Vigilance: ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ମାମଲା : ଅବସର ଦିନ ଜେଲ ଗଲେ ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ

Reporterspen

Vigilance: ଭୁବନେଶ୍ୱର, (ରିପୋଟର୍ସ ପେନ୍‌) : ଅବସର ନେବା ଦିନ ହାତରେ ଫୁଲ ତୋଡ଼ା ଧରି ଘରକୁ ଯିବେ କ’ଣ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ହାତରେ ହ୍ୟାଣ୍ଡକପ୍‌ ପଡ଼ି ଜେଲ ଯାଇଛନ୍ତି ଆରଡବ୍ଲୁ ବିଭାଗର ଚିଫ୍‌ ଇଞ୍ଜିନିୟର ବୈକୁଣ୍ଠନାଥ ଷଢ଼ଙ୍ଗୀ। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ମାମଲାରେ ଅନୁଗୋଳ ସ୍ପେଶାଲ ଜଜ୍‌ ଭିଜିଲାନ୍ସଙ୍କ ନିର୍ଦେଶ ବଳରେ ଶୁକ୍ରବାର ଭିଜିଲାନ୍ସର ୭ଟି ଟିମ୍‌ ଆରଡବ୍ଲୁ ବିଭାଗର ଚିଫ୍‌ ଇଞ୍ଜିନିୟର ବୈକୁଣ୍ଠନାଥଙ୍କ ଅନୁଗୋଳ ଓ ଭୁବନେଶ୍ବର, ପିପିଲିରେ ଥିବା ଘର ଉପରେ ଚଢ଼ଉ କରିଥିଲା। ଶନିବାର ଏହି ଚଢ଼ଉ ଶେଷ ହେବା ସହ ବୈକୁଣ୍ଠ ନିଜ ଚାକିରୀ କାଳ ମଧ୍ୟରେ ଆୟ ଠାରୁ ଅଧିକ ୪୮୩ ପ୍ରତିଶତ ସମ୍ପତ୍ତି ହାତେଇଥିବା ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି।

ବୈକୁଣ୍ଠଙ୍କ ଭୁବନେଶ୍ବର ଘରୁ ଭିଜିଲାନ୍ସ ଅଧିକାରୀମାନେ ୧ କୋଟି ୨୧ ଲକ୍ଷ ୯୫ ହଜାର ଟଙ୍କା ଜବତ କରିଥିବା ବେଳେ ଅନୁଗୋଳ ଘରୁ ୧ କୋଟି ୩୪ ଲକ୍ଷ ୩୪ ହଜାର ୨୯୯ ଟଙ୍କାକୁ ତଦନ୍ତକାରୀ ଅଧିକାରୀମାନେ ଜବତ କରିଛନ୍ତି। ମୋଟ ଉପରେ ବୈକୁଣ୍ଠଙ୍କ ଭୁବନେଶ୍ବର ଓ ଅନୁଗୋଳ ଘରୁ ଭିଜିଲାନ୍ସ ଅଧିକାରୀମାନେ ନଗଦ ୨ କୋଟି ୫୬ ଲକ୍ଷ ଟଙ୍କା ଜବତ କରିଥିବା ବେଳେ ଉଭୟ ଘରେ ୫୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଘରକରଣା ସାମଗ୍ରୀ ଥିବା ଜଣାପଡ଼ିଛି। ସେହିପରି ବୈକୁଣ୍ଠ ବିଭିନ୍ନ ବ୍ୟାଙ୍କ ଓ ଇନ୍ସୁରାନ୍ସ କମ୍ପାନୀରେ ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଜମା କରିଥିବା ଜଣାପଡ଼ିଛି।

