Cyclone Montha: ଆନ୍ଧ୍ରରେ ଦୁଇଜଣଙ୍କ ମୃତ୍ୟୁ, ଚନ୍ଦ୍ରବାବୁ ନାଇଡୁଙ୍କ ସମୀକ୍ଷା

Reporterspen

Cyclone Montha: ନୂଆଦିଲ୍ଲୀ: ବାତ୍ୟା ମୋନ୍ଥା ଯୋଗୁଁ ଆନ୍ଧ୍ରପ୍ରଦେଶରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ବୁଧବାର ସୂଚନା ପ୍ରଦାନ କରିଛନ୍ତି। ଏହାସହ ସତର୍କତାମୂଳକ ପଦକ୍ଷେପ ଯୋଗୁଁ ସାମଗ୍ରିକ କ୍ଷୟକ୍ଷତି ହ୍ରାସ ପାଇଛି ବୋଲି ସେ କହିଛନ୍ତି। ବାତ୍ୟା ପରବର୍ତୀ ପରିସ୍ଥିତି ସମୀକ୍ଷା କରି ନାଇଡୁ ଅଧିକାରୀମାନଙ୍କୁ ଆଗାମୀ ଦୁଇ ଦିନ ପାଇଁ ରିଲିଫ୍‌ କାର୍ଯ୍ୟ ଜାରି ରଖିବା ଏବଂ ଯଥାଶୀଘ୍ର ସ୍ୱାଭାବିକତା ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି। “ଯଦି ଆମେ ଆଉ ଦୁଇ ଦିନ ପାଇଁ ସମାନ ଭାବରେ କାମ କରିବା, ତେବେ ଆମେ ଲୋକମାନଙ୍କୁ ବହୁତ ଆଶ୍ୱସ୍ତି ଦେଇପାରିବୁ। ଘୂର୍ଣ୍ଣିବାତ୍ୟା ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି,” ବୋଲି ସେ ଆନୁଷ୍ଠାନିକ ବିବୃତି ଜାରି କରିଛନ୍ତି।

ଏହାସହ ମୁଖ୍ୟମନ୍ତ୍ରୀ ପ୍ରଭାବିତ ଅଂଚଳ ପରିଦର୍ଶନ କରିବା, ବିଭିନ୍ନ ବିଭାଗର କ୍ଷୟକ୍ଷତି ଆକଳନ କରିବା ଏବଂ କେନ୍ଦ୍ର ସରକାରଙ୍କୁ ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ମନ୍ତ୍ରୀ ଏବଂ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଭାବିତ ପରିବାରକୁ ସମୟ ଅନୁଯାୟୀ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଂଟନ ସୁନିଶ୍ଚିତ କରିବାକୁ ମଧ୍ୟ ସେ ସେମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଯୁଦ୍ଧକାଳୀନ ଭିତିରେ ଉପୁଡ଼ି ପଡ଼ିଥିବା ଗଛ ଏବଂ ଭାଙ୍ଗି ପଡ଼ିଥିବା ବିଦ୍ୟୁତ୍‌ ତାରଗୁଡ଼ିକୁ ସଫା କରିବା ପାଇଁ ନାଇଡୁ ଏସଡିଆରଏଫ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ। ଏହାସହ ବିଦ୍ୟୁତ୍‌ ଭିତିଭୂମି ପୁନରୁଦ୍ଧାର ପାଇଁ ପ୍ରାୟ ୧୦ ହଜାର କର୍ମଚାରୀଙ୍କୁ ପ୍ରସ୍ତୁତ ରଖାଯାଇଥିଲା ଏବଂ ବୁଧବାର ଅପରାହ୍ନ ସୁଦ୍ଧା ସ୍ୱାଭାବିକତା ଫେରି ଆସିବ ବୋଲି ସେ ସମସ୍ତଙ୍କୁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି।

ସେ ବିଭିନ୍ନ ବାତ୍ୟା ପ୍ରଭାବିତ ଅଂଚଳକୁ ବିମାନରେ ଯାଇ ସର୍ଭେ କରିଥିଲେ ଏବଂ ବହୁଜଲଦି ବାପ୍ଟଲା, ପାଲନାଡୁ, କୃଷ୍ଣା, କୋନାସିମା ଏବଂ ଏଲୁରୁ ଜିଲ୍ଲା ଗସ୍ତ କରିପାରନ୍ତି। ପରେ, ସେ କୋନାସିମାର ଆଲାଭାରାମ ମଣ୍ଡପରେ ବନ୍ୟା ପରିସ୍ଥିତି ଯାଂଚ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରାରମ୍ଭିକ ସରକାରୀ ଆକଳନ ଅନୁଯାୟୀ, ମୋନ୍‌?ଥା ପ୍ରଭାବରେ ୩୮ ହଜାର ହେକ୍ଟର ଜମିରେ ଥିବା ଫସଲ ଏବଂ ୧.୩୮ ଲକ୍ଷ ହେକ୍ଟର ଜମିରେ ଥିବା ବିଭିନ୍ନ ଉଦ୍ୟାନ କୃଷି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି।

