crime news: ଭୁବନେଶ୍ୱର (ରିପୋର୍ଟର୍ସ ପେନ୍) : ପଶ୍ଚିମବଙ୍ଗ ଦୁର୍ଗାପୁରରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ ଏବେ ଖୋଦ ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ଉଦ୍ୟମ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାଟି ମଞ୍ଚେଶ୍ୱରର ଥାନା ଅଞ୍ଚଳରେ ଘଟିଥିବା ବେଳେ ପୋଲିସ ମାମଲା ରୁଜୁ କରି ଛାନଭିନ କରୁଥିବା ବେଳେ ଅଭିଯୁକ୍ତଙ୍କ ଟେର ପାଇପାରିନାହିଁ ।
ସୂଚନା ଅନୁସାରେ, ଶନିବାର ରାତି ପ୍ରାୟ ସାଡେ ୧୧ଟା ବେଳେ କିଛି ଯୁବକ ମଞ୍ଚେଶ୍ୱର କେନାଲରୋଡ (ସାଇମନ୍ଦିର ପାଖ)ର ନୂଆ ପୋଲ ପାଖରେ ବସିଥିଲେ । ଏହି ସମୟରେ ଶ୍ରୀରାମ ନଗରରେ ରହୁଥିବା ଜଣେ ଯୁବତୀ କୌଣସି କାମରେ ଯାଇ ଘରକୁ ଫେରୁଥିଲେ । ଷ୍ଟେସନ ପଟୁ ସେ ଚାଲି ଚାଲି ଘରକୁ ଆସୁଥିବା ବେଳେ ସେଠାରେ ବସିଥିବା ନିଶାସକ୍ତ ଯୁବକମାନେ ତାଙ୍କୁ କମେଣ୍ଟ ମାରିଥିଲେ । ଏପରିକି ଆପତ୍ତିଜନକ ମନ୍ତବ୍ୟ ଦେବା ସହ ତାଙ୍କୁ ଆକ୍ଷେପ କରିଥିଲେ ।
ଯୁବତୀ ଜଣକ ଏହାର ପ୍ରତିବାଦ କରିବାରୁ ସେମାନେ ତାଙ୍କୁ ବଳପୂର୍ବକ ଏକ ନିଛାଟିଆ ଜାଗାକୁ ଟେକି ନେଇଥିଲେ । ପରେ ତାଙ୍କୁ ଗଣଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ଯୁବତୀ ଜଣକ ଚିତ୍କାର କରିବାରୁ ସାଇମନ୍ଦିର ପାଖରେ ବସିଥିବା ଲୋକେ ଉଠି ଆସିବାରୁ ଯୁବକମାନେ ଫେରାର ହୋଇଯାଇଥିଲେ । ହେଲେ ନିଶାସକ୍ତ ଯୁବକମାନେ ତାଙ୍କୁ ଖଣ୍ଡିଆଖାବରା କରିଦେଇଥିଲେ । ଲୋକେ ଯୁବତୀଙ୍କୁ ଉଦ୍ଧାର କରିବା ସହ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରେ ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିବା ସହ ତଦନ୍ତକୁ ଜୋରଦାର କରିଛି । ହେଲେ ଏହି ଘଟଣାରେ ପୋଲିସ କାହାରିକୁ ଗିରଫ କରିପାରିନଥିବା ଜଣାପଡିଛି ।