ତେବେ ସେ ବିଭିନ୍ନ ସମୟରେ ଠିକାଦାରମାନଙ୍କ ଠାରୁ ମୋଟା ଅଙ୍କର ପିସି ନେଉଥିବା ଜଣାପଡ଼ିଛି। କାରଣ ତାଙ୍କର ଭୁବନେଶ୍ବର ଘରୁ ଭିଜିଲାନ୍ସ ଅଧିକାରୀମାନେ ୪୦ଟି ଖାମ୍‌କୁ ଜବତ କରିଛନ୍ତି। ଏହାବାଦ ଭୁବନେଶ୍ବର ଓ ଅନୁଗୋଳର ବିଭିନ୍ନ ସ୍ଥାନରେ ୭ଟି ଦାମୀ ପ୍ଲଟକୁ ମଧ୍ୟ ଭିଜିଲାନ୍ସ ଅଧିକାରୀମାନେ ଠାବ କରିଛନ୍ତି। ତଦନ୍ତ ବେଳେ ବର୍ତମାନ ପର୍ଯ୍ୟନ୍ତ ବୈକୁଣ୍ଠଙ୍କର ୧୦ କୋଟିରୁ ଅଧିକ ସମ୍ପତ୍ତି ଠାବ କରାଯାଇଥିବା ତଦନ୍ତବ୍ୟୁରୋ ପକ୍ଷରୁ ଗଣମାଧ୍ୟମକୁ ଜଣାଯାଇଛି। ଅନୁଗୋଳର କରଡ଼ଗାଡ଼ିରେ ଶ୍ରୀ ଷଢ଼ଙ୍ଗୀଙ୍କର ୩ହଜାର ୨ଶହ ସ୍କ୍ରୋୟାର ଫୁଟ ଅଞ୍ଚଳରେ ଏକ ବହୁତଳ କୋଠା ଥିବା ବେଳେ ମାଟିଆସାହି ଅନୁଗୋଳରେ ଏକ ହଜାର ସ୍କ୍ରୋୟାର ଫୁଟ୍‌ ଅଞ୍ଚଳରେ ଏକ ଘର ରହିଛି।

ସେହିପରି ଭୁବନେଶ୍ବର ଏବଂ ପିପିଲି ଅଞ୍ଚଳରେ ଚିଫ୍‌ ଇଞ୍ଜିନିୟରଙ୍କର ଦୁଇଟି ପୃଥକ ପୃଥକ ଫ୍ଲାଟ ଥିବା ବେଳେ ଅନୁଗୋଳ ଏବଂ ଭୁବନେଶ୍ବରରେ ୭ଟି ଦାମୀ ପ୍ଲଟ ରହିଥିବା ଜଣାପଡ଼ିଛି। ସେହିପରି ଶ୍ରୀ ଷଢ଼ଙ୍ଗୀଙ୍କ ଘରୁ ଭିଜିଲାନ୍ସ ଅଧିକାରୀମାନେ ୧୧୪୧.୫ ଗ୍ରାମ ସୁନା ଅଳଙ୍କାର ଏବଂ ୧୫ଟି ଦାମୀ ଘଣ୍ଟାକୁ ଜବତ କରାଯାଇଥିବା ନେଇ ଏସପି ଭିଜିଲାନ୍ସ କଟକ ସେଲ୍‌ କେ ବି ଆଚାର୍ଯ୍ୟ ଶନିବାର ଗଣମାଧ୍ୟମକୁ ଅବଗତ କରିଛନ୍ତି। ଗିରଫ ହୋଇଥିବା ମୁଖ୍ୟଯନ୍ତ୍ରୀ ଶ୍ରୀ ଷଢ଼ଙ୍ଗୀ ଭିଜିଲାନ୍ସକୁ ତଦନ୍ତ ବେଳେ ଆଦୌ ସହଯୋଗ କରୁ ନ ଥିଲେ ମଧ୍ୟ ଏହା ସତ୍ତ୍ବେ ବି ତଦନ୍ତକାରୀ ଟିମର ସଦସ୍ୟମାନେ ଯଥାସମ୍ଭବ ମୁଖ୍ୟଯନ୍ତ୍ରୀଙ୍କ ଆୟ ବର୍ହିଭୁତ ସମ୍ପତ୍ତିକୁ ଠାବ କରିବାରେ ସଫଳ ହୋଇଥିବା ଏସପି ଶ୍ରୀ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।


Reporterspen
!-- afp header code starts here -->