Crime News: କର୍ପୋରେଟର ଅମରେଶ ଜେନା ଗିରଫ

Reporterspen

Crime News: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ବିଜେଡି କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆକୁ ପୋଲିସ ଗିରଫ କରିଛି । ଜଣେ ନାବାଳିକାକୁ ଦୁଷ୍କର୍ମ ଓ ପ୍ରତାରଣ କରିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି । ଗିରଫ ହେବା ପରେ ବିଜେଡିରୁ ତାଙ୍କୁ ନିଲମ୍ବନ କରାଯାଇଛି । ତେବେ ଅର୍ଚ୍ଚନା ନାଗ ତାଙ୍କୁ ଫସାଇ ଦେଇଥିବା ବାଇଁଆ କହିଛନ୍ତି । ତେବେ ସତରେ କ’ଣ ବାଇଁଆ ନାଗଫାସରେ ଫଶିଗଲେ? ନାଁ ରାଜନୈତିକ ଆକ୍ରୋଶର ଶୀକାର ହେଲେ? ଏଭଳି ଚର୍ଚ୍ଚା ଏବେ ରାଜଧାନୀ ଭୁବନେଶ୍ୱରରେ ଜୋର ଧରିଛି ।

ଯୁବତୀଙ୍କ ଅଭିଯୋଗ ଅନୁସାରେ, ୨୦୨୩ ମସିହାରେ ଏକ ରଜ ଉତ୍ସବ କାର୍ଯ୍ୟକ୍ରମରେ ତାଙ୍କର କର୍ପୋରେଟର ଅମରେଶ ଜେନାଙ୍କ ସହ ସାକ୍ଷାତ ହୋଇଥିଲା । ସେତେବେଳେ ସେ ନାବାଳିକା ଥିଲେ । ସେହିଠାରୁ ଉଭୟଙ୍କ ମଧ୍ୟରେ ସଂପର୍କ ବଢିଥିଲା । ଏହା ପରେ ଉଭୟ ନିକଟତର ହୋଇଥିଲେ । କିନ୍ତୁ ଗତ ଏପ୍ରିଲ୍ ମାସରେ ଅମରେଶ ଯୁବତୀଙ୍କୁ ଦୁରେଇ ଯିବାକୁ କହିଥିଲେ । ଉଭୟଙ୍କ ଭିତରେ ଥିବା ସଂପର୍କ ବିଷୟରେ କାହାରିକୁ କହିଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ ।

ଯାହାକୁ ନେଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି । ଏଥିସହ କାର୍ଯ୍ୟାନୁଷ୍ଠାନ ନ ହେଲେ ଆତ୍ମାହୁତି ଦେବି ବୋଲି ପୀଡିତା ଏତଲାରେ ଲେଖିଛନ୍ତି । ଏହାପର ପୋଲିସ ଘଟଣାର ଖୋଳତାଡ ଆରମ୍ଭ କରିଥିଲା । ଗିରଫଦାରୀ ଭୟରେ ବାଇଁଆ ଫେରାର ହୋଇଯାଇଥିଲେ । ପୋଲିସ ବାଇଁଆଙ୍କୁ ଖୋଜୁଥିବା ବେଳେ ଗତକାଲି ତାଙ୍କର ୫ ସହଯୋଗୀଙ୍କୁ ଗିରଫ କରିଥିଲା । ସେମାନେ ବାଇଁଆକୁ ଫେରାର କରିବାରେ ସହଯୋଗ କରିଥିଲେ । ପରେ ତାଙ୍କ ଠାରୁ ତଥ୍ୟ ସଂଗ୍ରହ କରି ଆଜି ବାଲେଶ୍ୱର ନୀଳଗିରିରୁ ଗିରଫ କରିଥିଲା ।

ଅନ୍ୟପକ୍ଷରେ ଅମରେଶ ଗିରଫଦାରୀ ପଛରେ ଏକ ବଡ ଷଡଯନ୍ତ୍ର ଥିବା କୁହାଯାଉଛି । କାରଣ କିଛିଦିନ ତଳେ ଅର୍ଚ୍ଚନା ନାଗ ଏକ ସାମ୍ବାଦିକ ସମ୍ମିଳନୀ କରି ତାଙ୍କୁ ଫସାଇବା ପଛରେ ବିଜେଡି ନେତା ବବି ଦାସ, ମାନସ ମଙ୍ଗରାଜ ଓ ଅମରେଶ ଜେନାଙ୍କ ହାତ ଥିବା କହିଥିଲେ । ଏପରିକି ଏକ ଭିଡ଼ିଓ ଭାଇରାଲ ମଧ୍ୟ କରାଯାଇଥିଲା । ଯାହାକୁ ନେଇ ଅମରେଶଙ୍କ ପତ୍ନୀ ଅର୍ଚ୍ଚନା ଓ ତାଙ୍କ ସହଯୋଗୀଙ୍କ ନାଁରେ ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଥିଲେ ।

ଏହି ଘଟଣାର ଦୁଇ/ତିନି ପରେ ଅମରେଶଙ୍କ ନାଁରେ ଜଣେ ଯୁବତୀ ଦୁଷ୍କର୍ମ ଅଭିଯୋଗ କରିଥିଲେ । ତେଣୁ ଘଟଣା ପଛରେ ଷଡଯନ୍ତ୍ର ଥିବା କୁହାଯାଉଛି । ଏପରିକି ଆଜି ଅମରେଶ ଜେନା ଗଣମାଧ୍ୟମକୁ ମଧ୍ୟ ଅର୍ଚ୍ଚନା ଫସାଇଥିବା କଥା କହିଛନ୍ତି । ସେପଟେ ଅର୍ଚ୍ଚନା ଏକ ଭିଡ଼ିଓ ବାର୍ତାରେ କହିଛନ୍ତି, ଅମରେଶ ତାଙ୍କ କଲାକର୍ମର ଫଳ ପାଇଛନ୍ତି । ଯେଉଁ ଝିଅ ତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି, ସେ ତାଙ୍କୁ ଜାଣିନାହାନ୍ତି ।


Reporterspen