Cyclone: ଭୁବନେଶ୍ୱର (ରିପୋର୍ଟର୍ସ ପେନ୍): ବଙ୍ଗୋପସାଗରରେ ବାତ୍ୟା ଭୟ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଶ୍ରୀଲଙ୍କା ଉପକୂଳରେ ଏବେ କେନ୍ଦ୍ରୀଭୂତ ହୋଇଛି ଅବପାତ । ଏହା ପରବର୍ତ୍ତୀ ୧୨ ରୁ ୧୮ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବ । ପରେ ଏହା ଆହୁରି ବଳ ଗୋଟାଇବା ସହ ଅଧିକ ଘନୀଭୂତ ହୋଇ ଉତ୍ତର ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଶ୍ରୀଲଙ୍ଗା ସଂଲଗ୍ନ ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା ସୃଷ୍ଟି ପରେ କିଛି ଏମିତି ପରିସ୍ଥିତି ସୃଷ୍ଟି ହୋଇଛି ।
ପାଣିପାଗ ବିଭାଗର କହିବାନୁସାରେ, ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଓ ସଂଲଗ୍ନ ଦକ୍ଷିଣ- ପୂର୍ବ ଶ୍ରୀଲଙ୍କା ଉପରେ ସୃଷ୍ଟି ହୋଇଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ଅବପାତରେ ପରିଣତ ହୋଇଛି । ଆଗକୁ ଆହୁରି ବଳ ଗୋଟାଇ ଗଭୀର ଅବପାତ ରୂପ ନେବ। ଏହା ପୁଣି ଘନୀଭୂତ ହୋଇ ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ଯାଇ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଉତ୍ତର ତାମିଲନାଡୁ ଓ ପଣ୍ଡିଚେରୀ ଉପକୂଳକୁ ଯିବ ବୋଲି ଆଇଏମ୍ଡି ଆକଳନ କରିଛି । ଏହା ପ୍ରଭାବରେ ୧ ତାରିଖ ଯାଏ ତାମିଲନାଡୁରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ୨୯ ଓ ୩୦ ତାରିଖରେ ଉପକୂଳ ଆନ୍ଧ୍ରପ୍ରଦେଶ ଓ ରାୟଲସୀମାର ବିକ୍ଷିପ୍ତ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଇଏମ୍ଡି ଆକଳନ କରିଛି । ତେବେ ସମ୍ଭାବ୍ୟ ବାତ୍ୟା ପାଇଁ ଉପକୂଳିଆ ଲୋକେ ଛାନିଆ ହେଲେଣି । କାରଣ ବର୍ଷା ଏବଂ ପବନର ସମ୍ଭାବନା ଥିବାରୁ କ୍ଷୟକ୍ଷତି ହେବା ନେଇ ଆଶଙ୍କା ରହିଛି । ବର୍ଷା ହେଲେ ବନ୍ୟା ଆଶଙ୍କାକୁ ଏଡାଇ ଦିଆଯାଇନପାରେ ।
ସେହିପରି ଇଣ୍ଡୋନେସିଆ ପାଖାପାଖି ଆଉ ଏକ ବାତ୍ୟା ସୃଷ୍ଟି ହୋଇଛି । ଯାହାର ନାଁ ଦିଆଯାଇଛି ସେନ୍ୟାର । କିନ୍ତୁ ଓଡିଶା ବା ଭାରତରେ ଏହାର ପ୍ରଭାବ ପଡିବ ନାହିଁ । କିଛି ପାଣିପାଗବିତ୍ ଭାରତରେ ଆଦୌ ପ୍ରଭାବ ପଡିବ ନାହିଁ ବୋଲି କହୁଛନ୍ତି । ଏବେ ନିକୋବର ଦ୍ୱୀପପୁଞ୍ଜରୁ ୭୦୦ କିମି ଏବଂ ଇଣ୍ଡୋନେସିଆରୁ ୧୫୦ କିମି ଦୂରରେ ଏହାର ବଳୟ ସୃଷ୍ଟି ହୋଇଛି । କୁହାଯାଉଛି ଯେ, ଇଣ୍ଡୋନେସିଆ ଉପକୂଳରେ ସେନ୍ୟାର ସ୍ଥଳଭାଗ ଛୁଇଁପାରେ । କିନ୍ତୁ ଗୁରୁବାର ରାତି ସୁଦ୍ଧା ଏହା ଦୁର୍ବଳ ହୋଇ ଅବପାତକୁ ଖସିଯିବ ବୋଲି ପାଣିପାଗ ବିଭାଗ(ଆଇଏମ୍ଡି ) ପୂର୍ବାନୁମାନ କରିଛି ।

