କ୍ରିକେଟର ରିଙ୍କୁ ସିଂହଙ୍କ ବାପାଙ୍କ ଦେହାନ୍ତ

Reporterspen

ନୂଆଦିଲ୍ଲୀ,୨୭/୦୨; ଭାରତୀୟ କ୍ରିକେଟର ରିଙ୍କୁ ସିଂହଙ୍କ ବାପା ଖାନଚନ୍ଦ୍ର ସିଂହଙ୍କ ପରଲୋକ ଘଟିଛି। ସେ ଗ୍ରେଟର ନୋଏଡାର ଯଥାର୍ଥ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ରିଙ୍କୁ ସିଂହଙ୍କ ପିତା ଖାନଚନ୍ଦ୍ରସିଂହ ଷ୍ଟେଜ ୪ ଯକୃତ କର୍କଟରେ ପୀଡ଼ିତ ଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନିକଟରେ ଖରାପ ହୋଇଥିଲା, ଯାହା ଫଳରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ପିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ଜାଣିବା ପରେ, ରିଙ୍କୁ ସିଂହଙ୍କୁ ହଠାତ୍‌ ଟିମ୍‌ ଇଣ୍ଡିଆ ଛାଡି ଘରକୁ ଫେରିବାକୁ ପଡିଥିଲା । ଆଜି ରିଙ୍କୁଙ୍କ ବାପାଙ୍କର ପରଲୋକ ହୋଇଛି । କିଛି ଦିନ ଧରି ମେକାନିକାଲ୍‌ ଭେଣ୍ଟିଲେଟର ସପୋର୍ଟରେ ଥିଲେ ଏବଂ ତାଙ୍କୁ ରିନଲ ରିପ୍ଲେସମେଣ୍ଟ ଥେରାପି ଦିଆଯାଉଥିଲା ।

ହଠାତ୍‌ ବିଶ୍ୱକୁପ ମଝିରେ ଘରକୁ ଫେରିଥିଲେ- ଟି-୨୦ ବିଶ୍ୱକପରେ ଟିମ୍‌ ଇଣ୍ଡିଆର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖେଳାଳି ରିଙ୍କୁ ସିଂହ। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ସୂଚନା ଅନୁସାରେ ତାଙ୍କ ବାପାଙ୍କର ଦେହାନ୍ତ ହୋଇଛି । ଏହା ପୂର୍ବରୁ ବାପାଙ୍କ ଦେହ ଗୁରୁତର ଶୁଣି ମଙ୍ଗଳବାର ଦଳ ଛାଡି ଘରକୁ ଫେରିଥିଲେ। ମଙ୍ଗଳବାର ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଟିମ୍‌ ଇଣ୍ଡିଆ ଏକ ଅଭ୍ୟାସ ସେସନ୍‌ କରିଥିଲା, କିନ୍ତୁ ରିଙ୍କୁ ସିଂହ ଏଥିରେ ଅଂଶଗ୍ରହଣ କରି ନଥିଲେ । ଅନ୍ୟ ଖେଳାଳିମାନଙ୍କୁ ଅଭ୍ୟାସ କରୁଥିବାର ଦେଖାଯାଇଥିଲା । ଏହାର କିଛି ସମୟ ପରେ ଖବର ଆସିଥିଲା ଯେ ତାଙ୍କ ବାପା ଗୁରୁତର ଅସୁସ୍ଥ ଥିବାରୁ ରିଙ୍କୁଙ୍କୁ ଘରକୁ ଫେରିବାକୁ ପଡିଥିଲା। ୨୮ ବର୍ଷୀୟ ରିଙ୍କୁଙ୍କ ଘର ଉତ୍ତର ପ୍ରଦେଶର ଆଲିଗଡ଼ରେ।