ଆନ୍ଧ୍ର ପ୍ରଦେଶ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷର ପରିଚାଳନା ନିର୍ଦ୍ଦେଶକ ପ୍ରଖର ଜୈନ ନିଶ୍ଚିତ କରିଛନ୍ତି ଯେ କୋନାସୀମା ଜିଲ୍ଲାରେ ପ୍ରବଳ ପବନ ଯୋଗୁଁ ମାକନାଗୁଡେମ ଗାଁରେ ଜଣେ ୪୩ ବର୍ଷୀୟ ମହିଳାଙ୍କ ଉପରେ ଏକ ତାଳଗଛ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଛି। ଜୈନ କହିଛନ୍ତି ଯେ କୌଣସି ବଡ଼ ଆଘାତର ରିପୋର୍ଟ ହୋଇନାହିଁ ତେବେ କ୍ଷୟକ୍ଷତି ଆକଳନ ଜାରି ରହିଛି।

ପଶ୍ଚିମ ଗୋଦାବରୀ ଜିଲ୍ଲାରେ ପୋଲିସ ଅଧିକ୍ଷକ ଆଦନାନ ନୟିମ ଆସ୍ମି କହିଛନ୍ତି ଯେ ସ୍ଥାନିୟ ଅଂଚଳରେ ୧୪୧ଟି ଗଛ ଉପୁଡ଼ି ପଡ଼ିଛି ଏବଂ ଆଠଟି ସାପ କାମୁଡ଼ା ଘଟଣା ରିପୋର୍ଟ ହୋଇଛି। କିନ୍ତୁ ଏଯାଏ କୌଣସି ଜୀବନହାନି ଘଟଣା ସାମ୍ନାକୁ ଆସିନାହିଁ। “କିଛି ପୋଲ ଏବଂ ଗଛ ଉପୁଡ଼ିବା ସମେତ କ୍ଷତି ବହୁତ ସୀମିତ ପରିମାଣରେ ହୋଇଛି। ମୋଗାଲତୁରୁ ଅଞ୍ଚଳରେ ଗୋଟିଏ କିମ୍ବା ଦୁଇଟି ଚାଳ ଘର କ୍ଷତିଗ୍ରସ୍ତ ହୋଇଛି,” ବୋଲି ଆସ୍ମି ସୂଚନା ଦେଇଛନ୍ତି। ତେବେ ସୁରକ୍ଷା ଦୃଷ୍ଟିରୁ କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବିଦ୍ୟୁତ୍‌ କାଟ କରାଯାଇଥିଲା। ଅତିରିକ୍ତ ଏସପି ଭି ଭୀମା ରାଓ କହିଛନ୍ତି ଯେ ଆମମାନଙ୍କର ଆଗୁଆ ପ୍ରସ୍ତୁତି ଯୋଗୁଁ, ୧୫ ମିନିଟ୍‌ ମଧ୍ୟରେ ଉପୁଡ଼ିଯାଇଥିବା ଗଛଗୁଡ଼ିକୁ ସଫା କରିବାରେ ସାହାଯ୍ୟ କରିଥିଲା।

କୋନାସୀମା ଜିଲ୍ଲାର ଅନ୍ତରବେଦୀ ଗାଁରେ, ଯେଉଁଠାରେ ମୋନ୍ଥା ସ୍ଥଳଭାଗ ଛୁଇଁଥିଲା, ଉକ୍ତ ଅଞ୍ଚଳରେ ପ୍ରାୟ ୨୦୦ ଗଛ ଏବଂ ୭୦ଟି ବିଦ୍ୟୁତ୍‌ ଖୁଂଟ କ୍ଷତିଗ୍ରସ୍ତ ହୋଇଛି ଏବଂ ଦୁଇ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ବୁଧବାର ସକାଳେ ଉକ୍ତ ଅଞ୍ଚଳରେ ହାଲୁକା ବର୍ଷା ଏବଂ ମେଘୁଆ ଆକାଶ ରହିଥିଲା।

ଏହି ସମୟରେ, ରାଜ୍ୟ ସରକାର ପ୍ରଭାବିତ ପରିବାର, ବୁଣାକାର ଏବଂ ମତ୍ସ୍ୟଜୀବୀଙ୍କୁ ମାଗଣାରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଂଟନ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ରିଲିଫ୍‌ ଶିବିରରେ ଥିବା ପ୍ରତ୍ୟେକ ପରିବାରକୁ ୨୫ କିଲୋ ଚାଉଳ, ଡାଲି, ରନ୍ଧନ ତେଲ, ପିଆଜ, ଆଳୁ ଏବଂ ଚିନି ମିଳିବ ବୋଲି ଘୋଷଣା ହୋଇଛି। ଏହାଛଡା ବୁଣାକାର ଏବଂ ମତ୍ସ୍ୟଜୀବୀମାନଙ୍କୁ ୫୦ କିଲୋ ଚାଉଳ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦ୍ୱିଗୁଣିତ ପରିମାଣ ମିଳିବ ବୋଲି ସୂଚନା ମିଳିଛି।


Reporterspen