Crime News: ଥାନା ପାଖ ହୋଟେଲରେ ପ୍ରସ୍ତୁତ ହେଉଛି ଅପରାଧର ବ୍ଲୁପ୍ରିଣ୍ଟ!

Reporterspen

Crime News: ଭୁବନେଶ୍ୱର (ରିପୋର୍ଟର୍ସ ପେନ୍‌) : ରାଜଧାନୀ ଓ ଆଖାପାଖ ଜିଲ୍ଲାରେ ଘଟୁଥିବା ଅପରାଧର ବ୍ଲୁପ୍ରିଣ୍ଟ ଭୁବନେଶ୍ୱରର ଏକ ଛୋଟିଆ ହୋଟେଲରୁ ହିଁ ପ୍ରସ୍ତୁତ ହେଉଛି । ଯେଉଁ ହୋଟେଲଟି ଥାନା ଠାରୁ ମାତ୍ର ୧୦୦ ମିଟର ଦୂରରେ ଓ ମୁଖ୍ୟ ରାସ୍ତା କଡରେ ରହିଛି । ପୋଲିସ ସବୁ ଜାଣି ନିଜର ସ୍ୱାର୍ଥ ପାଇଁ ଉକ୍ତ ହୋଟେଲକୁ ନଜର ଅନ୍ଦାଜ କରୁଥିବା ଅଭିଯୋଗ ହେଉଛି ।

ଅଭିଯୋଗ ଅନୁସାରେ, ରାଜଧାନୀ ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳର ମୁଖ୍ୟ ପ୍ରବେଶ ପଥ କଡରେ ଓ ମଞ୍ଚେଶ୍ୱର ଥାନା ନିକଟରେ ଏକାଧିକ ଛୋଟମୋଟ ହୋଟେଲ ରହିଛି । ସେଥିମଧ୍ୟରୁ ଗୋଟିଏ ଦୁଇଟି ହୋଟେଲ ବିଳମ୍ବିତ ରାତି ଯାଏ ଖୋଲା ରହୁଛି । ଏଥିସହିତ ସେଠାରେ ସ୍ୱତନ୍ତ୍ର ରୁମ ରଖାଯାଇ ସେଠାରେ ଖୋଲା ବାର ଚାଲୁଛି । ବିନା ଲାଇସେନ୍ସରେ ସ୍ୱତନ୍ତ୍ର ଘରେ ବିଳମ୍ବିତ ରାତି ଯାଏ ନିଶାଖୋରମାନେ ମଦ୍ୟପାନ କରୁଛନ୍ତି । ଏହାର ସୁଯୋଗ ନେଇ ଅପରାଧୀମାନେ ମଧ୍ୟ ତାହାକୁ ସୁରକ୍ଷିତ ସ୍ଥାନ ଭାବେ ବାଛି ନେଇଛନ୍ତି ।

ସଂଜ ନଇଁଲେ ସେଠାକୁ ରାଜଧାନୀ ଓ ଆଖପାଖ ଅଞ୍ଚଳରୁ ଅପରାଧୀମାନେ ଆସି ଆସର ଜମାଉଛନ୍ତି । ମଦ୍ୟପାନ କରିବା ସହ ଅପରାଧର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି । ଏପରିକି ବନ୍ଧୁକଧାରୀମାନେ ସେଠାରେ ଉତ୍ପାତ କରୁଥିବା ମଧ୍ୟ ନଜୀର ରହିଛି । ବେଶ କିଛିଦିନ ହେଲା ସେଠାରେ ଏଭଳି ଖୋଲାଖୋଲି ଭାବେ ଓପନ ବାର ଚାଲୁଥିଲେ ମଧ୍ୟ ପୋଲିସ ଓ ଅବକାରୀ ବିଭାଗ ଜାଣି ନପାରିବା ସନ୍ଦେହ ସୃଷ୍ଟି କରୁଛି ।

ଅପରପକ୍ଷରେ କୁହାଯାଉଛି, ଥାନାର କିଛି ଅସାଧୁ କର୍ମଚାରୀ ନିଜର ସ୍ୱାର୍ଥ ପାଇଁ ହୋଟେଲକୁ ସହଯୋଗ କରୁଛନ୍ତି । ଓପନବାର ଓ ଅପରାଧୀଙ୍କ ଯାତାୟତ ନେଇ ପୋଲିସ ପାଖରେ ଖବର ଥିଲେ ମଧ୍ୟ ସେଠାରେ ଚଢାଉ କରିବାକୁ ଉଚିତ ମଣୁନାହିଁ । ଉକ୍ତ ହୋଟେଲରେ ଏହି ଓପନବାର ଯୋଗୁଁ ରାଜଧାନୀରେ ଏକାଧିକ ଅପରାଧ ଘଟିଥିବା ନଜୀର ରହିଛି । ଏପରିକି ଜଣେ ହୋଟେଲ ମାଲିକଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଏସବୁ ଜାଣିବା ପରେ ପୋଲିସ ନିରବ ବସିବା ଚିନ୍ତାର ବିଷୟ ପାଲଟିଛି । ପୋଲିସ ଡିଜି ଓ ପୋଲିସ କମିଶନର ଏଦିଗରେ ଦୃଷ୍ଟି ନଦେଲେ ଉକ୍ତ ହୋଟେଲ ପାଇଁ ରାଜଧାନୀରେ ଏକ ବଡଅପରାଧ ଘଟିବା ସମ୍ଭାବନାକୁ ଏଡାଇ ଦିଆଯାଇପାରିବନାହିଁ ।


Reporterspen