ରିଙ୍କୁଙ୍କ କ୍ରିକେଟର ହେବା ସ୍ୱପ୍ନରେ ବାପାଙ୍କର ଥିଲା ଅବଦାନ- ବାପାଙ୍କ ଦେହ ଖରାପ କଥା ଶୁଣି ଅହମ୍ମଦାବାଦରୁ ସିଧା ଘରକୁ ଯାଇଥିଲେ ରିଙ୍କୁ। ଏହାପରେ ୨ ଦିନ ପରେ ସେ ଟିମ୍‌ ଇଣ୍ଡିଆରେ ଯୋଗ ଦେଇଥିଲେ। କ୍ରିକେଟରଙ୍କ ଜୀବନ ବାହାରୁ ଚମକଦାର-ଆଲିସାନ୍‌ ଲାଗେ ହେଲେ ସେମାନେ ବି ଆମ ପରି ସାଧାରଣ। ସେମାନଙ୍କ ଜୀବନରେ ବି ଟେନ୍‌ସନ୍‌ ଥାଏ । ହେଲେ ଦୁଃଖ ଭିତରେ ବି ସେ ଦଳକୁ ଜିତିବାକୁ ସବୁବେଳେ ଚେଷ୍ଟା କରନ୍ତି । ରିଙ୍କୁ ସିଂହ ବାପାଙ୍କୁ ଦେଖା କରି ପୁଣି ଦଳରେ ଯୋଗ ଦେଇଥିଲେ। ବାପାଙ୍କ ଦେହ ଖରାପ ଥିଲା। କେତେ ଦିନ ଧରି ଏ ଚିନ୍ତାକୁ ମନରେ ଚାପି ରଖିଥିଲେ ରିଙ୍କୁ। କିନ୍ତୁ ଦଳ ପ୍ରତି ତାଙ୍କ ଦାୟିତ୍ୱ ତୁଲାଇବାରେ ଟିକେ ବି ଅବହେଳା କରିନଥିଲେ। ବିଶ୍ୱକପରେ ଭାରତକୁ ପ୍ରତିନିଧିତ୍ୱ କରିବା ରିଙ୍କୁଙ୍କ ପାଇଁ ବହୁତ ବଡ଼ ସ୍ୱପ୍ନ ଥିଲା । ଏହି ସ୍ୱପ୍ନ ସତ କରିବାରେ ରିଙ୍କୁଙ୍କ ବାପାଙ୍କର ବଡ଼ ଭୂମିକା ଥିଲା । ବର୍ଷ ବର୍ଷ ଧରି ଆଲିଗଡ଼ରେ ଗ୍ୟାସ୍‌ ସିଲିଣ୍ଡର ବିକ୍ରି କରି ପରିବାର ଚଳାଇବାକୁ ବହୁତ ପରିଶ୍ରମ କରିଥିଲେ । ଷ୍ଟାର କ୍ରିକେଟର ପୁଅ ରିଙ୍କୁଙ୍କ ପାଇଁ ତାଙ୍କ ବାପା ସବୁବେଳେ ଗର୍ବିତ କରିଥିଲେ ।

ବିଶ୍ୱକପର ଆଗାମୀ ମ୍ୟାଚ ରିଙ୍କୁ ଖେଳିବେ କି ନାହିଁ ତାହା ସସ୍‌ପେନ୍ସ- ବାପାଙ୍କ ଦେହ ଗୁରୁତର ଶୁଣି ରିଙ୍କୁ ବିଶ୍ୱକପ ମ୍ୟାଚ ଚାଡ଼ି ଘରକୁ ଯାଇଥିଲେ । ପୁଣି ଦଳରେ ସାମିଲ ହୋଇଥିଲେ । ଗତକାଲି ଟି-୨୦ ସୁପର-୮ରେ ଜିମ୍ୱାୱେ ବିପକ୍ଷରେ ରିଙ୍କୁ ଖେଳିନଥିଲେ କିନ୍ତୁ ଟିମ୍‌? ସହ ଥିଲେ । ତେବେ ରିଙ୍କୁଙ୍କ ପିତାଙ୍କ ଦେହାନ୍ତ ପରେ ସେ ଆଗକୁ ମ୍ୟାଚ ଖେଳିବେ କି ନାହିଁ ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ବୁଧବାର ସାମ୍ବାଦିକ ସମ୍ମିଳନୀରେ, ଭାରତୀୟ ଦଳର ବ୍ୟାଟିଂ ପ୍ରଶିକ୍ଷକ ସୀତାଂଶୁ କୋଟକ ରିଙ୍କୁ ସିଂହଙ୍କ ବିଷୟରେ ଏକ ଅପଡେଟ୍‌ ପ୍ରଦାନ କରି କହିଥିଲେ । ସେ କହିଥିଲେ ରିଙ୍କୁ ଖୁବ୍‌ ଶୀଘ୍ର ଦଳରେ ଯୋଗଦେବେ । ରିଙ୍କୁ ଦଳରେ ଯୋଗ ତ ଦେଇଥିଲେ କିନ୍ତୁ, ଏହି ଦୁଃଖଦ ଖବରକୁ ଦୃଷ୍ଟିରେ ରଖି, ସେ ଆଗକୁ ଟିମ୍‌ ଇଣ୍ଡିଆ ସହିତ ରହିବେ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।


Reporterspen