବ ପଚାଶ ବର୍ଷର ସଫଳତାକୁ ଅତିକ୍ରମ କରିଛି । କ୍ଷମତା ବୃଦ୍ଧି, ବ୍ୟବସାୟିକ ପଦ୍ଧତିର ଉନ୍ନତି, ଦକ୍ଷତା ବିକାଶ ଓ ସମସ୍ତଙ୍କଠାରୁ ଅଧିକ “ଟିମ୍ ପାରାଦୀପ”ର ଅକ୍ଳାନ୍ତ ଶ୍ରମ ଓ ସମର୍ପଣର ଫଳରେ, ପାରାଦୀପ ବନ୍ଦର ଆଜି ଦେଶର ନମ୍ବର ଏକ ବନ୍ଦର ଭାବେ ପରିଚିତ ହୋଇଛି ବୋଲି ପାରାଦୀପ ବନ୍ଦର ଅଧ୍ୟକ୍ଷ ପି. ଏଲ୍.ହରନାଧ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଜେ.ସୋନାଲ, କେନ୍ଦ୍ରାଂଚଳ ଡ଼ି. ଆଇ. ଜି ଡଃ ସତ୍ୟଜିତ ନାଏକ ପ୍ରମୁଖ ମଂଚାସୀନ ଥିବା ବେଳେ, ପାରାଦୀପ ବନ୍ଦର ଉପାଧ୍ୟକ୍ଷ ଅଲେଖ ଚରଣ ସାହୁ ଧନ୍ୟବାଦ ଦେଇଥିଲେ ।

